ଓଡିଶା

ସାନଘାଗରାରେ ପର୍ଯ୍ୟଟକଙ୍କ ଆକର୍ଷଣ ପାଲଟିଛି ‘ପ୍ରକୃତି ନିବାସ’: ୨୦ ଫୁଟ୍ ଉଚ୍ଚରେ ୩୦୦ ଫୁଟ୍ ଲମ୍ବା ଝୁଲନ୍ତା ପୋଲ, ଟ୍ରି ହାଉସରେ ବିଶ୍ରାମ

କେନ୍ଦୁଝର, ୨୮/୧୦: ପ୍ରକୃତିର ମନୋରମ ପରିବେଶ, ଜଙ୍ଗଲର ସବୁଜିମା, ଦେଶୀ ଖାଦ୍ୟ ଓ ଆଦିବାସୀ ସଂସ୍କୃତିର ଅନନ୍ୟ ଅନୁଭୂତି ଏବେ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି କେନ୍ଦୁଝରର ସାନଘାଗରାସ୍ଥିତ ‘ପ୍ରକୃତି ନିବାସ’। ବନବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କ ପାଇଁ ନୂଆ ନୂଆ ଆକର୍ଷଣ ଯୋଡ଼ାଯାଉଥିବାରୁ ଏହି ପର୍ଯ୍ୟଟନସ୍ଥଳୀ ରାତ୍ରିଯାପନ ପାଇଁ ଏକ ପ୍ରମୁଖ ପସନ୍ଦ ପାଲଟିଛି। ବିଶେଷକରି ୨୦ ଫୁଟ୍ ଉଚ୍ଚରେ ନିର୍ମିତ ୩୦୦ ଫୁଟ୍ ଲମ୍ବର ଝୁଲନ୍ତା ପୋଲ ଓ ଗଛ ଉପରେ ତିଆରି ଟ୍ରି ହାଉସ୍ ପର୍ଯ୍ୟଟକଙ୍କ ପାଇଁ ନୂଆ ଆକର୍ଷଣ ସୃଷ୍ଟି କରିଛି।

କେନ୍ଦୁଝର ବନଖଣ୍ଡ ଅଧୀନରେ ସାନଘାଗରା ନିକଟରେ ଥିବା ଏହି ପ୍ରକୃତି ନିବାସ ୨୦୧୭ ମସିହାରେ ଲୋକାର୍ପିତ ହୋଇଥିଲା। ଏହାପରଠାରୁ ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବନବିଭାଗ ବିଭିନ୍ନ ନୂତନ ବ୍ୟବସ୍ଥା ଯୋଡ଼ି ଚାଲିଛି। ପୂର୍ବରୁ ଏଠାରେ ପାଞ୍ଚଟି କଟେଜ୍ ଥିବାବେଳେ ପର୍ଯ୍ୟଟକଙ୍କ ବଢ଼ୁଥିବା ଚାହିଦାକୁ ଦୃଷ୍ଟିରେ ରଖି ଆଉ ତିନୋଟି ନୂଆ କଟେଜ୍ ନିର୍ମାଣ କରାଯାଇଛି। ଫଳରେ ଏଠାରେ ମୋଟ ଆଠଟି କଟେଜ୍ ସହ ଡର୍ମିଟୋରି, ରୋଷେଇ ଘର ଓ ଡ୍ରାଇଭରଙ୍କ ପାଇଁ ବିଶ୍ରାମଗୃହର ବ୍ୟବସ୍ଥା ରହିଛି। ପର୍ଯ୍ୟଟକଙ୍କ ଆଗ୍ରହ ବଢ଼ୁଥିବାରୁ ଆଗୁଆ ବୁକିଂ ନକଲେ ଏଠାରେ ରହିବା ପାଇଁ କଟେଜ୍ ମିଳିବା କଷ୍ଟକର ହେଉଛି।

