ଓଡିଶା

ଅଙ୍ଗନୱାଡ଼ି କର୍ମୀଙ୍କ ଦରମା ବୃଦ୍ଧି ନିଷ୍ପତି ଶିଶୁ ବିକାଶ ଓ ମହିଳା ସଶକ୍ତିକରଣ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ: ସ୍ମୃତି ପଟ୍ଟନାୟକ

ବିଜେପି ସରକାର ସବୁବେଳେ ମହିଳା ସଶକ୍ତୀକରଣ, ଶିଶୁ ଅପପୃଷ୍ଟି ରୋକିବା ଓ ଭବିଷ୍ୟତର ସୁନାଗରିକ ଗଠନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ

ଭୁବନେଶ୍ୱର ( ଦେବାଶିଷ ଦାଶ ) ରାଜ୍ୟ ହେଉ ବା କେନ୍ଦ୍ର ହେଉ ଯେତେବେଳେ ଭାରତୀୟ ଜନତା ପାର୍ଟି କ୍ଷମତାସୀନ ହୋଇଛି ସେତେବେଳେ ମହିଳାଙ୍କୁ ସଶକ୍ତ କରିବା, ସ୍ୱାବଲମ୍ବୀ କରାଇବା ସହ ଶିଶୁଙ୍କୁ ମଧ୍ୟ ଉନ୍ନତ ଜୀବନ ଯାପନ କରାଇବା ପାଇଁ ଅନେକ ପଦକ୍ଷେପ ନେଇଆସିଛି। ବିଜେପି ସରକାର ସବୁବେଳେ ମହିଳା ସଶକ୍ତୀକରଣ, ଶିଶୁ ଅପପୃଷ୍ଟି ରୋକିବା ଓ ଭବିଷ୍ୟତର ସୁନାଗରିକ ଗଠନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ଏହି ପରିପ୍ରେକ୍ଷୀରେ ରାଜ୍ୟର ୭୫,୦୦୦ରୁ ଊର୍ଦ୍ଧ୍ୱ ଅଙ୍ଗନୱାଡ଼ି କେନ୍ଦ୍ରରେ କାର୍ଯ୍ୟରତ ପ୍ରାୟ ଦେଢ଼ ଲକ୍ଷ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାଙ୍କ ଦୀର୍ଘଦିନର ଦାବି ପୂରଣ କରିଛି। ଏହା ଆଗାମୀ ଦିନରେ ଶିଶୁ ବିକାଶ ଓ ମହିଳା ସଶକ୍ତିକରଣ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ସେଥିପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କୁ ରାଜ୍ୟ ସମ୍ପାଦିକା ଶ୍ରୀମତୀ ସ୍ମୃତି ପଟ୍ଟନାୟକ ଧନ୍ୟବାଦ ଜଣାଇଛନ୍ତି।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ଯେ, ଗତକାଲି ବିଧାନସଭା ଶୀତକାଳୀନ ଅଧିବେଶନରେ ରାଜ୍ୟ ସରକାର ଅଙ୍ଗନୱାଡ଼ି କର୍ମୀମାନଙ୍କ ମାସିକ ଦରମା ୧୦,୦୦୦ ଟଙ୍କାରୁ ୧୨,୦୦୦ ଟଙ୍କାକୁ ଏବଂ ସହାୟିକାମାନଙ୍କ ଦରମା ୫,୦୦୦ ଟଙ୍କାରୁ ୬,୦୦୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ତଥା ବିଭାଗୀୟ ମନ୍ତ୍ରୀ ଶ୍ରୀମତୀ ପରିଡ଼ା ଘୋଷଣା କରିଛନ୍ତି। ତତ୍କାଳୀନ ବିଜେଡି ସରକାର ସମୟରେ ଅଙ୍ଗନୱାଡ଼ି କର୍ମୀଙ୍କୁ ଅବସରକାଳୀନ ସହାୟତା ବାବଦକୁ ମାତ୍ର ୧ ଲକ୍ଷ ଟଙ୍କା ମିଳୁଥିବା ବେଳେ, ବର୍ତମାନର ଡବଲ ଇଞ୍ଜିନ୍ ସରକାର ଏହାକୁ ତିନିଗୁଣା ବୃଦ୍ଧି କରି ୩ ଲକ୍ଷ ଟଙ୍କା କରିଛନ୍ତି। କାର୍ଯ୍ୟରତ ଅବସ୍ଥାରେ କୌଣସି ଅଙ୍ଗନୱାଡି କର୍ମୀଙ୍କ ମୃତ୍ୟୁ ଘଟିଲେ ମିଳୁଥିବା ଅନୁକମ୍ପାମୂଳକ ସହାୟତା ରାଶିକୁ ୨ ଲକ୍ଷ ଟଙ୍କାରୁ ବୃଦ୍ଧି କରି ୪ ଲକ୍ଷ ଟଙ୍କା କରାଯାଇଛି।

