ଅର୍ଣ୍ଣବ ପରେ ପୁଣି ବର୍ଷା ଭୟ: ନଭେମ୍ବର ଆରମ୍ଭରୁ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ବାତ୍ୟା ଅର୍ଣ୍ଣବର ପ୍ରଭାବରୁ ଦକ୍ଷିଣ ଓଡ଼ିଶା ଏବେ ମଧ୍ୟ ବର୍ଷାଜନିତ କ୍ଷୟକ୍ଷତିରୁ ମୁକୁଳି ନଥିବାବେଳେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପଜନିତ ପାଣିପାଗ ପ୍ରଣାଳୀ ସୃଷ୍ଟି ହେବାର ସମ୍ଭାବନା ରାଜ୍ୟ ପାଇଁ ନୂଆ ଚିନ୍ତା ବଢ଼ାଇଛି। ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଅକ୍ଟୋବର ୩୧ ସୁଦ୍ଧା ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ-ନିକୋବର ଅଞ୍ଚଳ ନିକଟରେ ଅବପାତର ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଏହା ପରବର୍ତ୍ତୀ ସମୟରେ ଆନ୍ଧ୍ର ଉପକୂଳ ଦିଗକୁ ମୁହାଁଇବାର ସମ୍ଭାବନା ରହିଛି। ନଭେମ୍ବର ୫ ତାରିଖ ପରେ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ମଧ୍ୟ ଆକଳନ କରାଯାଉଛି। ଏହାର ପ୍ରଭାବରେ ରାଜ୍ୟରେ ଆଗାମୀ କିଛି ଦିନ ଧରି ବର୍ଷା ଜାରି ରହିବା ସମ୍ଭାବନା ରହିଛି। ଅକ୍ଟୋବର ୩୦ରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଏବଂ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହୋଇପାରେ। ୩୧ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳ ଓ ଉତ୍ତର ଉପକୂଳରେ ବର୍ଷା ସମ୍ଭାବନା ରହିଛି। ନଭେମ୍ବର ୧ରୁ ବର୍ଷାର ପ୍ରକୋପ ବଢ଼ିପାରେ। ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ଆଶଙ୍କା ରହିଛି। ନଭେମ୍ବର ୨ରେ ଦକ୍ଷିଣ ଓଡ଼ିଶା ସମେତ ପଶ୍ଚିମ ଓ ଉପକୂଳ ଜିଲ୍ଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ରାୟଗଡ଼ା, ଗଞ୍ଜାମ, କୋରାପୁଟ ଓ ଗଜପତିରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ୩ ତାରିଖରେ ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିରେ ପ୍ରବଳ ବର୍ଷା ହୋଇପାରେ। ଅନ୍ୟପକ୍ଷରେ ବାତ୍ୟା ଅର୍ଣ୍ଣବର ପ୍ରଭାବରେ ବୁଧବାରଠାରୁ ଗୁରୁବାର ସକାଳ ମଧ୍ୟରେ ଦକ୍ଷିଣ ଓଡ଼ିଶାରେ ଅସାଧାରଣ ବର୍ଷା ରେକର୍ଡ ହୋଇଛି। ଗଞ୍ଜାମ ଜିଲ୍ଲାର ପାତ୍ରପୁରରେ ୨୪ ଘଣ୍ଟାରେ ସର୍ବାଧିକ ୫୪୬ ମିଲିମିଟର ବର୍ଷା ହୋଇଥିବାବେଳେ କନ୍ଧମାଳର ଜି. ଉଦୟଗିରିରେ ୪୬୨.୪ ମିମି, ରାଇକିଆରେ ୩୮୪.୮ ମିମି, ଗଞ୍ଜାମର ସାନଖେମୁଣ୍ଡିରେ ୩୮୮ ମିମି, ସୋରଡ଼ାରେ ୩୭୫ ମିମି, ଚିକିଟିରେ ୩୦୯.୨ ମିମି ଏବଂ ଗଜପତିର ମୋହନାରେ ୩୦୭.୬ ମିମି ବର୍ଷା ରେକର୍ଡ ହୋଇଛି। ଏହାସହ ୧୧ଟି ବ୍ଲକ୍ରେ ୨୦୦ରୁ ୩୦୦ ମିମି ଏବଂ ୩୧ଟି ବ୍ଲକ୍ରେ ୧୦୦ରୁ ୨୦୦ ମିମି ବର୍ଷା ହୋଇଛି। ଲଗାତାର ବର୍ଷା ଓ ନୂଆ ପାଣିପାଗ ପ୍ରଣାଳୀର ସମ୍ଭାବନାକୁ ଦୃଷ୍ଟିରେ ରଖି ଦକ୍ଷିଣ ଓଡ଼ିଶାରେ ସତର୍କତା ଓ ପରିସ୍ଥିତି ଉପରେ ନଜର ରଖିବା ଜରୁରୀ ହୋଇପଡ଼ିଛି।



