ବାତ୍ୟା ‘ଅକବାନ୍’ ମୁକାବିଲା ପାଇଁ କେନ୍ଦ୍ରାଞ୍ଚଳ ପୋଲିସର ବ୍ୟାପକ ପ୍ରସ୍ତୁତି, ୭ ଜିଲ୍ଲା ହାଇଆଲର୍ଟରେ
କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ରେଡ୍ ଜୋନ୍ରେ; ୧୮ ଓଡ୍ରାଫ୍ ଟିମ୍ ମୁତୟନ, ‘ମିଶନ ଜିରୋ କାଜୁଆଲିଟି’କୁ ପ୍ରାଥମିକତା

କଟକ, ୧୮ ନଭେମ୍ବର: ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟା ‘ଅକବାନ୍’ର ମୁକାବିଲା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ କେନ୍ଦ୍ରାଞ୍ଚଳ ଅଧୀନସ୍ଥ ସମସ୍ତ ସାତଟି ଜିଲ୍ଲାରେ ବ୍ୟାପକ ସତର୍କତା ଓ ପ୍ରସ୍ତୁତି ବ୍ୟବସ୍ଥା ଗ୍ରହଣ କରାଯାଇଛି। ବାତ୍ୟାର ସମ୍ଭାବ୍ୟ ପ୍ରଭାବରେ ପ୍ରବଳ ବର୍ଷା, ଝଡ଼ପବନ, ସମୁଦ୍ରରେ ଉଚ୍ଚ ଜୁଆର, ବନ୍ୟା ଓ ଜଳବନ୍ଦୀ ପରିସ୍ଥିତି ଆଶଙ୍କା କରାଯାଉଥିବାରୁ କେନ୍ଦ୍ରାଞ୍ଚଳ ପୋଲିସ ପକ୍ଷରୁ ଜରୁରୀକାଳୀନ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି। ବିଶେଷକରି କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଜିଲ୍ଲାକୁ ରେଡ୍ ଜୋନ୍ରେ ରଖାଯାଇ ଅଧିକ ସତର୍କତା ଅବଲମ୍ବନ କରାଯାଉଛି। ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକଙ୍କ ମାର୍ଗଦର୍ଶନରେ ଆଇଜି, କେନ୍ଦ୍ରାଞ୍ଚଳ, କଟକ ଡଃ ସତ୍ୟଜିତ ନାୟକ, ଆଇପିଏସ୍, ସମଗ୍ର କେନ୍ଦ୍ରାଞ୍ଚଳର ବାତ୍ୟା ପ୍ରସ୍ତୁତି ଓ ଜରୁରୀକାଳୀନ ପଦକ୍ଷେପର ନିୟମିତ ସମୀକ୍ଷା କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ‘ମିଶନ ଜିରୋ କାଜୁଆଲିଟି’ ବା ଶୂନ୍ୟ ଜୀବନହାନି ଲକ୍ଷ୍ୟକୁ ସଫଳ କରିବା ପାଇଁ ସମସ୍ତ ଜିଲ୍ଲା ପୋଲିସକୁ ସଜାଗ ରହିବା ସହ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC)ଙ୍କ ନିର୍ଦ୍ଦେଶାବଳୀ ଓ ମାନକ କାର୍ଯ୍ୟପଦ୍ଧତି (SOP) କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି।
କେନ୍ଦ୍ରାଞ୍ଚଳ ଅଧୀନସ୍ଥ କଟକ ଗ୍ରାମାଞ୍ଚଳ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ଜିଲ୍ଲାର ପ୍ରସ୍ତୁତିକୁ ସମୀକ୍ଷା କରି ଆଇଜି ଡଃ ସତ୍ୟଜିତ ନାୟକ ସମସ୍ତ ଏସ୍ପିଙ୍କୁ ଜିଲ୍ଲା ପ୍ରଶାସନ, ଓଡ୍ରାଫ୍, ଅଗ୍ନିଶମ ବିଭାଗ, ଓସ୍ଡମା, ସ୍ୱାସ୍ଥ୍ୟ ବିଭାଗ ଓ ଅନ୍ୟାନ୍ୟ ଜରୁରୀକାଳୀନ ସେବା ସଂସ୍ଥା ସହ ଘନିଷ୍ଠ ସମନ୍ୱୟ ରଖି ଆଗୁଆ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉପକୂଳ, ତଳିଆ ଅଞ୍ଚଳ, ନଦୀକୂଳ ଓ ବନ୍ୟାପ୍ରବଣ ସ୍ଥାନଗୁଡ଼ିକରେ ପୋଲିସ ମୁତୟନ କରାଯାଇଛି। ବିପଦସଙ୍କୁଳ ଅଞ୍ଚଳରୁ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସୁରକ୍ଷିତ ସ୍ଥାନାନ୍ତର କରିବାରେ ପୋଲିସ ସହଯୋଗ କରୁଛି। ବୟସ୍କ, ଶିଶୁ, ମହିଳା, ଗର୍ଭବତୀ, ଦିବ୍ୟାଙ୍ଗ ଓ ଅସୁସ୍ଥ ବ୍ୟକ୍ତିଙ୍କ ସୁରକ୍ଷା ଓ ସ୍ଥାନାନ୍ତରଣକୁ ସର୍ବାଧିକ ପ୍ରାଥମିକତା ଦିଆଯାଇଛି। ଜରୁରୀକାଳୀନ ଉଦ୍ଧାର ଓ ସହାୟତା ପାଇଁ କେନ୍ଦ୍ରାଞ୍ଚଳର ସମସ୍ତ ସାତଟି ଜିଲ୍ଲାରେ ମୋଟ ୧୮ଟି ଓଡ୍ରାଫ୍ ଟିମ୍ ମୁତୟନ କରାଯାଇଛି। ଜଳବନ୍ଦୀ ଅଞ୍ଚଳରୁ ଉଦ୍ଧାର, ରାସ୍ତାରୁ ଗଛ ଓ ଅବରୋଧ ହଟାଇବା ଏବଂ ତ୍ୱରିତ ଜରୁରୀକାଳୀନ ସହାୟତା ପାଇଁ ଜିଲ୍ଲା ପୋଲିସ, ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ମଧ୍ୟରେ ସମନ୍ୱୟ ରଖାଯାଇଛି। ସମସ୍ତ ଥାନା ଓ ଜିଲ୍ଲା ପୋଲିସ କଣ୍ଟ୍ରୋଲ୍ ରୁମ୍ ୨୪ ଘଣ୍ଟିଆ ସତର୍କତାରେ ରହିଛି। ଜରୁରୀକାଳୀନ କଲ୍ ଓ ଜନସାଧାରଣଙ୍କ ସହାୟତା ନିବେଦନ ଉପରେ ନିରନ୍ତର ନଜର ରଖାଯାଉଛି। ଉଦ୍ଧାରକାରୀ ଦଳ ଓ ଅତ୍ୟାବଶ୍ୟକ ସେବା ଯାନବାହନର ଯାତାୟାତକୁ ସୁଗମ କରିବା ପାଇଁ ଟ୍ରାଫିକ୍ ପରିଚାଳନା, ବିକଳ୍ପ ରାସ୍ତା ଓ ଡାଇଭର୍ସନ୍ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଉପକୂଳ ଅଞ୍ଚଳରେ ପାଟ୍ରୋଲିଂ, ମାଇକ୍ ଯୋଗେ ସଚେତନତା, ସମୁଦ୍ରକୂଳ ଓ ବେଳାଭୂମିରେ ଯାତାୟାତ ନିୟନ୍ତ୍ରଣ ଏବଂ ମତ୍ସ୍ୟଜୀବୀଙ୍କୁ ସରକାରୀ ସତର୍କ ସୂଚନା ଅନୁସରଣ କରିବାକୁ ସଚେତନ କରାଯାଉଛି। ସ୍ଥାନାନ୍ତରିତ ଗ୍ରାମ ଓ ଅଞ୍ଚଳରେ ଚୋରି, ଲୁଟ୍ପାଟ୍ ରୋକିବା ପାଇଁ ରାତ୍ରି ପହରା ଓ ପୋଲିସ ପାଟ୍ରୋଲିଂ ବ୍ୟବସ୍ଥା ରହିଛି। ଗୁଜବ, ଭ୍ରାନ୍ତ ସୂଚନା ଓ ଆତଙ୍କ ସୃଷ୍ଟିକାରୀ ଅପପ୍ରଚାର ଉପରେ ମଧ୍ୟ ପୋଲିସ କଡ଼ା ନଜର ରଖିଛି। ଓଡ଼ିଶା ପୋଲିସ ପକ୍ଷରୁ ଜନସାଧାରଣଙ୍କୁ IMD, SRC ଓ ଜିଲ୍ଲା ପ୍ରଶାସନର ସରକାରୀ ସତର୍କ ସୂଚନା ଅନୁସରଣ କରିବା, ସ୍ଥାନାନ୍ତରଣ ନିର୍ଦ୍ଦେଶ ମିଳିଲେ ତୁରନ୍ତ ଆଶ୍ରୟସ୍ଥଳୀକୁ ଯିବା, ଅନାବଶ୍ୟକ ଯାତ୍ରାରୁ ଦୂରେଇ ରହିବା, ସମୁଦ୍ରକୂଳ, ନଦୀକୂଳ, ଜଳବନ୍ଦୀ ରାସ୍ତା, ଉପୁଡ଼ି ପଡ଼ିଥିବା ଗଛ ଓ ବିଦ୍ୟୁତ୍ ତାରଠାରୁ ଦୂରେଇ ରହିବା ଏବଂ ଗୁଜବ ପ୍ରଚାର ନକରିବାକୁ ଅନୁରୋଧ କରାଯାଇଛି। ବାତ୍ୟା ପରବର୍ତ୍ତୀ ଉଦ୍ଧାର, ରାସ୍ତା ପୁନଃସ୍ଥାପନ, ଚିକିତ୍ସା, ରିଲିଫ୍ ବଣ୍ଟନ ଓ ଅତ୍ୟାବଶ୍ୟକ ସେବା ପୁନରୁଦ୍ଧାରରେ ପୋଲିସ ସମସ୍ତ ସମ୍ପୃକ୍ତ ବିଭାଗ ସହ ସମନ୍ୱୟ ରଖି କାର୍ଯ୍ୟ କରିବ। ‘ମିଶନ ଜିରୋ କାଜୁଆଲିଟି’କୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ପ୍ରତ୍ୟେକ ଜୀବନର ସୁରକ୍ଷା ଓ ଜନସାଧାରଣଙ୍କ ନିରାପତ୍ତା ନିଶ୍ଚିତ କରିବା ପାଇଁ କେନ୍ଦ୍ରାଞ୍ଚଳ ପୋଲିସ ପ୍ରତିବଦ୍ଧ। ଜରୁରୀକାଳୀନ ପୋଲିସ ସହାୟତା ପାଇଁ ଜନସାଧାରଣ ୧୧୨ ନମ୍ବରକୁ କଲ୍ କରିପାରିବେ।



