କେନ୍ଦୁଆ ପୋଲରେ ବଡ଼ ଗାତ, ଭୁଶୁଡ଼ିବା ଅବସ୍ଥାରେ ପିଲର! ଆମ୍ବୁଲାନ୍ସ ଯାତାୟାତ ନେଇ ଚିନ୍ତା

ରାଇରଙ୍ଗପୁର : ୨୯\୧୦\୨୬(ଶ୍ଯାମଳେନ୍ଦୁ ପରିଡା) ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ଅନ୍ତର୍ଗତ ମାଣିକପୁର ପଞ୍ଚାୟତର କେନ୍ଦୁଆ ଗ୍ରାମର ମୁଖ୍ୟ ରାସ୍ତାରେ ଥିବା ପୋଲର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ପୋଲ ଉପରେ ବଡ଼ ଗାତ ସୃଷ୍ଟି ହୋଇଥିବା ବେଳେ ପୋଲର ତଳ ପିଲର ମଧ୍ୟ ଆଂଶିକ ଭାବେ ଭାଙ୍ଗିଯାଇଥିବା ଜଣାପଡ଼ିଛି। ଗତକାଲିର ଲଗାଣ ବର୍ଷା ପରେ ପୋଲର ସ୍ଥିତିକୁ ନେଇ ଚିନ୍ତା ବଢ଼ିଛି।
ଏହି ପୋଲଟି କେନ୍ଦୁଆ ଗ୍ରାମବାସୀଙ୍କ ଯାତାୟାତର ଏକ ପ୍ରମୁଖ ମାଧ୍ୟମ। କିନ୍ତୁ ପୋଲ ଉପରେ ବଡ଼ ଗାତ ଓ ତଳ ପିଲର ଭାଙ୍ଗିଯାଇଥିବାରୁ ଲୋକମାନେ ଯାତାୟାତ ସମୟରେ ବିପଦର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ଜରୁରୀକାଳୀନ ସମୟରେ ଏହି ରାସ୍ତା ଦେଇ ଆମ୍ବୁଲାନ୍ସ ଯାତାୟାତ କରିବା ମଧ୍ୟ କଷ୍ଟକର ହୋଇପଡ଼ିବାର ଆଶଙ୍କା ରହିଛି।
ପୋଲର ଏପରି ଅବସ୍ଥା ଯୋଗୁଁ କୌଣସି ଅଘଟଣ ଘଟିବା ପୂର୍ବରୁ ସମ୍ପୃକ୍ତ ବିଭାଗ ଓ ପ୍ରଶାସନ ତୁରନ୍ତ ଏହାର ସ୍ଥିତି ଯାଞ୍ଚ କରିବା ସହ ଆବଶ୍ୟକ ମରାମତି କରିବାକୁ ଦାବି ହେଉଛି। ଗ୍ରାମବାସୀଙ୍କ ସୁରକ୍ଷିତ ଯାତାୟାତ ଏବଂ ଜରୁରୀକାଳୀନ ସେବା ସୁନିଶ୍ଚିତ କରିବା ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ।
ପ୍ରଶାସନ କେବେ ନେବ ପଦକ୍ଷେପ? କୌଣସି ଅଘଟଣ ପୂର୍ବରୁ ମରାମତି ହେବ ତ କେନ୍ଦୁଆ ପୋଲ?



