ଓଡିଶା

ସୀମାନ୍ତରେ ଆନ୍ଧ୍ର ନିର୍ବାଚନ ତାତି, ପୋଷ୍ଟର ହଟାଇଲେ ସରପଞ୍ଚ

କୋରାପୁଟ: ଓଡ଼ିଶା-ଆନ୍ଧ୍ର ସୀମାନ୍ତରେ ଆନ୍ଧ୍ରପ୍ରଦେଶର ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ନଭେମ୍ବର ୩ ତାରିଖରେ ଆନ୍ଧ୍ରପ୍ରଦେଶରେ ହେବାକୁ ଥିବା ନିର୍ବାଚନକୁ ନେଇ କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ୍ର ସୀମାନ୍ତ ଗ୍ରାମଗୁଡ଼ିକରେ ପ୍ରଚାର ଆରମ୍ଭ ହୋଇଥିବା ଜଣାପଡ଼ିଛି। ଏହି ପରିପ୍ରେକ୍ଷୀରେ ପାନ୍ଥଲୁଙ୍ଗ ପଞ୍ଚାୟତ ଅନ୍ତର୍ଗତ ଜରାଇ ଓ ପ୍ରଧାନୀପୁଟ ଗ୍ରାମର କାନ୍ଥରେ ଆନ୍ଧ୍ରର ପ୍ରାର୍ଥୀଙ୍କ ନିର୍ବାଚନୀ ପୋଷ୍ଟର ଲାଗିଥିବା ଖବରକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ସ୍ଥାନୀୟ ସରପଞ୍ଚଙ୍କ ନିର୍ଦ୍ଦେଶରେ ଏହି ପୋଷ୍ଟରଗୁଡ଼ିକୁ ହଟାଯାଇଥିବା କୁହାଯାଉଛି। ତେବେ ଏଭଳି ପୋଷ୍ଟର ଲାଗିଥିବା ଖବରକୁ ନନ୍ଦପୁର ତହସିଲଦାର ଦେବବ୍ରତ ମହାରଣା ଖଣ୍ଡନ କରିଥିବାରୁ ଘଟଣାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି।

ସୀମାନ୍ତ ଅଞ୍ଚଳରେ ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ପ୍ରଶାସନ ପକ୍ଷରୁ ତତ୍ପରତା ବଢ଼ାଯାଇଛି। ନନ୍ଦପୁର ବିଡିଓ ଦୁର୍ଗାପ୍ରସାଦ ଦୋରା, ତହସିଲଦାର ଦେବବ୍ରତ ମହାରଣା ଓ ପାଡୁଆ ଥାନାଧିକାରୀ ଟୁନା ପିଡ଼ିକାଙ୍କ ସମେତ ଅଧିକାରୀମାନେ ବ୍ଲକ୍ର ବିଭିନ୍ନ ସୀମାନ୍ତ ଗ୍ରାମ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ଗସ୍ତ ସମୟରେ ଗ୍ରାମବାସୀଙ୍କୁ ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନା, ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଓ ସେମାନଙ୍କୁ ମିଳୁଥିବା ସରକାରୀ ସୁବିଧା ସମ୍ପର୍କରେ ସଚେତନ କରାଯାଇଛି। ଏଥିସହ ଆନ୍ଧ୍ରପ୍ରଦେଶର ନିର୍ବାଚନରେ ଭାଗ ନନେବାକୁ ଲୋକଙ୍କୁ ବୁଝାଯାଇଥିବା ସୂଚନା ମିଳିଛି।

ଓଡ଼ିଶା ସୀମା ମଧ୍ୟରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ଯେପରି କୌଣସି ନିର୍ବାଚନୀ ବୁଥ୍ ଖୋଲା ନଯାଏ, ସେଥିପ୍ରତି ପ୍ରଶାସନ ନଜର ରଖିଥିବା ଅଧିକାରୀମାନେ କହିଛନ୍ତି। ସୀମାନ୍ତ ଗ୍ରାମଗୁଡ଼ିକରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ ନିର୍ବାଚନ ସମ୍ପର୍କିତ କୌଣସି ବିବାଦ ଯେପରି ଉପୁଜିବ ନାହିଁ, ସେଥିପାଇଁ ପ୍ରଶାସନିକ ଅଧିକାରୀମାନେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରୁଛନ୍ତି।

