ବାତ୍ୟା ପରିସ୍ଥିତି ପରଖିଲେ ମନ୍ତ୍ରୀ, ଗାଜଲବାଡ଼ି ଘାଟିର ସ୍ଥିତି ଅନୁଧ୍ୟାନ : ଡୁଲୁରୀ ରାସ୍ତାରୁ ଗଛ ହଟାଇବାକୁ ନିର୍ଦ୍ଦେଶ

ବାତ୍ୟା ପରିସ୍ଥିତି ପରଖିଲେ ମନ୍ତ୍ରୀ, ଗାଜଲବାଡ଼ି ଘାଟିର ସ୍ଥିତି ଅନୁଧ୍ୟାନ : ଡୁଲୁରୀ ରାସ୍ତାରୁ ଗଛ ହଟାଇବାକୁ ନିର୍ଦ୍ଦେଶ : ୨୫ ପଞ୍ଚାୟତ ଅନ୍ଧାରରେ; ନେଟୱାର୍କ ଓ ଇଣ୍ଟରନେଟ୍ ସେବା ଠପ୍
ବାଲିଗୁଡା, ତା, ୨୮/୧୦: (ସଞ୍ଜୟ କୁମାର ପାଣିଗ୍ରାହୀ): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ କନ୍ଧମାଳ ଜିଲ୍ଲାରେ ଲାଗି ରହିଥିବା ବର୍ଷା ଓ ପବନ ଜନଜୀବନକୁ ପ୍ରଭାବିତ କରିଛି। ସମ୍ଭାବ୍ୟ ଭୂସ୍ଖଳନ ଓ ବାତ୍ୟାଜନିତ କ୍ଷୟକ୍ଷତିର ସ୍ଥିତି ପରଖିବା ସହ ଲୋକଙ୍କ ସୁରକ୍ଷା ବ୍ୟବସ୍ଥାର ତଦାରଖ ପାଇଁ ବୁଧବାର ଦାରିଙ୍ଗବାଡ଼ି ଗସ୍ତ କରିଛନ୍ତି ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ। ଗସ୍ତ ସମୟରେ ସେ ଗାଜଲବାଡ଼ି ଘାଟିର ସ୍ଥିତି ଅନୁଧ୍ୟାନ କରିବା ସହ ରାସ୍ତା ଅବରୋଧ ହଟାଇବା ଏବଂ ବାତ୍ୟା ପରବର୍ତ୍ତୀ ପରିସ୍ଥିତିର ସମୀକ୍ଷା କରିଥିଲେ। ମନ୍ତ୍ରୀ ପ୍ରଥମେ କନ୍ଧମାଳ-ଗଞ୍ଜାମ ସୀମାରେ ଜାତୀୟ ରାଜପଥ-୫୯ ର ଗାଜଲବାଡ଼ି ଘାଟିସ୍ଥିତ ବାୟମାଲା ଚେକ୍ଗେଟ୍ରେ ପହଞ୍ଚିଥିଲେ। ଭୂସ୍ଖଳନ ଆଶଙ୍କାରେ ମଙ୍ଗଳବାରଠାରୁ ବନ୍ଦ ରହିଥିବା ଏହି ଘାଟିର ସ୍ଥିତି ସମ୍ପର୍କରେ ସେ ଜିଲ୍ଲାପାଳ ବେଦଭୂଷଣଙ୍କ ସହ ଆଲୋଚନା କରିଥିଲେ। ପାହାଡ଼ିଆ ରାସ୍ତାରେ ଯାତାୟାତ ସୁରକ୍ଷା ଓ ସମ୍ଭାବ୍ୟ ବିପଦ ସମ୍ପର୍କରେ ମଧ୍ୟ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହାପରେ ବ୍ରାହ୍ମଣୀଗାଁକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗର ଡୁଲୁରୀ ରାସ୍ତାରେ ପହଞ୍ଚି ମନ୍ତ୍ରୀ ରାସ୍ତା ଅବରୋଧର ସମୀକ୍ଷା କରିଥିଲେ। ପ୍ରବଳ ବର୍ଷା ଓ ପବନ ଯୋଗୁଁ ରାସ୍ତା ଉପରେ ଦୁଇଟି ବଡ଼ ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ମନ୍ତ୍ରୀ ନିଜ ଉପସ୍ଥିତିରେ ଗଛଗୁଡ଼ିକୁ ହଟାଇବାର ବ୍ୟବସ୍ଥା କରିବା ପରେ ରାସ୍ତାରେ ଯାତାୟାତ ସ୍ୱାଭାବିକ ହୋଇଥିଲା। ପରେ ବିଡିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଧୀରଜ ପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ମନ୍ତ୍ରୀ ବାତ୍ୟାଜନିତ କ୍ଷୟକ୍ଷତି ଓ ପ୍ରଶାସନିକ ପ୍ରସ୍ତୁତି ନେଇ ସମୀକ୍ଷା ବୈଠକ କରିଥିଲେ। ଗସ୍ତରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ, କନ୍ଧମାଳର ଅଧ୍ୟକ୍ଷ ମାନଗୋବିନ୍ଦ ପ୍ରଧାନ, ଜିଲ୍ଲାପାଳ, ଭାଜପା ପ୍ରତିନିଧି ମଣ୍ଡଳୀ ଓ କନ୍ଧମାଳ ସାଂସଦଙ୍କ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଅନ୍ୟପଟେ ବାତ୍ୟାର ପ୍ରଭାବରେ ଦାରିଙ୍ଗବାଡ଼ି ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଥିବାବେଳେ ବିଦ୍ୟୁତ୍ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗତ ଦୁଇ ଦିନ ଧରି ବ୍ଲକ୍ର ୨୫ଟି ପଞ୍ଚାୟତ ଅନ୍ଧାରରେ ରହିଛି। ବିଦ୍ୟୁତ୍ ସରବରାହ ବନ୍ଦ ଯୋଗୁଁ ମୋବାଇଲ୍ ନେଟୱାର୍କ ଓ ଇଣ୍ଟରନେଟ୍ ସେବା ମଧ୍ୟ ଠପ୍ ହୋଇଯାଇଛି। ଏହାର ପ୍ରଭାବ ବ୍ୟାଙ୍କ, ଜନସେବା କେନ୍ଦ୍ର ଓ ବିଭିନ୍ନ ସରକାରୀ-ବେସରକାରୀ କାର୍ଯ୍ୟାଳୟରେ ପଡ଼ିଛି। ଅନଲାଇନ୍ କାରବାର ଓ ଦୈନନ୍ଦିନ କାର୍ଯ୍ୟ ପରିଚାଳନାରେ ଲୋକେ ଅସୁବିଧା ଭୋଗୁଛନ୍ତି। ବିଦ୍ୟୁତ୍ ବିଭାଗର ସହକାରୀ ଯନ୍ତ୍ରୀ ଶିବ ପ୍ରସାଦ ନାୟକଙ୍କ ସୂଚନା ଅନୁସାରେ, ପ୍ରବଳ ବର୍ଷା ଓ ପବନ ଯୋଗୁଁ ଏକାଧିକ ଗ୍ରାମରେ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ିବା ସହ ତାର ଛିଣ୍ଡି ପଡ଼ିଛି। ଫଳରେ ବିଦ୍ୟୁତ୍ ସେବା ପୁନରୁଦ୍ଧାରରେ ସମସ୍ୟା ସୃଷ୍ଟି ହୋଇଛି। ବାତ୍ୟା ପ୍ରଭାବରେ ବିପର୍ଯ୍ୟସ୍ତ ଯୋଗାଯୋଗ ଓ ବିଦ୍ୟୁତ୍ ବ୍ୟବସ୍ଥା କେବେ ସ୍ୱାଭାବିକ ହେବ, ତାହାକୁ ନେଇ ଅଞ୍ଚଳବାସୀ ଅପେକ୍ଷା କରିଛନ୍ତି।

