କବିରାଜ ହତ୍ୟାକାଣ୍ଡ; ପୂର୍ବ ରାଗ ସୁଝାଇବା ପାଇଁ ହତ୍ୟା କରିଥିବା ମାନିଲା ଅଭିଯୁକ୍ତ
ରାଇରଙ୍ଗପୁର: ୨୮\୧୦\୨୬ (ଶ୍ଯାମଳେନ୍ଦୁ ପରିଡା)
ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀ ଥାନା ଅଞ୍ଚଳର ଚେରମୂଳି ବିକ୍ରେତା ତଥା କବିରାଜ ରାମେଶ୍ୱର ପିଙ୍ଗୁଆଙ୍କୁ ବିଭତ୍ସ ଭାବରେ ହତ୍ୟା କରା ଯାଇଥିବା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଏହି ହତ୍ୟା ଘଟଣାରେ ସେହି ଗ୍ରାମର ଜେନା ନାଏକ କୁ ହତ୍ୟା ଅଭିଯୋଗରେ ଗିରଫ କରାଯାଇଛି । ପୂର୍ବ ରାଗ ନେଇ ହତ୍ୟା କରିଥିବା ପୋଲିସ ନିକଟରେ ଅଭିଯୁକ୍ତ ସ୍ୱୀକାର କରିଛି । ଏ ନେଇ ଆଜି ରାଇରଙ୍ଗପୁର ଏସପି ସୁରେଶ ଚନ୍ଦ୍ର ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଗତ ଶନିବାର ରାତିରେ ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଖେଜୁରୀ-କାକୁଡିରୁମା ଜଙ୍ଗଲ ରାସ୍ତାରେ ଟାଣ୍ଡିପାଣି ଗ୍ରାମର ୪୮ ବର୍ଷିୟ ରାମେଶ୍ୱର ପିଙ୍ଗୁଆଙ୍କୁ ଅତି ଧାରୁଆ ତେଲେଙ୍ଗା କଟୁରୀ ସାହାଯ୍ୟରେ ହତ୍ୟା କରା ଯାଇଥିଲା। ମୃତକ ରାମେଶ୍ୱର ପିଙ୍ଗୁଆ ଜଣେ କବିରାଜ ଭାବେ ପରିଚିତ ଥିଲାବେଳେ ସେ ଗ୍ରାମରେ ମୁଖିଆ ବା ମାଝୀବାବା ଭାବରେ ବେଶ ଜଣାଶୁଣା ଥିଲେ। ଗତ ଶନିବାର ରାତିରେ ବିଶୋଇ ସାପ୍ତାହିକ ହାଟରୁ ଚେରମୁଳୀ ଔଷଧ ବିକି ରାତିରେ ନିଜ ଘରକୁ ଫେରୁଥିବା ବେଳେ ଜଙ୍ଗଲ ରାସ୍ତାରେ ତାଙ୍କୁ କେହି ହତ୍ୟା କରିଥିଲେ ।
ଖବର ପ୍ରଚାରିତ ହେବା ପରେ ରବିବାର ଗୋରୁମହିଷାଣୀ ଥାନା ପୋଲିସ ଓ ରାଇରଙ୍ଗପୁର ଏସଡିପିଓ ବୀରେନ୍ଦ୍ର ସେନାପତି ଘଟଣାସ୍ଥଳରେ ପହଞ୍ଚି ହତ୍ୟା ଘଟଣାର ଛାନଭିନ ଆରମ୍ଭ କରିଥିଲେ। ବାରିପଦାରୁ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରା ଯାଇଥିଲା। ହତ୍ୟା ଘଟଣାକୁ ନେଇ ଗୋରୁମହିଷାଣୀ ଥାନାରେ ପୋଲିସ କେସ ନଂ ୧୨୩/୨୬ ରେ ଏକ ହତ୍ୟା ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଥିଲା। ଶେଷରେ ରାଇରଙ୍ଗପୁର ଏସଡିପିଓ ଶ୍ରୀ ବୀରେନ୍ଦ୍ର ସେନାପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗୋରୁମହିଷାଣୀ ଥାନା ପୋଲିସ ଏହି ବିଭତ୍ସ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାଶ କରି ଅଭିଯୁକ୍ତ ଜେନା ନାଏକକୁ ବାନ୍ଧିବାରେ ସକ୍ଷମ ହୋଇଛି । ରାଇରଙ୍ଗପୁର ଏସପି ସମସ୍ତ ତଥ୍ୟ ପ୍ରେସମିଟ ଜରିଆରେ ପ୍ରଦାନ କରିଛନ୍ତି ।
