ଓଡିଶା

ନଭେମ୍ବର ୩ରୁ ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ, ବାଦାମପାହାଡ଼ରେ ଦୁଇ ଅମୃତ ଭାରତ ଷ୍ଟେସନ ଉଦ୍ଘାଟନ

ରାଇରଙ୍ଗପୁର, ୩୦/୧୦: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନଭେମ୍ବର ୩ରୁ ୫ ତାରିଖ ପର୍ଯ୍ୟନ୍ତ ତିନିଦିନିଆ ମୟୂରଭଞ୍ଜ ଗସ୍ତରେ ଆସିବେ। ଏହି ଅବସରରେ ରାଇରଙ୍ଗପୁର ଓ ଏହାର ଆଖପାଖ ଅଞ୍ଚଳରେ ଅନେକ କାର୍ଯ୍ୟକ୍ରମରେ ଯୋଗଦେବା ସହ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିବେ। ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ସଂଶୋଧିତ ଗସ୍ତସୂଚୀ ଅନୁଯାୟୀ, ସେ ପଶ୍ଚିମବଙ୍ଗର କଲାଇକୁଣ୍ଡା ଦେଇ ସଡ଼କ ପଥରେ ରାଇରଙ୍ଗପୁରରେ ପହଞ୍ଚିବେ। ନଭେମ୍ବର ୩ ତାରିଖରେ ଦିଲ୍ଲୀର ପାଲାମ ବିମାନବନ୍ଦରରୁ ବାୟୁସେନା ବିମାନରେ ଯାତ୍ରା କରି କଲାଇକୁଣ୍ଡାରେ ଅବତରଣ କରିବେ। ସେଠାରୁ ବାହଡ଼ାଗୋଡ଼ା ଫରେଷ୍ଟ ଗେଷ୍ଟ ହାଉସ୍ରେ ମଧ୍ୟାହ୍ନଭୋଜନ ପରେ ରାଇରଙ୍ଗପୁର ହଲିଡେ ହୋମ୍କୁ ଯିବେ। ସନ୍ଧ୍ୟାରେ ବହଳଦାସ୍ଥିତ ମା’ କିଚକେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା ଓ ଆରତିରେ ଯୋଗଦେଇ ରାତ୍ରିଯାପନ ପାଇଁ ରାଇରଙ୍ଗପୁର ଫେରିବେ। ନଭେମ୍ବର ୪ ତାରିଖରେ ମହୁଲଡିହାସ୍ଥିତ ଲକ୍ଷ୍ମୀ ମଣ୍ଡପ ପରିଦର୍ଶନ, ସିଏସ୍ଡି କ୍ୟାଣ୍ଟିନ୍ ଉଦ୍ଘାଟନ ଏବଂ ତିନିଜଣ ବୀର ନାରୀଙ୍କୁ ସମ୍ମାନିତ କରିବା କାର୍ଯ୍ୟକ୍ରମ ରହିଛି। ଏହା ସହ ବାଦାମପାହାଡ଼ରେ ଦୁଇଟି ଅମୃତ ଭାରତ ଷ୍ଟେସନର ଉଦ୍ଘାଟନ କରିବେ। ରାଇରଙ୍ଗପୁରରେ ଗୋଶାଳା ଏବଂ ଆସେକା ଭବନ ନିର୍ମାଣ ପାଇଁ ଶିଳାନ୍ୟାସ ମଧ୍ୟ ତାଙ୍କ କାର୍ଯ୍ୟସୂଚୀରେ ସ୍ଥାନ ପାଇଛି। ଗସ୍ତର ଶେଷ ଦିନ ନଭେମ୍ବର ୫ରେ ରାଷ୍ଟ୍ରପତି ଗୋରୁମହିଷାଣିସ୍ଥିତ ମଲ୍ଟି ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟର ପରିଦର୍ଶନ କରିବେ। ପରେ ଜାହିରାଠାରେ ଶାଳ ଓ ମହୁଲ ଗଛ ରୋପଣ କରି ଦିଲ୍ଲୀ ଫେରିଯିବେ। ରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ନେଇ ମୟୂରଭଞ୍ଜ ଜିଲ୍ଲାରେ ପ୍ରଶାସନିକ ପ୍ରସ୍ତୁତି ଓ ଉତ୍ସାହ ବଢ଼ିଛି।

Related Articles

Leave a Reply

Your email address will not be published. Required fields are marked *

Back to top button