ସୂଚନା ଅନୁଯାୟୀ, ନନ୍ଦପୁର ବ୍ଲକ୍ର ବିଲାପୁଟ, ପାନ୍ଥଲୁଙ୍ଗ, ଗୋଲୁର, ଚାଟୁଆ, ପରଜା ବଡ଼ପଡ଼ା, କୁଲାରସିଂ ଓ ଖିନବର ପଞ୍ଚାୟତର ୩୦ରୁ ଅଧିକ ଗ୍ରାମ ଆନ୍ଧ୍ରପ୍ରଦେଶ ସୀମାକୁ ଲାଗି ରହିଛି। ଏହି ଗ୍ରାମଗୁଡ଼ିକର ଅନେକ ଲୋକଙ୍କର ଆନ୍ଧ୍ର ସହ ପାରିବାରିକ, ସାମାଜିକ ଓ ବ୍ୟବସାୟିକ ସମ୍ପର୍କ ରହିଛି। ଜୀବିକା ନିର୍ବାହ ଓ ଦୈନନ୍ଦିନ କାର୍ଯ୍ୟ ପାଇଁ ସୀମା ଆରପାର ଯାତାୟାତ କରୁଥିବାରୁ ଏହି ଅଞ୍ଚଳରେ ଦୁଇ ରାଜ୍ୟର ପ୍ରଶାସନିକ ପ୍ରଭାବ ଦେଖିବାକୁ ମିଳେ।

ଅଭିଯୋଗ ଅନୁଯାୟୀ, ସୀମାନ୍ତ ଅଞ୍ଚଳର କେତେକ ଲୋକଙ୍କୁ ଆନ୍ଧ୍ରପ୍ରଦେଶ ପକ୍ଷରୁ ଆଧାର କାର୍ଡ, ଭୋଟର ପରିଚୟପତ୍ର, ରାସନ, ଭତ୍ତା, ଶିକ୍ଷା ଓ ସ୍ୱାସ୍ଥ୍ୟ ସମ୍ପର୍କିତ ସୁବିଧା ଯୋଗାଇ ଦିଆଯାଉଛି। ଉଭୟ ରାଜ୍ୟର ପରିଚୟପତ୍ର ଓ ସରକାରୀ ସୁବିଧା ରହିଥିବା ଲୋକଙ୍କୁ ନିର୍ବାଚନ ସମୟରେ ନିଜ ସପକ୍ଷରେ ଭୋଟ୍ ଦେବାକୁ ପ୍ରାର୍ଥୀମାନେ ପ୍ରବର୍ତ୍ତାଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ଏହି ପରିସ୍ଥିତି ସୀମାନ୍ତ ଅଞ୍ଚଳରେ ନୂଆ ପ୍ରଶାସନିକ ଓ ରାଜନୈତିକ ଆହ୍ୱାନ ସୃଷ୍ଟି କରିଛି।

ପୂର୍ବରୁ ନନ୍ଦପୁର ବ୍ଲକ୍ର ଗୋଲୁର ପଞ୍ଚାୟତ ଅନ୍ତର୍ଗତ ରାଇପାହାଡ଼ ଗ୍ରାମରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ଆବାସ ଯୋଜନାରେ ଘର, ବିଦ୍ୟୁତ୍, ପାନୀୟ ଜଳ ଓ ଭତ୍ତା ଭଳି ସୁବିଧା ଯୋଗାଇ ଦିଆଯାଇଥିବା ଖବର ପ୍ରକାଶ ପାଇଥିଲା। ଏହାକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ଆଲୋଚନା ହୋଇଥିଲା। ଦ୍ୱିପାକ୍ଷିକ ଆଲୋଚନା ପରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ଉକ୍ତ ଗ୍ରାମକୁ ନିଜର ବୋଲି ଦାବି କରିବା ବନ୍ଦ କରାଯାଇଥିବା କୁହାଯାଇଥିଲା।

ତଥାପି ସୀମାନ୍ତ ଗ୍ରାମଗୁଡ଼ିକରେ ଦୁଇ ରାଜ୍ୟର ପରିଚୟପତ୍ର ଓ ସରକାରୀ ଯୋଜନାର ସୁବିଧାକୁ ନେଇ ରହିଥିବା ପରିସ୍ଥିତି ନିର୍ବାଚନ ସମୟରେ ପୁଣି ଚର୍ଚ୍ଚାକୁ ଆସିଛି। ନଭେମ୍ବର ୩ ତାରିଖର ନିର୍ବାଚନ ପୂର୍ବରୁ ନନ୍ଦପୁର ବ୍ଲକ୍ର ସୀମାନ୍ତ ଗ୍ରାମଗୁଡ଼ିକରେ ପ୍ରଶାସନର ନଜରଦାରି ଓ ଜନସଚେତନତା କାର୍ଯ୍ୟକ୍ରମ ଗୁରୁତ୍ୱ ବହନ କରୁଛି।

Related Articles

Leave a Reply

Your email address will not be published. Required fields are marked *

Back to top button