ସେହିପରି ରାଜ୍ୟରୁ ଶିଶୁ ଅପପୁଷ୍ଟି ଏବଂ ଶିଶୁ ମୃତ୍ୟୁହାର ହ୍ରାସ କରିବା ଓ ୨୦୪୭ ବିକଶିତ ଭାରତ ଗଠନ ପାଇଁ ଭବିଷ୍ୟତର ସୁନାଗରିକ ଗଢ଼ିତୋଳିବା ଲକ୍ଷ୍ୟରେ ରାଜ୍ୟ ସରକାର ୬୩୫ କୋଟି ଟଙ୍କାର ‘ସମୃଦ୍ଧ ଅଙ୍ଗନୱାଡ଼ି ଯୋଜନା’ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଅଙ୍ଗନୱାଡ଼ି କେନ୍ଦ୍ରର ଉନ୍ନତିକରଣ ନିମନ୍ତେ ୨୦୨୬-୨୭ ଆର୍ଥିକ ବର୍ଷରେ ଅନେକ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ଏପ୍ରିଲ ୨୦୨୬ରେ ୧,୮୮୯ଟି ନୂତନ ଅଙ୍ଗନୱାଡ଼ି କେନ୍ଦ୍ର ଉଦ୍‌ଘାଟନ କରାଯାଇଛି। ୧୨,୪୮୧ଟି କେନ୍ଦ୍ରରେ ପାନୀୟଜଳ ଯୋଗାଣ ବ୍ୟବସ୍ଥା ଏବଂ ୫,୦୭୮ଟି କେନ୍ଦ୍ରରେ ଶୌଚାଳୟ ନିର୍ମାଣ କରାଯିବ। ୭,୦୫୦ଟି ଅଙ୍ଗନୱାଡ଼ି କେନ୍ଦ୍ରକୁ ପୂର୍ଣ୍ଣାଙ୍ଗ କେନ୍ଦ୍ରରେ ପରିଣତ କରାଯିବ। ୨,୮୨୭ଟି କେନ୍ଦ୍ରରେ ରୋଷେଇ ଘର ଏବଂ ୩,୦୦୦ଟି କେନ୍ଦ୍ରରେ ପାଚେରି ନିର୍ମାଣ କରାଯିବା ପାଇଁ ବ୍ୟୟବରାଦ କରାଯାଇଛି ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି।

ଅଙ୍ଗନୱାଡି ଦିଦିମାନଙ୍କ ଦରମା ୧୯୭୫ ମସିହାରୁ ଦୀର୍ଘ ୨୯ ବର୍ଷ ଧରି ୧୨୫ ଟଙ୍କାରୁ ବୃଦ୍ଧି ପାଇ ମାତ୍ର ୫୦୦ ଟଙ୍କା ପର୍ଯ୍ୟନ୍ତ ହୋଇଥିଲା। ୨୦୦୨ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ସରକାର ଆସିବା ଅଙ୍ଗନୱାଡ଼ି କର୍ମୀଙ୍କ ଦରମା ୫୦୦ ଟଙ୍କାରୁ ଏକକାଳୀନ ୧,୦୦୦ ଟଙ୍କାକୁ ବୃଦ୍ଧି ପାଇଥିଲା। ଏଥିସହ ୧୦,୦୦୦ ଟଙ୍କାର ବକେୟା ପ୍ରଦାନ, ଉତମ କାମ ପାଇଁ ଜାତୀୟସ୍ତରରେ ପୁରସ୍କାର ସହ ୨୫,୦୦୦ ଟଙ୍କାର ପ୍ରୋତ୍ସାହନ ରାଶି ଏବଂ ପ୍ରାଦେଶିକସ୍ତରରେ ରାଜ୍ୟସ୍ତରର ପୁରସ୍କାର ସହ ୫୦୦୦ ଟଙ୍କାର ପ୍ରୋତ୍ସାହନ ରାଶି ଏବଂ ଯୋଗ୍ୟ ଅଙ୍ଗନୱାଡି କର୍ମୀମାନଙ୍କୁ ଆଇସିଡିଏସ୍ ସୁପରଭାଇଜରରୁ ସିଡିପିଓ ପର୍ଯ୍ୟନ୍ତ ପଦୋନ୍ନତିର ପଥ ପରିଷ୍କାର କରାଯାଇଥିଲା ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି।

