ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ: ୨୯ ରେ କନ୍ଧମାଳ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ: ଶିକ୍ଷକ ଓ କର୍ମଚାରୀଙ୍କୁ ଡ୍ୟୁଟିରେ ରହିବା ନିର୍ଦ୍ଦେଶ

ବାଲିଗୁଡ଼ା, ୨୮/୧୦:(ସଞ୍ଜୟ କୁମାର ପାଣିଗ୍ରାହୀ): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ଆସନ୍ତା ୨୯ ତାରିଖ ଗୁରୁବାର ଦିନ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି। କନ୍ଧମାଳ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ବେଦଭୂଷଣ ଅକ୍ଟୋବର ୨୮ ତାରିଖରେ ଜାରି କରିଥିବା ଆଦେଶ ନଂ. ୧୧୮୬ ଅନୁଯାୟୀ, ସରକାରୀ ଓ ଘରୋଇ ବିଦ୍ୟାଳୟ ସମେତ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶ୍ରେଣୀରେ ପାଠପଢ଼ା ବନ୍ଦ ରହିବ। ଏଥିସହ ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ବନ୍ଦ ରଖାଯିବ। ତେବେ ଜରୁରୀକାଳୀନ ପରିସ୍ଥିତିରେ ସାଧାରଣ ଲୋକଙ୍କ ଆବଶ୍ୟକତା ପୂରଣ ଓ ବିପର୍ଯ୍ୟୟ ମୁକାବିଲା ସମ୍ପର୍କିତ କାର୍ଯ୍ୟକୁ ଗୁରୁତ୍ୱ ଦେଇ ସମସ୍ତ ଶିକ୍ଷକ ଓ ଶିକ୍ଷାନୁଷ୍ଠାନର କର୍ମଚାରୀଙ୍କୁ ନିଜ ନିଜ କାର୍ଯ୍ୟସ୍ଥଳରେ ଉପସ୍ଥିତ ରହି ଦାୟିତ୍ୱ ତୁଲାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟାଜନିତ ବର୍ଷା ଓ ସମ୍ଭାବ୍ୟ ବିପର୍ଯ୍ୟୟକୁ ଆଖି ଆଗରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ଗ୍ରହଣ କରିଛି।

