ଓଡିଶା

ଯାତ୍ରୀବାହୀ ବସ୍‌ରେ ଗଞ୍ଜେଇ ଚାଲାଣର ପର୍ଦ୍ଦାଫାସ : ୩ ମହିଳାଙ୍କ ସମେତ ୪ ଗିରଫ, ପୁଷ୍ପରାଜ ବସ୍‌ ଜବତ

କନ୍ଧମାଳ, ୩୦/୧୦:(ସଞ୍ଜୟ କୁମାର ପାଣିଗ୍ରାହୀ ): ଯାତ୍ରୀବାହୀ ବସ୍‌କୁ ଗଞ୍ଜେଇ ଚାଲାଣର ମାଧ୍ୟମ କରିଥିବା ଅଭିଯୋଗରେ କନ୍ଧମାଳ ଜିଲ୍ଲା ସଦର ଥାନା ପୋଲିସ ୩ ଜଣ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ଗଞ୍ଜେଇ ଚାଲାଣରେ ବ୍ୟବହୃତ ‘ପୁଷ୍ପରାଜ’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌କୁ ମଧ୍ୟ ପୋଲିସ ଜବତ କରିଛି। ଅଭିଯୁକ୍ତଙ୍କ ନିକଟରୁ ମୋଟ ୨୯ କେଜି ଗଞ୍ଜେଇ ଜବତ ହୋଇଥିବା ଜଣାପଡ଼ିଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ଫୁଲବାଣୀ ଅଭିମୁଖେ ଆସୁଥିବା ପୁଷ୍ପରାଜ ନାମକ ଘରୋଇ ବସ୍‌ରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ସଦର ଥାନା ପୋଲିସକୁ ଗୁପ୍ତ ସୂଚନା ମିଳିଥିଲା। ଏହି ସୂଚନାକୁ ଆଧାର କରି ପୋଲିସ ତତ୍ପରତା ପ୍ରକାଶ କରି ସମ୍ପୃକ୍ତ ବସ୍‌କୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ବସ୍‌ରୁ ୨୯ କେଜି ଗଞ୍ଜେଇ ଠାବ ହେବା ପରେ ଏହି ଚାଲାଣରେ ସମ୍ପୃକ୍ତ ଥିବା ୪ ଜଣଙ୍କୁ ପୋଲିସ କାବୁ କରିଥିଲା। ଗିରଫଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ଜଣାପଡ଼ିଛି। ଏନେଇ ସଦର ଥାନାରେ କେସ୍‌ ନମ୍ବର ୨୩୨/୨୦୨୬ ରେ ମାମଲା ରୁଜୁ କରାଯାଇଛି। ଜବତ ଗଞ୍ଜେଇ ଓ ବସ୍‌କୁ ପୋଲିସ ନିଜ ହେପାଜତକୁ ନେବା ସହ ଗିରଫ ୪ ଅଭିଯୁକ୍ତଙ୍କୁ ଆଇନଗତ ପ୍ରକ୍ରିୟା ଅନୁଯାୟୀ କୋର୍ଟ ଚାଲାଣ କରିଛି। ଯାତ୍ରୀବାହୀ ବସ୍‌ ଭଳି ସାଧାରଣ ପରିବହନ ମାଧ୍ୟମରେ ନିଶାଦ୍ରବ୍ୟ ଚାଲାଣ ହେଉଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଚାଲାଣ ପଛରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୋଲିସର ତଦନ୍ତ ଜାରି ରହିଥିବା ଜଣାପଡ଼ିଛି।

Related Articles

Leave a Reply

Your email address will not be published. Required fields are marked *

Back to top button