ଓଡିଶା

ଶୂନ୍ୟ ମୃତ୍ୟୁ ଲକ୍ଷ୍ୟ: ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କଲେ ଆଇଜି, ଜିଲ୍ଲାପାଳ ଓ ଏସ୍‌ପି

ଜଟାଧାରୀ ମୁହାଣ ପରିଦର୍ଶନ କରି ସ୍ଥାନାନ୍ତରଣ ଓ ବାତ୍ୟା ଆଶ୍ରୟସ୍ଥଳର ବ୍ୟବସ୍ଥା ଯାଞ୍ଚ

ଜଗତସିଂହପୁର, ୨୮ ଅକ୍ଟୋବର: ଆସନ୍ନ ବାତ୍ୟାର ମୁକାବିଲା କରିବା ସହ ଜନଜୀବନର ସୁରକ୍ଷା ଏବଂ ଶୂନ୍ୟ ମୃତ୍ୟୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଓ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ପୋଲିସ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ରଙ୍କ ତତ୍ତ୍ୱାବଧାନରେ ବରିଷ୍ଠ ଅଧିକାରୀମାନେ ବିପଦପ୍ରବଣ ଅଞ୍ଚଳ ପରିଦର୍ଶନ କରି ସ୍ଥାନାନ୍ତରଣ, ଉଦ୍ଧାର ଓ ରିଲିଫ୍‌ ବ୍ୟବସ୍ଥାର ତଦାରଖ କରୁଛନ୍ତି।

ଏହି କ୍ରମରେ କେନ୍ଦ୍ରାଞ୍ଚଳ ଆଇଜି ଡଃ ସତ୍ୟଜିତ ନାଏକ, ଆଇପିଏସ୍‌, ଜଗତସିଂହପୁର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍‌ ଜେ. ସୋନାଲ, ଆଇଏଏସ୍‌ ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଙ୍କିତ ବର୍ମା, ଆଇପିଏସ୍‌ ଜଟାଧାରୀ ମୁହାଣ ପରିଦର୍ଶନ କରି ବାତ୍ୟା ମୁକାବିଲା ପ୍ରସ୍ତୁତି ଓ ଉପକୂଳବର୍ତ୍ତୀ ବିପଦପ୍ରବଣ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ହୋଇଥିବା ବ୍ୟବସ୍ଥାର ସମୀକ୍ଷା କରିଥିଲେ।

 

ପରିଦର୍ଶନ ସମୟରେ ଅଧିକାରୀମାନେ ଲୋକଙ୍କୁ ନିର୍ଦ୍ଧାରିତ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବାର ବ୍ୟବସ୍ଥା ଅନୁଧ୍ୟାନ କରିବା ସହ ବିଭିନ୍ନ ଆଶ୍ରୟସ୍ଥଳରେ ଉପଲବ୍ଧ ସୁବିଧାସୁଯୋଗ ଯାଞ୍ଚ କରିଥିଲେ। ଆଶ୍ରୟ ନେଇଥିବା ଲୋକଙ୍କ ପାଇଁ ପାନୀୟ ଜଳ, ପରିମଳ, ଆଲୋକ, ଖାଦ୍ୟ ଓ ଅନ୍ୟାନ୍ୟ ମୌଳିକ ସୁବିଧା ସୁନିଶ୍ଚିତ କରିବା ସହ ସେମାନଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ଗୁରୁତ୍ୱ ଦିଆଯାଇଥିଲା।

 

ବାତ୍ୟା ପୂର୍ବ ପ୍ରସ୍ତୁତି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ସମସ୍ତ ବିଭାଗକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରିବା ସହ ‘ସମଗ୍ର ସରକାରୀ ବ୍ୟବସ୍ଥାର ସମନ୍ୱିତ ଆଭିମୁଖ୍ୟ’ ଅନୁସରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ଆଧାର କରି ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା, କ୍ଷେତ୍ରସ୍ତରରେ ପ୍ରସ୍ତୁତିର ନିରନ୍ତର ତଦାରଖ ଏବଂ ଯେକୌଣସି ଜରୁରୀ ପରିସ୍ଥିତିରେ ତ୍ୱରିତ ପଦକ୍ଷେପ ଗ୍ରହଣ ଉପରେ ଗୁରୁତ୍ୱ ଦିଆଯାଉଛି। ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର ଓ ଅତ୍ୟାବଶ୍ୟକ ସେବାର ଶୀଘ୍ର ପୁନଃସ୍ଥାପନ ପାଇଁ ମଧ୍ୟ ଯୋଜନା କରାଯାଇଛି।

 

ଜରୁରୀକାଳୀନ ପରିସ୍ଥିତିରେ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବା ନିମନ୍ତେ ଜଗତସିଂହପୁର ଜିଲ୍ଲାରେ ଓଡ୍ରାଫ୍‌ (ODRAF) ଓ ଏନ୍‌ଡିଆର୍‌ଏଫ୍‌ (NDRF)ର ଗୋଟିଏ ଲେଖାଏଁ ପ୍ଲାଟୁନ୍‌ ମୁତୟନ କରାଯାଇଛି। ଆବଶ୍ୟକ ପଡ଼ିଲେ ଏହି ଦଳଗୁଡ଼ିକ ଉଦ୍ଧାର, ସ୍ଥାନାନ୍ତରଣ ଓ ରିଲିଫ୍‌ କାର୍ଯ୍ୟରେ ନିୟୋଜିତ ହେବେ।

 

ଏଥିସହ ଜିଲ୍ଲା ନିୟନ୍ତ୍ରଣ କକ୍ଷ ଓ ପୋଲିସ ନିୟନ୍ତ୍ରଣ କକ୍ଷ ୨୪ ଘଣ୍ଟିଆ କାର୍ଯ୍ୟକ୍ଷମ ରହିଛି। ବାତ୍ୟା ସମ୍ପର୍କିତ ସ୍ଥିତି ଉପରେ ନଜର ରଖିବା, ଜରୁରୀକାଳୀନ ପଦକ୍ଷେପର ସମନ୍ୱୟ ଏବଂ ଜନସାଧାରଣଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବା ପାଇଁ ଏହି କକ୍ଷଗୁଡ଼ିକ କାର୍ଯ୍ୟ କରୁଛି। ତ୍ୱରିତ ସହାୟତା ଓ ସଠିକ୍‌ ସୂଚନା ପ୍ରଦାନ ନିମନ୍ତେ ଜିଲ୍ଲା ପ୍ରଶାସନ ଓ ପୋଲିସ ମଧ୍ୟରେ ସମନ୍ୱୟ ରଖାଯାଇଛି।

 

ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ଶାନ୍ତ ଓ ସତର୍କ ରହିବା ସହ ସରକାରୀ ପରାମର୍ଶାବଳୀ ପାଳନ କରିବାକୁ ଅନୁରୋଧ କରାଯାଇଛି। ବିଶେଷକରି ବିପଦପ୍ରବଣ ଅଞ୍ଚଳରେ ରହୁଥିବା ଲୋକେ ପ୍ରଶାସନର ନିର୍ଦ୍ଦେଶ ମିଳିବା ମାତ୍ରେ ନିର୍ଦ୍ଧାରିତ ବାତ୍ୟା ଆଶ୍ରୟସ୍ଥଳକୁ ଚାଲିଯିବା ସହ ଉଦ୍ଧାର ଓ ସ୍ଥାନାନ୍ତରଣ କାର୍ଯ୍ୟରେ ସହଯୋଗ କରିବାକୁ କୁହାଯାଇଛି।

 

ଶୂନ୍ୟ ମୃତ୍ୟୁ ଲକ୍ଷ୍ୟକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ପୋଲିସ ବାତ୍ୟା ମୁକାବିଲା ପାଇଁ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି। ଜନଜୀବନର ସୁରକ୍ଷା, ଜରୁରୀକାଳୀନ ସେବାର ସୁଚାରୁ ପରିଚାଳନା ଏବଂ ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ସର୍ବନିମ୍ନ କରିବା ଦିଗରେ କ୍ଷେତ୍ରସ୍ତରରେ ନିରନ୍ତର ପଦକ୍ଷେପ ଗ୍ରହଣ କରାଯାଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button