ଓଡିଶା

ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା, ଜଣେ ମୃତ; ଦୁଇ ଗୁରୁତର

ପାତ୍ରପୁର, ୨୭/୧୧ (ବିନାୟକ ନିୟୁଜ୍): ପାତ୍ରପୁର-ଖାରିଆଗୁଡ଼ା-ସୁରଙ୍ଗୀ ରାସ୍ତାର ଶ୍ରୀରାମପୁର ଗ୍ରାମ ତେନ୍ତୁଳି ଧାଡ଼ି ନିକଟରେ ଗୁରୁବାର ଏକ ବାଇକ୍‌ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ପାତ୍ରପୁର ବ୍ଲକ ସାହସପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ମହାରଣାଙ୍କ ପୁଅ ରବୀନ୍ଦ୍ର ମହାରଣା (୫୭) ବୋଲି ଜଣାପଡ଼ିଛି।

ଦୁର୍ଘଟଣାରେ ଆହତ ଦୁଇଜଣ ହେଲେ ଏସ୍‌. ନୂଆଗାଁର ଦଣ୍ଡାସୀ ସାହୁଙ୍କ ପୁଅ ପନ୍ଦରା ସାହୁ (୫୫) ଏବଂ କନିରିଡ଼ା ଗ୍ରାମର ଅଭି ନାଇକଙ୍କ ପୁଅ ସନ୍ତୋଷ ନାଇକ (୨୪)। ପନ୍ଦରାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବା ଜଣାପଡ଼ିଛି।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ। ଆମ୍ବୁଲାନ୍ସ ପହଞ୍ଚି ସମସ୍ତଙ୍କୁ ଡାକ୍ତରଖାନା ନେଇଥିଲା। ସେଠାରେ ଡାକ୍ତର ରବୀନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଦୁଇ ଗୁରୁତରଙ୍କୁ ଉନ୍ନତ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।

ଖବର ପାଇ ଜରଡ଼ା ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଅନ୍ୟପକ୍ଷରେ ଦୁର୍ଘଟଣା ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ଅଞ୍ଚଳର ବହୁ ଲୋକଙ୍କ ଭିଡ଼ ଜମିଥିଲା। ଫଳରେ କିଛି ସମୟ ପାଇଁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

ରବୀନ୍ଦ୍ରଙ୍କ ଅକାଳ ବିୟୋଗରେ ତାଙ୍କ ନିଜ ଗ୍ରାମ ସାହସପୁରରେ ଶୋକର ଛାୟା ଖେଳିଯାଇଛି। ସେ ଗ୍ରାମର ଜଣେ ମେଳାପୀ ଓ ସହଯୋଗୀ ବ୍ୟକ୍ତି ଭାବେ ପରିଚିତ ଥିଲେ। ଗ୍ରାମର ବିଭିନ୍ନ କାର୍ଯ୍ୟରେ ସେ ସକ୍ରିୟ ସହଯୋଗ କରୁଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button