ପ୍ରକୃତି ନିବାସର ନୂଆ ଆକର୍ଷଣ ହେଉଛି କାନୋପି ୱାକ୍ ବା ଝୁଲନ୍ତା ପୋଲ। ପ୍ରାୟ ୨୦ ଫୁଟ୍ ଉଚ୍ଚରେ ନିର୍ମିତ ଏହି ପୋଲର ଲମ୍ବ ପ୍ରାୟ ୩୦୦ ଫୁଟ୍। ପୋଲର ତଳଭାଗ କାଠ ପଟାରେ ତିଆରି ହୋଇଥିବାବେଳେ ଉଭୟ ପାର୍ଶ୍ୱରେ ସୁରକ୍ଷା ପାଇଁ ଜାଲ ଲଗାଯାଇଛି। ଶକ୍ତିଶାଳୀ ତାର ମାଧ୍ୟମରେ ଏହାକୁ ସୁରକ୍ଷିତ କରାଯାଇଛି। ଏହି ଝୁଲନ୍ତା ପୋଲ ଉପରେ ଚାଲିବା ସମୟରେ ଦୋଳି ଖେଳିବା ପରି ଅନୁଭୂତି ମିଳିବା ସହ ଚାରିପାଖର ପ୍ରାକୃତିକ ପରିବେଶକୁ ନିକଟରୁ ଉପଭୋଗ କରିବାର ସୁଯୋଗ ମିଳିବ।

ପୋଲ ଉପରେ ଚାଲିବା ସମୟରେ ଥକ୍କା ଅନୁଭବ କଲେ ପର୍ଯ୍ୟଟକମାନେ ବିଶ୍ରାମ ନେବା ପାଇଁ ଦୁଇଟି ବଡ଼ ଗଛ ଉପରେ ଟ୍ରି ହାଉସ୍ ନିର୍ମାଣ କରାଯାଇଛି। ପ୍ରକୃତିର କୋଳରେ ଗଛ ଉପରେ ବସି ବିଶ୍ରାମ ନେବାର ଏହି ବ୍ୟବସ୍ଥା ପର୍ଯ୍ୟଟକଙ୍କୁ ଏକ ଭିନ୍ନ ଅନୁଭୂତି ଦେଉଛି। କେନ୍ଦୁଝର ଡିଏଫ୍ଓ ଧନରାଜ ଏଚ୍ଡିଙ୍କ ଉଦ୍ୟମରେ ଏହି ନୂତନ ଆକର୍ଷଣଗୁଡ଼ିକର ବିକାଶ କରାଯାଇଛି। ଅନଲାଇନ୍ରେ ବୁକିଂ କରି ପ୍ରକୃତି ନିବାସରେ ରାତ୍ରିଯାପନ କରୁଥିବା ପର୍ଯ୍ୟଟକମାନେ ଏହି ସୁବିଧାର ଉପଯୋଗ କରିପାରୁଛନ୍ତି।

ଏଠାକାର କଟେଜ୍ଗୁଡ଼ିକୁ ଆଧୁନିକ ସୁବିଧା ସହ ଆଦିବାସୀ ସଂସ୍କୃତିର ଝଲକ ଦେଇ ସଜ୍ଜିତ କରାଯାଇଛି। ଶୀତତାପ ନିୟନ୍ତ୍ରିତ କଟେଜ୍ରେ ରହିବା ସହ ପର୍ଯ୍ୟଟକମାନେ ଜଙ୍ଗଲ ପରିବେଶର ଶାନ୍ତି ଓ ସୌନ୍ଦର୍ଯ୍ୟ ଉପଭୋଗ କରିପାରୁଛନ୍ତି। ପ୍ରତି କଟେଜ୍ରେ ଗୋଟିଏ ରାତି ରହିବା ପାଇଁ ୪,୫୦୦ ଟଙ୍କା ଦେୟ ରହିଥିବାବେଳେ ଅତ୍ୟାଧୁନିକ କଟେଜ୍ ପାଇଁ ୫,୨୦୦ ଟଙ୍କା ଦେବାକୁ ପଡ଼ୁଛି। ଏହି ଦେୟରେ ପର୍ଯ୍ୟଟକଙ୍କୁ ତିନିଥର ଖାଦ୍ୟ ଯୋଗାଇ ଦିଆଯାଉଛି। ଡ୍ରାଇଭରଙ୍କ ଖାଦ୍ୟ ପାଇଁ ୭୫୦ ଟଙ୍କା ଏବଂ ୪ରୁ ୧୮ ବର୍ଷ ବୟସର ପିଲାଙ୍କ ପାଇଁ ୧,୨୦୦ ଟଙ୍କା ଦେୟ ନିର୍ଦ୍ଧାରିତ ହୋଇଛି।

