
ସୁବର୍ଣ୍ଣପୁର, ୩୦/୧୦/: ସୁବର୍ଣ୍ଣପୁର ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଶାଖା ପକ୍ଷରୁ ଆଜି ସୋନପୁର ବ୍ଲକ୍ ସମ୍ମିଳନୀ କକ୍ଷଠାରେ ବିଶ୍ୱ ମିତବ୍ୟୟିତା ଦିବସ ବା ବିଶ୍ୱ ସଞ୍ଚୟ ଦିବସ ପାଳିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ଦେବାଶିଷ ସିଂ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଏଥିରେ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀମତୀ ଅଞ୍ଜଳିନା ପ୍ରଧାନ, ଏଲ୍ଡିଏମ୍ ଶ୍ରୀ କାର୍ତ୍ତିକେଶ୍ୱର ପଣ୍ଡା, ଡାକଘରର ପୋଷ୍ଟମାଷ୍ଟର ଶ୍ରୀ ପ୍ରହଲ୍ଲାଦ ପାଢ଼ୀ, ଅତିରିକ୍ତ ବିଡିଓ ଶ୍ରୀ ପୁରୁଷୋତ୍ତମ ଧରୁଆ, ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ଶ୍ରୀ ମଙ୍ଗଳ ପଧାନଙ୍କ ସମେତ ବିଭିନ୍ନ ସ୍ୱଳ୍ପ ସଞ୍ଚୟ ଏଜେଣ୍ଟ, ଛାତ୍ରଛାତ୍ରୀ, ଅନ୍ୟାନ୍ୟ ଅଧିକାରୀ ଓ ଜନସାଧାରଣ ଯୋଗଦେଇଥିଲେ।
ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ଶ୍ରୀ ମଙ୍ଗଳ ପଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଶ୍ରୀ ଯୁଗଳ କିଶୋର ମିଶ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।
ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସିଂ କହିଥିଲେ ଯେ, ଦୈନନ୍ଦିନ ଜୀବନରେ ଅଳ୍ପ ଅଳ୍ପ ଅର୍ଥ ସଞ୍ଚୟ କରିବାର ଅଭ୍ୟାସ ଗଢ଼ିତୋଳିବା ଆବଶ୍ୟକ। ନିୟମିତ ଭାବେ ସାମାନ୍ୟ ଅର୍ଥ ସଞ୍ଚୟ କଲେ ତାହା ଭବିଷ୍ୟତରେ ଏକ ବଡ଼ ପୁଞ୍ଜିରେ ପରିଣତ ହୋଇପାରିବ। ଏହାଦ୍ୱାରା ଉଚ୍ଚଶିକ୍ଷା ସମେତ ଭବିଷ୍ୟତର ବିଭିନ୍ନ ଆବଶ୍ୟକତା ପୂରଣ କରିବା ସହଜ ହୋଇପାରିବ।
ସେହିପରି ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀମତୀ ଅଞ୍ଜଳିନା ପ୍ରଧାନ ଭବିଷ୍ୟତର ଆବଶ୍ୟକତା, ବିଶେଷକରି ଝିଅମାନଙ୍କ ଶିକ୍ଷା ଓ ସୁରକ୍ଷିତ ଭବିଷ୍ୟତ ପାଇଁ ନିୟମିତ ସଞ୍ଚୟର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଏଥିସହ ସେ ସୁକନ୍ୟା ସମୃଦ୍ଧି ଯୋଜନାର ବିଭିନ୍ନ ସୁବିଧା ସମ୍ପର୍କରେ ଉପସ୍ଥିତ ଲୋକଙ୍କୁ ଅବଗତ କରାଇଥିଲେ।
ଏଲ୍ଡିଏମ୍ ଶ୍ରୀ କାର୍ତ୍ତିକେଶ୍ୱର ପଣ୍ଡା ଲୋକମାନଙ୍କୁ ଘରେ ଅର୍ଥ ରଖିବା ପରିବର୍ତ୍ତେ ବ୍ୟାଙ୍କ ଓ ଡାକଘରର ବିଭିନ୍ନ ସଞ୍ଚୟ ଯୋଜନାରେ ଜମା କରିବାକୁ ପରାମର୍ଶ ଦେଇଥିଲେ। ଏହାଦ୍ୱାରା ସଞ୍ଚିତ ଅର୍ଥ ଉପରେ ସୁଧ ମିଳିବା ସହ ଅର୍ଥ ବୃଦ୍ଧିର ସୁଯୋଗ ମିଳିଥାଏ ବୋଲି ସେ କହିଥିଲେ।
ଡାକଘରର ପୋଷ୍ଟମାଷ୍ଟର ଶ୍ରୀ ପ୍ରହଲ୍ଲାଦ ପାଢ଼ୀ ଡାକଘର ମାଧ୍ୟମରେ ଉପଲବ୍ଧ ବିଭିନ୍ନ ସଞ୍ଚୟ ଯୋଜନା ଏବଂ ସେଗୁଡ଼ିକର ସୁବିଧା ସମ୍ପର୍କରେ ଉପସ୍ଥିତ ଲୋକଙ୍କୁ ଅବଗତ କରାଇଥିଲେ। ଅନ୍ୟପକ୍ଷରେ, ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ଶ୍ରୀ ମଙ୍ଗଳ ପଧାନ ସଞ୍ଚୟର ଆବଶ୍ୟକତା ସହିତ ସାଇବର ଠକେଇ ପ୍ରତି ସଚେତନ ରହିବା ଏବଂ ନିଜ କଷ୍ଟୋପାର୍ଜିତ ଅର୍ଥକୁ ସୁରକ୍ଷିତ ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ।
ଏହି ଅବସରରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ସଞ୍ଚୟ ଓ ଏହାର ଗୁରୁତ୍ୱ ସମ୍ପର୍କରେ ବକ୍ତୃତା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏଥିରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ସହ ମାଟି ନିର୍ମିତ କୁମ୍ପି ପ୍ରଦାନ କରାଯାଇଥିଲା।
ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଜମାଖାତାରେ ଯଥାକ୍ରମେ ୧,୫୦୦ ଟଙ୍କା, ୧,୦୦୦ ଟଙ୍କା ଓ ୫୦୦ ଟଙ୍କା ପୁରସ୍କାର ରାଶି ଜମା କରାଯାଇଥିଲା। ପ୍ରଥମ ସ୍ଥାନ ହାସଲ କରିଥିବା ପମି ନାଗ, ଦ୍ୱିତୀୟ ସ୍ଥାନ ହାସଲ କରିଥିବା ପାୟଲ ପଣ୍ଡା ଏବଂ ତୃତୀୟ ସ୍ଥାନ ହାସଲ କରିଥିବା ସତ୍ୟମ ଶିବମ ହୋତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମରେ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଶାଖାର କିରାଣି ଶ୍ରୀ ସଞ୍ଜୟ କୁମାର ବାରିକଙ୍କ ସମେତ ଶ୍ରୀ ଫିରୋଜ ମିଶ୍ର, ଶ୍ରୀ ପ୍ରେମାନନ୍ଦ ମିଶ୍ର ଓ ଶ୍ରୀ ସୁଶାନ୍ତ ମିଶ୍ର ଉପସ୍ଥିତ ଥିଲେ।



