ଆମ୍ ଆଦମୀ ପାର୍ଟିର ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର ( ଦେବାଶିଷ ଦାଶ ) ଆମ୍ ଆଦମୀ ପାର୍ଟିର ପ୍ରତିଷ୍ଠା ଦିବସ ଅବସରରେ ଆଜି ଭୁବନେଶ୍ୱରସ୍ଥିତ ଦଳର ରାଜ୍ୟ କାର୍ଯ୍ୟାଳୟରେ ଏକ ଉତ୍ସବ ଓ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି। ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର ମୂଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
କାର୍ଯ୍ଯକ୍ରମ ପ୍ରାରମ୍ଭରେ ରାଜ୍ୟ ସଭାପତି ଓ ଉପସ୍ଥିତ ନେତୃବୃନ୍ଦ ସମ୍ୱିଧାନ ପ୍ରଣେତା ବାବା ସାହେବ୍ ଆମ୍ବେଦକରଙ୍କ ଫଟୋ ଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ କରିଥଲେ। ଏହି ଅବସରରେ ” ବର୍ତ୍ତମାନ ସମୟରେ ଆମ୍ ଆଦମୀ ପାର୍ଟିର ଆବଶ୍ୟକତା” ଶୀର୍ଷକ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଉପସ୍ଥିତ ନେତୃବୃନ୍ଦ ସେମାନଙ୍କର ସାରଗର୍ଭକ ଅଭିଭାଷଣ ପ୍ରଦାନ କରିବା ସହ ଆଗାମୀ ଦିନରେ ସମ୍ୱିଧାନର ଅଧିକାରରୁ କେହି ବଞ୍ଚିତ ନ ରହିବାର ସଙ୍କଳ୍ପ ନେଇଥିଲେ।
ବୈଠକରେ ଓଡ଼ିଶାରେ ଆମ୍ ଆଦମୀ ପାର୍ଟିର ଆଗାମୀ ରାଜନୈତିକ ଓ ସାଂଗଠନିକ ରଣନୀତି, ଦଳର କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଏବଂ ସାଧାରଣ ଲୋକଙ୍କ ଆସ୍ଥା ଓ ବିଶ୍ୱାସଭାଜନ ହେବାର ବିଭିନ୍ନ ଦିଗ ଉପରେ ଗଭୀର ଆଲୋଚନା ହୋଇଥିଲା।
ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର ଦେଶର ରାଜନୈତିକ ପରିସ୍ଥିତିରେ ଆମ୍ ଆଦମୀ ପାର୍ଟିର ଆବଶ୍ୟକତା, ଦଳର ମୂଳ ଆଦର୍ଶ, ସ୍ୱଚ୍ଛ ରାଜନୀତି, ଉତ୍ତମ ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ସାଧାରଣ ଜନତାଙ୍କ ମୌଳିକ ସମସ୍ୟାକୁ ନେଇ ଦଳ କିପରି ଅଧିକ ସକ୍ରିୟ ଭୂମିକା ଗ୍ରହଣ ପକରିପାରିବ, ସେ ସମ୍ପର୍କରେ ଆଲୋକପାତ କରିଥିଲେ।
ଏହି ଅବସରରେ ରାଜ୍ୟ ସଂଗଠନ ସମ୍ପାଦକ ଶ୍ରୀ ସନ୍ଦୀପ୍ତ ଦାସ, ଶ୍ରୀ ଶ୍ରୀକାନ୍ତ ପାଣି, ଶ୍ରୀ ସିଦ୍ଧାର୍ଥ ପରିଡ଼ା, ଶ୍ରୀ ଲଲିତ ଅଧିକାରୀ,ଶ୍ରୀ ଜିତେନ୍ଦ୍ର ପଟ୍ଟନାୟକ, ଶ୍ରୀ ଶୁଭାଶିଷ ସ୍ବାଇଁ, ଶ୍ରୀ ଜୟସୂର୍ଯ୍ୟ କାନୁନଗୋ, ଶ୍ରୀ ଶୈଳେନ୍ଦ୍ର ସ୍ୱାଇଁ, ଶ୍ରୀ ଜୟରାମ ମଲ୍ଲିକ୍, ଶ୍ରୀ ଲଲାଟ କିଶୋର ଜେନା, ଶ୍ରୀ ବିଭୂତି ଷଡ଼ଙ୍ଗୀ, ଶ୍ରୀମତୀ ଜ୍ୟୋତିର୍ମୟୀ ନାୟକ, ଶ୍ରୀମତୀ ଅଞ୍ଜଳି ନାଥ, ଶ୍ରୀ ସୁପ୍ରାଜ୍ ଦିଗଲ, ଶ୍ରୀ ଜିପ୍ରାସ ଦିଗଲଙ୍କ ସମେତ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ। ଶେଷରେ ଉପସ୍ଥିତ ସମସ୍ତ ନେତା ଓ କର୍ମକର୍ତ୍ତା ଓଡ଼ିଶାରେ ଦଳର ସଂଗଠନକୁ ଅଧିକ ମଜବୁତ କରିବା, ଜନସାଧାରଣଙ୍କ ସମସ୍ୟାରେ ସାମିଲ ହେବା ଏବଂ ଦଳର ନୀତି ଓ ଆଦର୍ଶକୁ ଘରେ ଘରେ ପହଞ୍ଚାଇବା ପାଇଁ ଏକଜୁଟ ହୋଇ କାର୍ଯ୍ୟ କରିବାର ସଂକଳ୍ପ ଗ୍ରହଣ କରିଥିଲେ।