ପ୍ରକୃତି ନିବାସର ଆଉ ଏକ ଆକର୍ଷଣ ହେଉଛି ପାରମ୍ପରିକ ଦେଶୀ ଖାଦ୍ୟ। ସ୍ଥାନୀୟ ପଥୁରୀବାଡ଼ି ବନ ସୁରକ୍ଷା ସମିତି (ଭିଏସ୍ଏସ୍) ପକ୍ଷରୁ ଏଠାରେ ପର୍ଯ୍ୟଟକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରି ଯୋଗାଇ ଦିଆଯାଉଛି। ଏହାଦ୍ୱାରା ପର୍ଯ୍ୟଟକମାନେ ସ୍ଥାନୀୟ ଖାଦ୍ୟର ସ୍ୱାଦ ନେବା ସହ ଆଦିବାସୀ ଜୀବନଶୈଳୀ ଓ ସଂସ୍କୃତି ସହ ପରିଚିତ ହେବାର ସୁଯୋଗ ପାଉଛନ୍ତି।

ପର୍ଯ୍ୟଟକଙ୍କ ଆଗ୍ରହ ଅନୁଯାୟୀ ଦେୟ ପ୍ରଦାନ କରି ଆଦିବାସୀ ନୃତ୍ୟ ଉପଭୋଗ କରିବା ସହ ବନ୍ୟଜନ୍ତୁଙ୍କ ସମ୍ପର୍କିତ ଚଳଚ୍ଚିତ୍ର ଦେଖିବାର ମଧ୍ୟ ବ୍ୟବସ୍ଥା ରହିଛି। ଏହା କେବଳ ଏକ ରାତ୍ରିଯାପନ କେନ୍ଦ୍ର ନୁହେଁ, ବରଂ ପ୍ରକୃତି, ଜଙ୍ଗଲ ଓ ସ୍ଥାନୀୟ ସଂସ୍କୃତିକୁ ଏକାଠି ଅନୁଭବ କରିବାର ଏକ ସୁଯୋଗ ପାଲଟିଛି।

ପର୍ଯ୍ୟଟନ ସୁବିଧାକୁ ଆହୁରି ସୁଦୃଢ଼ କରିବା ପାଇଁ ବନବିଭାଗ ପକ୍ଷରୁ ଏକ ଅଭ୍ୟର୍ଥନା କେନ୍ଦ୍ର ଓ ଆଉ ଗୋଟିଏ ଡର୍ମିଟୋରି ନିର୍ମାଣ ପାଇଁ ସରକାରୀ ଅନୁଦାନ ଯୋଗାଇ ଦିଆଯାଇଥିବା ଜଣାପଡ଼ିଛି। ଏହି ନୂତନ ସୁବିଧାଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ପର୍ଯ୍ୟଟକଙ୍କ ରହଣି ଓ ଆତିଥ୍ୟ ବ୍ୟବସ୍ଥା ଆହୁରି ସୁବିଧାଜନକ ହେବ ବୋଲି ଆଶା କରାଯାଉଛି।

ଦେଶର ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକ କେନ୍ଦୁଝର ଆସୁଥିବାବେଳେ ବିଦେଶୀ ପର୍ଯ୍ୟଟକଙ୍କୁ ମଧ୍ୟ ଏହି ପ୍ରକୃତି ନିବାସ ଆକର୍ଷିତ କରୁଛି। ସାନଘାଗରା ଜଳପ୍ରପାତର ସୌନ୍ଦର୍ଯ୍ୟ ସହ ଜଙ୍ଗଲର ଶାନ୍ତ ପରିବେଶ, ଝୁଲନ୍ତା ପୋଲର ରୋମାଞ୍ଚ, ଟ୍ରି ହାଉସ୍ରେ ବିଶ୍ରାମ ଓ ଦେଶୀ ଖାଦ୍ୟର ସ୍ୱାଦ—ଏସବୁ ମିଶି ‘ପ୍ରକୃତି ନିବାସ’କୁ କେନ୍ଦୁଝରର ଏକ ଆକର୍ଷଣୀୟ ପର୍ଯ୍ୟଟନ କେନ୍ଦ୍ର ଭାବେ ପରିଚିତ କରାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button