ଓଡିଶା

ଦାରିଙ୍ଗବାଡ଼ିରେ ଜାନୁଆରୀ ୯ରୁ ୧୧ ଯାଏଁ ଜମିବ ଶୀତ ମହୋତ୍ସବ–୨୦୨୭ର ଆସର

ବାଲିଗୁଡା,୨୮/୧୧:(ସଞ୍ଜୟ କୁମାର ପାଣିଗ୍ରାହୀ): ଓଡ଼ିଶାର କାଶ୍ମୀର ଭାବେ ସୁପରିଚିତ କନ୍ଧମାଳ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଦାରିଙ୍ଗବାଡ଼ିରେ ପୁଣି ଜମିବ ଶୀତ ମହୋତ୍ସବର ଆସର। ଶୀତର ମଜା ସାଙ୍ଗକୁ ସ୍ଥାନୀୟ କଳା, ସଂସ୍କୃତି, ପରମ୍ପରା ଓ ପର୍ଯ୍ୟଟନର ଆକର୍ଷଣକୁ ନେଇ ଆୟୋଜିତ ହେବାକୁ ଥିବା ଶୀତ ମହୋତ୍ସବ–୨୦୨୭ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ମହୋତ୍ସବ ଆୟୋଜନର ତାରିଖ ଧାର୍ଯ୍ୟ କରାଯାଇଛି। ଆସନ୍ତା ୨୦୨୭ ଜାନୁଆରୀ ୯, ୧୦ ଓ ୧୧ ତାରିଖ ତିନିଦିନ ଧରି ଏହି ମହୋତ୍ସବ ପାଳନ କରାଯିବ। ବୈଠକରେ ପଞ୍ଚାୟତ ସମିତି ଅଧ୍ୟକ୍ଷ, ବିଡିଓ, ପୁଲିସ ପ୍ରଶାସନର ଅଧିକାରୀ, ଭାଜପା ମଣ୍ଡଳ ସଭାପତିଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ସାମ୍ବାଦିକ ଓ ସମାଜସେବୀ ଯୋଗଦେଇଥିଲେ। ମହୋତ୍ସବକୁ କିପରି ଶୃଙ୍ଖଳିତ, ଆକର୍ଷଣୀୟ ଓ ସଫଳତାର ସହ ଆୟୋଜନ କରାଯାଇପାରିବ, ସେନେଇ ବିଭିନ୍ନ ପ୍ରସ୍ତାବ ଓ ମତାମତ ଉପସ୍ଥାପନ କରାଯାଇଥିଲା। ବିଶେଷକରି ଦାରିଙ୍ଗବାଡ଼ିର ପ୍ରାକୃତିକ ସୌନ୍ଦର୍ଯ୍ୟ, ଶୀତର ଅନୁଭୂତି, ପର୍ଯ୍ୟଟନ ସମ୍ଭାବନା ଏବଂ କନ୍ଧମାଳର ସମୃଦ୍ଧ କଳା ଓ ସଂସ୍କୃତିକୁ ରାଜ୍ୟସ୍ତରରେ ଅଧିକ ପରିଚିତ କରାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହା ସହିତ ମହୋତ୍ସବ ମାଧ୍ୟମରେ ସ୍ଥାନୀୟ କଳାକାର, କାରିଗର, ବ୍ୟବସାୟୀ ଓ ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ସୁଯୋଗ ଦେବା ସହ ପର୍ଯ୍ୟଟନ କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି କରିବା ଦିଗରେ ମଧ୍ୟ ଆଲୋଚନା ହୋଇଥିବା ଜଣାପଡ଼ିଛି। ଆଗାମୀ ଦିନରେ ମହୋତ୍ସବର କାର୍ଯ୍ୟସୂଚୀ, ସାଂସ୍କୃତିକ କାର୍ଯ୍ୟକ୍ରମ, ଅତିଥି ନିମନ୍ତ୍ରଣ, ମଞ୍ଚ ପରିଚାଳନା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ନେଇ ପର୍ଯ୍ୟାୟକ୍ରମେ ଆଲୋଚନା କରାଯିବ। ତିନିଦିନିଆ ଏହି ମହୋତ୍ସବକୁ ନେଇ ଦାରିଙ୍ଗବାଡ଼ିବାସୀଙ୍କ ସମେତ ପର୍ଯ୍ୟଟନ ପ୍ରେମୀଙ୍କ ମଧ୍ୟରେ ଏବେଠାରୁ ଉତ୍ସାହ ଓ ଆଗ୍ରହ ପ୍ରକାଶ ପାଇଛି। ଏହି ମହୋତ୍ସବ ଦାରିଙ୍ଗବାଡ଼ିର ପର୍ଯ୍ୟଟନ ପରିଚୟକୁ ଆହୁରି ସୁଦୃଢ଼ କରିବା ସହ କନ୍ଧମାଳର ସାଂସ୍କୃତିକ ଐତିହ୍ୟକୁ ନୂଆ ପରିଚୟ ଦେବ ବୋଲି ଆଶା କରାଯାଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button