ଓଡିଶା

ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନର ବ୍ୟାପକ ପ୍ରସ୍ତୁତି, ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ

ବ୍ରହ୍ମପୁର, ଅକ୍ଟୋବର ୨୮: ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନଜୀବନର ସୁରକ୍ଷା ଏବଂ ଶୂନ୍ୟ ମୃତାହତ ଲକ୍ଷ୍ୟ ନେଇ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ସମସ୍ତ ସରକାରୀ ବିଭାଗକୁ ହାଇଆଲର୍ଟରେ ରଖାଯାଇଥିବାବେଳେ ବାତ୍ୟା ପ୍ରଭାବିତ ଅଞ୍ଚଳରୁ ୬,୧୭୦ ଜଣଙ୍କୁ ସୁରକ୍ଷିତ ଭାବେ ୧୭୭ଟି ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରେ ୨,୪୧୫ ଜଣ ପୁରୁଷ, ୨,୪୨୮ ଜଣ ମହିଳା ଏବଂ ୧,୩୨୭ ଜଣ ଶିଶୁ ଅଛନ୍ତି। ଆଶ୍ରୟସ୍ଥଳୀଗୁଡ଼ିକରେ ମାଗଣା ରନ୍ଧାଖାଦ୍ୟ ଯୋଗାଣର ବ୍ୟବସ୍ଥା ହୋଇଛି। ଜିଲ୍ଲା ପ୍ରଶାସନର ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ଜିଲ୍ଲାରେ କୌଣସି ମଣିଷ କିମ୍ବା ପଶୁଙ୍କ ମୃତ୍ୟୁ ହୋଇନାହିଁ। ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ସମୁଦ୍ରକୁ ମାଛ ଧରିବା ପାଇଁ ଯିବା ଉପରେ କଟକଣା ଲଗାଯାଇଛି। ସମସ୍ତ ମତ୍ସ୍ୟଜୀବୀ ସୁରକ୍ଷିତ ଭାବେ ଫେରିଥିବାବେଳେ ଗୋପାଳପୁର ବନ୍ଦରରେ ୩୭ଟି ଟ୍ରଲର ଆଶ୍ରୟ ନେଇଛି। ଉପକୂଳ ଅଞ୍ଚଳରେ ତହସିଲଦାର, ମତ୍ସ୍ୟ ଅଧିକାରୀ ଓ ସାମୁଦ୍ରିକ ପୁଲିସ ପକ୍ଷରୁ ପାଟ୍ରୋଲିଂ ଜାରି ରହିଛି। ଅକ୍ଟୋବର ୨୮ ସୁଦ୍ଧା ଜିଲ୍ଲାର ସମସ୍ତ ଜଳଭଣ୍ଡାରର ଜଳସ୍ତର ବିପଦ ସଙ୍କେତ ତଳେ ରହିଥିବାବେଳେ ବାଘଲଟି ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୫୦୦ ଘନମିଟର ଜଳ ପ୍ରବେଶ କରୁଛି ଏବଂ ୨୦୦ ଘନମିଟର ଜଳ ନିଷ୍କାସିତ ହେଉଛି। ଏହାର ଜଳସ୍ତର ବୃଦ୍ଧି ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଛି। ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାରେ ତିନୋଟି ଓଡ୍ରାଫ୍ ଓ ଦୁଇଟି ଏନ୍ଡିଆର୍ଏଫ୍ ଟିମ୍ ମୁତୟନ କରାଯାଇଥିବାବେଳେ ୨୪ଟି ଅଗ୍ନିଶମ ୟୁନିଟ୍ ଏବଂ ଏସ୍ଆର୍ସିର ଚାରିଟି ମୋଟରଚାଳିତ ଡଙ୍ଗାକୁ ପ୍ରସ୍ତୁତ ରଖାଯାଇଛି। ସେହିପରି ଆସନ୍ତା ୧୫ ଦିନ ମଧ୍ୟରେ ପ୍ରସବ ତାରିଖ ଥିବା ୧,୨୬୨ ଜଣ ଗର୍ଭବତୀଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ୪୨୬ ଜଣଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବାବେଳେ ଏପର୍ଯ୍ୟନ୍ତ ୨୦୦ଟି ସୁରକ୍ଷିତ ପ୍ରସବ ହୋଇଛି। ପୋଲସରା ବ୍ଲକ୍ର ଗୋଛାବାଡ଼ି ପଞ୍ଚାୟତ ଅନ୍ତର୍ଗତ ପାଲାବା ଓ ଚଞ୍ଚେରା ଗ୍ରାମକୁ ପକ୍କା ରାସ୍ତା ନଥିବାରୁ ବିଡିଓ ଓ ତହସିଲଦାର ନିଜ ଟିମ୍ ସହ ପ୍ରାୟ ତିନି କିଲୋମିଟର ପାଦରେ ଚାଲି ଗ୍ରାମରେ ପହଞ୍ଚିଥିଲେ। ସେଠାରେ ଗ୍ରାମବାସୀଙ୍କୁ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ବଣ୍ଟନ କରିବା ସହ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ବ୍ୟବସ୍ଥା କରିଥିଲେ। ଜରୁରୀକାଳୀନ ସହାୟତା ପାଇଁ ଜିଲ୍ଲାସ୍ତରୀୟ ନିୟନ୍ତ୍ରଣ କକ୍ଷ ୨୪ ଘଣ୍ଟା କାର୍ଯ୍ୟ କରୁଥିବାବେଳେ ଜିଲ୍ଲା ଜରୁରୀକାଳୀନ ଅପରେସନ୍ କେନ୍ଦ୍ର ପକ୍ଷରୁ ୦୬୮୧୧-୨୬୩୯୭୮ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button