କଂଗ୍ରେସ କରୁଛି ଭୋଟ୍ ଚୋରି ଅଭିଯୋଗ

ବାଲେଶ୍ବର ( ଦେବାଶିଷ ଦାଶ )
ରେମୁଣାରେ କଂଗ୍ରେସର ‘ଭୋଟ୍ ବଞ୍ଚାଅ, ଦେଶ ବଞ୍ଚାଅ’ ପଦଯାତ୍ରା
ପ୍ରଦେଶ କଂଗ୍ରେସ କମିଟି, ଓଡ଼ିଶାର ଆହ୍ୱାନକ୍ରମେ ସୋମବାର ରେମୁଣା ନିର୍ବାଚନମଣ୍ଡଳୀରେ ‘ଭୋଟ୍ ବଞ୍ଚାଅ, ଦେଶ ବଞ୍ଚାଅ’ ସ୍ଲୋଗାନରେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଅପରାହ୍ଣ ୪ଟାରେ ହାତିଅଗଣ୍ଡ ଛକରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ମନ୍ଦିର ଛକ ପର୍ଯ୍ୟନ୍ତ ଯାଇଥିଲା। ରେମୁଣା ନିର୍ବାଚନ କମିଟି ପକ୍ଷରୁ ଏହାର ଆୟୋଜନ କରାଯାଇଥିଲା।ପଦଯାତ୍ରାରେ କଂଗ୍ରେସ କର୍ମୀ ଓ ସମର୍ଥକମାନେ ଦଳୀୟ ପତାକା ଓ ପ୍ଲାକାର୍ଡ ଧରି ଯୋଗଦେବା ସହ ଭୋଟ୍ର ମର୍ଯ୍ୟାଦା ରକ୍ଷା, ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ଗଣତନ୍ତ୍ରର ସୁରକ୍ଷା ଦାବିରେ ସ୍ଲୋଗାନ ଦେଇଥିଲେ। ପଦଯାତ୍ରା ମନ୍ଦିର ଛକରେ ପହଞ୍ଚିବା ପରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ପୂର୍ବତନ ବିଧାୟକ ସୁଦର୍ଶନ ଯେନା ଭୋଟଦାତାଙ୍କ ମତାଧିକାରର ସୁରକ୍ଷା ଓ ନିର୍ବାଚନ ବ୍ୟବସ୍ଥା ପ୍ରତି ଜନସାଧାରଣଙ୍କ ଆସ୍ଥା ବଜାୟ ରଖିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବକ୍ତବ୍ୟରେ ପ୍ରକାଶ କରିଥିଲେ । ବ୍ଲକ୍ କଂଗ୍ରେସ ସଭାପତି କହ୍ନେଇ ଚରଣ ବେହେରା, ଜିଲା ସାଧାରଣ ସମ୍ପାଦକ କେଶବ ଚନ୍ଦ୍ର ନାୟକ, ପୂର୍ବତନ ବ୍ଲକ ସଭାପତି ତରୁଣ ଦାସ, ସମବାୟ ନେତା ନିରଞ୍ଜନ ବେହେରାଙ୍କ ସମେତ ଅଜୟ ଜେନା, ସନ୍ତୋଷ ପଣ୍ଡା, ଜୋନ୍ ସଭାପତି ନିରଞ୍ଜନ ଦାସ, ରାଜେନ୍ଦ୍ର ଚୌଧୁରୀ, ରବୀନ୍ଦ୍ର ମଣ୍ଡଳ, ରଞ୍ଜନ ମହଲ, ପ୍ରକାଶ ମଲ୍ଲିକ, ଅଞ୍ଜନ ଦାଶ ଏବଂ ମହିଳା ନେତ୍ରୀ ବୀସନ୍ତି ପାକଳଙ୍କ ସମେତ ବହୁ କଂଗ୍ରେସ କର୍ମୀ ଓ ସମର୍ଥକ ଯୋଗଦେଇଥିଲେ।


