ରେମୁଣା ପୁଲିସକୁ ଚୋରଙ୍କ ଚ୍ୟାଲେଞ୍ଜ ? ପ୍ରଥମ ଚୋରିର ରହସ୍ୟ ଫିଟିନି, ପୁଣି ଗୌଡୀୟ ମଠରୁ ଠାକୁରଙ୍କ ଗହଣା ଚୋରି
ଅସୁରକ୍ଷିତ ଧାର୍ମିକ ଅନୁଷ୍ଠାନ, ଦୁଇ ସପ୍ତାହରେ ଦୁଇ ଥର ଚୋରି

ବାଲେଶ୍ବର ( ଦେବାଶିଷ ଦାଶ ) ବାଲେଶ୍ବର ଜିଲ୍ଲା ରେମୁଣା ଥାନା ଅନ୍ତର୍ଗତ ରୁଦ୍ରପୁରସ୍ଥିତ ଶ୍ରୀ ମାଧବେନ୍ଦ୍ର ଗୌଡ଼ୀୟ ମଠ ପୁଣି ଚୋରଙ୍କ ଟାର୍ଗେଟରେ। ମାତ୍ର ଦୁଇ ସପ୍ତାହ ମଧ୍ୟରେ ଦୁଇଥର ମଠରେ ଚୋରି ହୋଇଥିବା ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚା ଓ ଉଦ୍ବେଗର କାରଣ ପାଲଟିଛି। ରାତି ୧୨ଟା ପରେ ଅର୍ଥାତ୍ ଭୋର ୨ଟାରୁ ୩ଟା ମଧ୍ୟରେ ତିନିଜଣ ମୁହଁଘୋଡ଼ା ଦୁର୍ବୃତ୍ତ ମଠରେ ପଶି ପ୍ରାୟ ଏକ ଘଣ୍ଟା ଧରି ଚୋରି କରିଥିଲେ। ଠାକୁରଙ୍କ ପ୍ରାୟ ୪୦ ହଜାର ଟଙ୍କା ମୂଲ୍ୟର ପାଉଁଜି ନେଇଯାଇଥିବା ବେଳେ କିଛି ସୁନା ଗହଣା ଚୋରଙ୍କ କବଳରୁ ବର୍ତ୍ତିଯାଇଛି। ସୂଚନା ଅନୁଯାୟୀ, ତିନିଜଣ ଦୁର୍ବୃତ୍ତ ମୁହଁ ଘୋଡ଼ାଇ ମଠରେ ପ୍ରବେଶ କରିବା ପରେ କବାଟର ତାଲା ଭାଙ୍ଗି ଦୀର୍ଘ ସମୟ ଧରି ଖୋଜାଖୋଜି କରିଥିଲେ। ପ୍ରାୟ ଏକ ଘଣ୍ଟା ଧରି ମଠ ଭିତରେ ରହି ଠାକୁରଙ୍କ ପାଉଁଜି ଚୋରି କରି ନେଇଥିଲେ। ତେବେ କିଛି ସୁନା ଗହଣା ସେମାନଙ୍କ ହାତରେ ନଲାଗିବାରୁ ତାହା ସୁରକ୍ଷିତ ରହିଯାଇଛି।
ଉଲ୍ଲେଖଯୋଗ୍ୟ, ଗତ ୨୬ ଅକ୍ଟୋବର ରାତିରେ ମଧ୍ୟ ଏହି ମଠରେ ଚୋରି ହୋଇଥିଲା। ସେତେବେଳେ ଦୁଇଜଣ ମୁହଁଘୋଡ଼ା ଦୁର୍ବୃତ୍ତ ମଠରେ ପଶି ତାଲା ଭାଙ୍ଗି ଚୋରି କରିଥିଲେ। ଉଭୟ ଘଟଣାର ସେମାନଙ୍କ ଗତିବିଧି ସିସିଟିଭି କ୍ୟାମେରାରେ କଏଦ ହୋଇଛି। ମଠର ଅଧ୍ୟକ୍ଷ ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ହେଲେ ପୂର୍ବ ଚୋରି ଘଟଣାର ତଦନ୍ତ ଓ ଅଭିଯୁକ୍ତଙ୍କ ଚିହ୍ନଟ ନେଇ ସ୍ପଷ୍ଟ ଅଗ୍ରଗତି ଜଣାପଡ଼ିନଥିବା ବେଳେ ପୁଣିଥରେ ଚୋରି ହେବା ପୁଲିସର କାର୍ଯ୍ୟପ୍ରଣାଳୀକୁ ନେଇ ପ୍ରଶ୍ନ ଉଠାଇଛି।
ଅଭିଯୋଗ ଅନୁଯାୟୀ, ଦ୍ୱିତୀୟ ଘଟଣାରେ ମଧ୍ୟ ପୁଲିସ ପକ୍ଷରୁ ଘଟଣାସ୍ଥଳରେ କୌଣସି ବୈଜ୍ଞାନିକ ଅନୁସନ୍ଧାନ କରାଯାଇନାହିଁ। ଚୋରଙ୍କୁ ଚିହ୍ନଟ କରିବା ଓ ଧରିବା ଦିଗରେ ତଦନ୍ତ ଆଗକୁ ବଢ଼ିବା ପରିବର୍ତ୍ତେ ଅଭିଯୋଗକାରୀଙ୍କୁ କାହା ଉପରେ ସନ୍ଦେହ ରହିଛି ବୋଲି ପଚରାଯାଉଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏହା ସ୍ଥାନୀୟ ଲୋକଙ୍କୁ ଉତ୍ତେଜିତ କରିଥିବା ବେଳେ ପୁଲିସର ପାରିବାପଣିଆକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି।
ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଏହି ମଠକୁ ଚୋରମାନେ ବାରମ୍ବାର କେଉଁ ସାହସରେ ଟାର୍ଗେଟ କରୁଛନ୍ତି? ପୂର୍ବ ଘଟଣା ପରେ ମଧ୍ୟ ଚୋରମାନେ ପୁଣି ଥରେ ମଠରେ ପଶି ଚୋରି କରିବାକୁ କିପରି ସାହସ କଲେ, ତାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ। ଏକ ଧାର୍ମିକ ଅନୁଷ୍ଠାନରେ ବାରମ୍ବାର ଚୋରି ଘଟଣାକୁ ଗୁରୁତ୍ୱର ସହ ନେଇ ପୁଲିସ ତୁରନ୍ତ ବୈଜ୍ଞାନିକ ପଦ୍ଧତିରେ ତଦନ୍ତ କରିବା ସହ ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରି ଗିରଫ କରିବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି।