୨୦୧୮ ମସିହାରେ ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଅଙ୍ଗନୱାଡି କର୍ମୀ ଓ ଆଶା କର୍ମୀଙ୍କ ପାଇଁ ଏକ ଐତିହାସିକ ପଦକ୍ଷେପସ୍ୱରୂପ ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ୫ଲକ୍ଷ ଟଙ୍କାର ଦୁର୍ଘଟଣାଜନିତ ବୀମାର ପ୍ରଚଳନ କରିବା ସହ ଅଙ୍ଗନୱାଡି କର୍ମୀ ଓ ସହାୟିକାମାନଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରାଯାଇଥିଲା। ମାସିକ ଦରମାରେ ୧୫୦୦ ଟଙ୍କା ବୃଦ୍ଧି କରାଯାଇଥିଲା। ଏଥିସହ ଉତମ କାମ କରୁଥିବା କର୍ମୀଙ୍କ ପାଇଁ ପ୍ରୋତ୍ସାହନ ରାଶି ୨୫୦ ଟଙ୍କାରୁ ୫୦୦ଟଙ୍କାକୁ ବୃଦ୍ଧି କରାଯାଇଥିଲା। କୋଭିଡ୍ ମହାମାରୀ ସମୟରେ କାର୍ଯ୍ୟ କ୍ଷେତ୍ରରେ ଅଙ୍ଗନୱାଡି କର୍ମୀଙ୍କ ମୃତ୍ୟୁ ହେଲେ ତାଙ୍କୁ କୋଭିଡ୍ ଯୋଦ୍ଧାର ମର୍ଯ୍ୟାଦା ଦେଇ ୫୦ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରିଥିଲେ। ଜାତୀୟ ଶିକ୍ଷା ନୀତି ୨୦୨୦ ଆଧାରରେ ଅଙ୍ଗନୱାଡି କର୍ମୀଙ୍କ ଯୋଗ୍ୟତା ଦଶମରୁ ଦ୍ୱାଦଶକୁ ବୃଦ୍ଧି କରିଥିଲେ। ସେମାନଙ୍କୁ କମ୍ପ୍ୟୁଟର ଏବଂ ଅନ୍ୟାନ୍ୟ ଆଧୁନିକ ଯୋଗାଯୋଗ ମାଧ୍ୟମ ସହ ପରିଚିତ କରାଇବା ସହ ଟ୍ରେନିଂର ବ୍ୟବସ୍ଥା କରିଛନ୍ତି ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି। ମାତ୍ର ତତ୍କାଳୀନ ବିଜେଡି ସରକାର ସମୟରେ ଅଙ୍ଗନୱାଡ଼ି ଦିଦିମାନେ ଦୀର୍ଘ ଦିନ ଧରି ଉପେକ୍ଷିତ ହୋଇ ରହିଥିଲେ। କିନ୍ତୁ ବିଜେପି ସରକାର ‘ସଙ୍କଳ୍ପ ପତ୍ର’ରେ ଦେଇଥିବା ପ୍ରତ୍ୟେକ ପ୍ରତିଶ୍ରୁତିକୁ ପୂରଣ କରିଛି ଏବଂ ଅଙ୍ଗନୱାଡି କର୍ମୀଙ୍କ ପାଇଁ ଐତିହାସିକ ନିଷ୍ପତି ନେଇଛି। ଏହାପରେ ସେମାନେ ଖୁସିରେ ନିଜ କର୍ମସ୍ଥଳକୁ ଫେରିଥିବାବେଳେ ଆଜିଠାରୁ ରାଜ୍ୟର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର ସ୍ୱାଭାବିକ ଭାବେ ଖୋଲିଛି ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଡା. ଐଶ୍ୱର୍ଯ୍ୟା ବିଶ୍ୱାଳ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶ୍ରୀମତୀ ପ୍ରତ୍ୟୁଷା ରାଜେଶ୍ୱରୀ ଦେବୀ ପ୍ରମୁଖ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button