ନଭେମ୍ବର ୪ ତାରିଖରେ ବୌଦ୍ଧଠାରେ ସୁବର୍ଣ୍ଣପୁର ଜିଲ୍ଲାର ପେନସନ ଅଦାଲତ
ଅବସରକାଳୀନ ପ୍ରାପ୍ୟ ଓ ପେନସନ ସମ୍ବନ୍ଧୀୟ ଅଭିଯୋଗର ତ୍ୱରିତ ସମାଧାନ ଉପରେ ଗୁରୁତ୍ୱ
ସୁବର୍ଣ୍ଣପୁର,୨.୧୧: ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ବକେୟା ପେନସନ ଓ ଅନ୍ୟାନ୍ୟ ଅବସରକାଳୀନ ପ୍ରାପ୍ୟର ତ୍ୱରିତ ସମାଧାନ ନିମନ୍ତେ ଆସନ୍ତା ନଭେମ୍ବର ୪ ତାରିଖ ଦିନ ବୌଦ୍ଧଠାରେ ଏକ ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଅନୁଷ୍ଠିତ ହେବ। ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଏବଂ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଏହି ଅଦାଲତ ଅନୁଷ୍ଠିତ ହେବ।
ଏହି ଅଦାଲତରେ ସୁବର୍ଣ୍ଣପୁର ଜିଲ୍ଲାର ପେନସନ ସମ୍ବନ୍ଧୀୟ ଦୀର୍ଘଦିନର ବିଚାରାଧୀନ ମାମଲା, ଅବସରକାଳୀନ ପ୍ରାପ୍ୟ ପ୍ରଦାନରେ ବିଳମ୍ବ ଏବଂ ଅନ୍ୟାନ୍ୟ ପେନସନ ସମ୍ବନ୍ଧୀୟ ଅଭିଯୋଗର ସମାଧାନ ଦିଗରେ ପଦକ୍ଷେପ ନିଆଯିବ। ଏଥିସହ ଅବସର ଦିନ ହିଁ ପେନସନ, ଗ୍ରାଚୁଇଟି ଓ ଭବିଷ୍ୟନିଧି ପ୍ରଦାନ ଉପରେ ଗୁରୁତ୍ୱ ଦିଆଯିବ।
ଏହି ପେନସନ ଅଦାଲତରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ନିର୍ଦ୍ଦେଶକ ଅଧ୍ୟକ୍ଷତା କରିବେ। ଏଥିରେ ସୁବର୍ଣ୍ଣପୁର ଜିଲ୍ଲାର ସମ୍ପୃକ୍ତ ବିଭାଗୀୟ ଅଧିକାରୀ, ପେନସନ ଅନୁମୋଦନକାରୀ କର୍ତ୍ତୃପକ୍ଷ (PSA) ଏବଂ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଯୋଗଦେବେ। ପେନସନ ସମ୍ବନ୍ଧୀୟ ମାମଲାଗୁଡ଼ିକର ତ୍ୱରିତ ଫଇସଲା ପାଇଁ ସମସ୍ତ ବିଭାଗୀୟ ଅଧିକାରୀ ଓ ପେନସନ ଅନୁମୋଦନକାରୀ କର୍ତ୍ତୃପକ୍ଷଙ୍କୁ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ କୁହାଯାଇଛି।
ସୁବର୍ଣ୍ଣପୁର ଜିଲ୍ଲାର ଯେଉଁ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଓ ମୃତ ସରକାରୀ କର୍ମଚାରୀଙ୍କ ଉତ୍ତରାଧିକାରୀଙ୍କ ପେନସନ କିମ୍ବା ଅନ୍ୟାନ୍ୟ ଅବସରକାଳୀନ ପ୍ରାପ୍ୟ ବକେୟା ରହିଛି, ସେମାନେ ଆବଶ୍ୟକ କାଗଜପତ୍ର ସହ ନଭେମ୍ବର ୪ ତାରିଖ ଅପରାହ୍ନ ୨.୩୦ ରୁ ୫.୩୦ ମଧ୍ୟରେ ବୌଦ୍ଧଠାରେ ଅନୁଷ୍ଠିତ ପେନସନ ଅଦାଲତରେ ଉପସ୍ଥିତ ରହି ନିଜର ଅଭିଯୋଗ ଜଣାଇପାରିବେ। ଏହି ସୁଯୋଗର ସଦୁପଯୋଗ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷ ଦ୍ୱାରା ସମସ୍ତ ପେନସନ ଦାବିଦାରଙ୍କୁ ଅନୁରୋଧ କରାଯାଇଛି।



