ଓଡିଶା

୫୩ ନଂ ଜାତୀୟ ରାଜପଥରେ ଡକାୟତି ଯୋଜନା ପଣ୍ଡ: ମାରଣାସ୍ତ୍ର ଓ ବାଇକ୍ ସହ ୩ ଗିରଫ, ୨ ଫେରାର

 

ରେଙ୍ଗାଲିକ୍ୟାମ୍ପ,: ଅତାବିରା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥରେ ଏକ ବଡ଼ ଧରଣର ଡକାୟତି ଯୋଜନାକୁ ପଣ୍ଡ କରିବାରେ ପୋଲିସ ସଫଳ ହୋଇଛି। ଘଟଣାସ୍ଥଳରୁ ମାରଣାସ୍ତ୍ର ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ୨ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ପାଟ୍ରୋଲିଂ ଚାଲିଥିବା ସମୟରେ ଏ ଏସ ଆଇ ସମରୁ ନାଗ ଏବଂ ସହଯୋଗୀ ପୋଲିସ କର୍ମଚାରୀମାନେ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ ଯେ, ୫୩ ନମ୍ବର ଜାତୀୟ ରାଜପଥ ସ୍ଥିତ ରାଜସ୍ଥାନୀ ଢାବା ନିକଟରେ କିଛି ଅସାମାଜିକ ବ୍ୟକ୍ତି ଡକାୟତି କରିବା ଉଦ୍ଦେଶ୍ୟରେ ଏକତ୍ରିତ ହୋଇଛନ୍ତି। ଖବର ପାଇ ପୋଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ଦୁଇଜଣ ଅନ୍ଧାରର ସୁଯୋଗ ନେଇ ଚମ୍ପଟ ମାରିଥିବା ବେଳେ ୩ ଜଣଙ୍କୁ ପୋଲିସ କାବୁ କରିବାରେ ସକ୍ଷମ ହୋଇଥିଲା।

ଗିରଫ ଅଭିଯୁକ୍ତମାନେ ହେଲେ ବରଗଡ଼ ସହର ଖଜୁରଟିକ୍ରା (ୱାର୍ଡ ନଂ-୮)ର ସୁରଜ ଦତ୍ତା ଓରଫ୍ ଖୁଲୁ, ତଳିପଡ଼ା (ୱାର୍ଡ ନଂ-୨)ର ଅଙ୍କିତ ମାଝୀ ଏବଂ ଖଜୁରଟିକ୍ରାର ସାହିଲ ପ୍ରଧାନ ଓରଫ୍ ଜିତ୍। ପୋଲିସ ସୂଚନା ମୁତାବକ, ସୁରଜ ଦତ୍ତା ଏବଂ ସାହିଲ ପ୍ରଧାନ ପୂର୍ବରୁ ଅନେକ ଅପରାଧିକ ମାମଲାରେ ସଂପୃକ୍ତ ଥିବା ସହ ଅଭ୍ୟାସଗତ ଅପରାଧୀ ଅଟନ୍ତି।

ଅଭିଯୁକ୍ତମାନଙ୍କ ନିକଟରୁ ୨ଟି ଖଣ୍ଡା, ୨ଟି ଛୁରୀ, ୩ଟି ଲୁହା ରଡ୍ ଏବଂ ଅପରାଧରେ ବ୍ୟବହୃତ ଦୁଇଟି ମୋଟରସାଇକେଲ ନଂ ଓଡ଼ି ୧୭ ଏ ଏଚ୍ ୨୫୭୭ ଓ ଓଡ଼ି ୧୭ ଏ ଇ ୨୫୨୦ ଜବତ କରାଯାଇଛି।ଏହି ଘଟଣାରେ ଅତାବିରା ଥାନା ପକ୍ଷରୁ ମାମଲା ରୁଜୁ କରାଯାଇ ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଫେରାର ଥିବା ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button