ଏସପି ସୁରେଶ ଚନ୍ଦ୍ର ପାତ୍ରଙ୍କ କହିବା ଅନୁଯାୟୀ, ‘ଅଭିଯୁକ୍ତ ଜେନା ନାଏକ (୫୦) ସେହି ଟାଣ୍ଡିପାଣି ଗ୍ରାମର ବାସିନ୍ଦା ଅଟନ୍ତି । ସେ କବିରାଜ ତଥା ମାଝୀବାବା ଓରଫ ରାମେଶ୍ୱର ପିଙ୍ଗୁଆଙ୍କୁ ଭଲ ଭାବରେ ଜାଣିଥିଲେ। ଗ୍ରାମ ବିବାଦର ସମାଧାନ ପାଇଁ ଗ୍ରାମ ମୁଖିଆମାନେ ରାମେଶ୍ୱର ପିଙ୍ଗୁଆଙ୍କ ମାଧ୍ୟମରେ ବୈଠକ ଡକାଉଥିଲେ। ପୂର୍ବରୁ ଏକ ଗ୍ରାମ୍ୟ ବୈଠକରେ ରାମେଶ୍ୱର ପିଙ୍ଗୁଆ, ଅଭିଯୁକ୍ତ ଜେନା ନାଏକଙ୍କୁ ସମାଲୋଚନା କରିଥିଲେ। କିଛି ଦିନ ପୂର୍ବରୁ ଗ୍ରାମରେ ପୁଣି ଏକ ବୈଠକ ଡକାଯାଇଥିଲା, ଯେଉଁଥିରେ ଗ୍ରାମ ମୁଖିଆଙ୍କ ଉପସ୍ଥିତିରେ ଅଭିଯୁକ୍ତ ଜେନା ନାଏକଙ୍କ ଉପରେ କିଛି ଆର୍ଥିକ ଦଣ୍ଡ ଦିଆ ଯାଇଥିଲା। ସେହିପରି ଅଭିଯୁକ୍ତ ଜେନା ନାଏକ ନାଁରେ ପୂର୍ବରୁ ଚୋରି ମାମଲା ରହିଥିବାବେଳେ ସେ ଜେଲ ସଜା ମଧ୍ୟ କାଟିଛି।’
ଏସପିଙ୍କ କହିବା ଅନୁଯାୟୀ, ‘ଜେଲ ଯିବା ଘଟଣାକୁ ନେଇ ଅଭିଯୁକ୍ତ ଜେନା ନାଏକ ମନରେ ଆକ୍ରୋଶ ଥିଲା। ତେଣୁ ରାମେଶ୍ବରଙ୍କୁ ରାସ୍ତାରୁ ହଟାଇ ଦେବାକୁ ଯୋଜନା କରିଥିଲା। ଗତ ୨୪ତାରିଖ ଶନିବାର ଦିନ ପ୍ରାୟ ୧୨ଟା ସମୟରେ ଅଭିଯୁକ୍ତ ଜେନା ନାଏକ ନିଜ ଯୋଜନା ଅନୁଯାୟୀ ବିଶୋଇ ହାଟକୁ ଯାଇ ଏକ ଧାରୁଆ ତେଲେଙ୍ଗା କଟୁରୀ ଏବଂ ଗୋଟିଏ ଲାଇଟର୍ କିଣିଥିଲା। ହାଟ ସରିବା ପରେ ସନ୍ଧ୍ୟାରେ ରାମେଶ୍ୱର ପିଙ୍ଗୁଆ ନିଜ ମୋଟର ସାଇକେଲରେ ଘରକୁ ଫେରୁଥିବା ବେଳେ ଅଭିଯୁକ୍ତ ଜେନା ନାଏକ ତାଙ୍କ ପଛେ ପଛେ ଯାଇଥିଲା। କିଛି ବାଟ ଗଲା ପରେ, ଜେନା ନାଏକ ରାମେଶ୍ୱର ପିଙ୍ଗୁଆଙ୍କ ଗାଡ଼ିକୁ ଅତିକ୍ରମ କରି ଆଗକୁ ଚାଲିଗଲା ଏବଂ ଲୁହାଶିଳା, କାକୁଡ଼ିରୁମା ଓ ଖେଜୁରି ଗ୍ରାମ ମଧ୍ୟବର୍ତ୍ତୀ ଏକ ନିଛାଟିଆ ଜଙ୍ଗଲ ରାସ୍ତାରେ ଥିବା ଏକ ପୋଲ ନିକଟରେ, ହତ୍ୟା କରିବା ପାଇଁ ପୂର୍ଣ୍ଣ ପ୍ରସ୍ତୁତି ସହ ଅପେକ୍ଷା କରି ରହିଲା। ସନ୍ଧ୍ୟା ପ୍ରାୟ ୭ଟାରୁ ୭.୩୦ ମଧ୍ୟରେ ରାମେଶ୍ୱର ପହଞ୍ଚିବା ମାତ୍ରେ ଅଭିଯୁକ୍ତ ହଠାତ୍ ସେହି ଧାରୁଆ ଅସ୍ତ୍ର ସାହାଯ୍ୟରେ ତାଙ୍କ ଉପରେ ଆକ୍ରମଣ କରିଥିଲା। ଫଳରେ ରାମେଶ୍ୱରଙ୍କ ମୁହଁ ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଲା ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।’
ରାମେଶ୍ୱରଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ଜେନା କଟୁରୀକୁ ଘଟଣାସ୍ଥଳ ନିକଟରେ ଫିଙ୍ଗି ଦେଇଥିଲା। ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ନିକଟସ୍ଥ ଏକ ଛୋଟ ନଦୀ କୂଳରେ ରକ୍ତ ଲଗା ପୋଷାକକୁ ଫିଙ୍ଗି ନିଜ ବାଇକରେ ରାତି ପ୍ରାୟ ୯ଟାରେ ଘରକୁ ଫେରିଥିଲା। ଏ ସମସ୍ତ ଘଟଣା ପୋଲିସ ନିକଟରେ ଅଭିଯୁକ୍ତ ଜେନା ନାଏକ ସ୍ବୀକାର କରିଥିବା ଏସପି କହିଛନ୍ତି । ପୋଲିସ ହତ୍ୟାରେ ବ୍ୟବହୃତ ତେଲେଙ୍ଗା କଟୁରୀ ସହ ବାଇକ ଜବତ କରି ଆଜି ଅଭିଯୁକ୍ତକୁ ଗିରଫ କରି ରାଇରଙ୍ଗପୁର କୋର୍ଟ ଚାଲାଣ କରାଯାଇଥିବା କହିଛନ୍ତି ଏସପି ।
ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ


