ଜିଲ୍ଲାସ୍ତରୀୟ କର୍ମଶାଳା ରେ ଗଣତନ୍ତ୍ରର ସୁରକ୍ଷା ଓ ଅରାଜକତା ବିରୋଧରେ ବିଜେପିର ରଣହୁଙ୍କାର

ବାଲିଗୁଡା, ୩୦/୧୦ 🙁ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ‘ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ’ ଶୀର୍ଷକ ଜିଲ୍ଲାସ୍ତରୀୟ କର୍ମଶାଳା ଜି.ଉଦୟଗିରି ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ବିଜେପି ସଭାପତି ପଣ୍ଡିତ ବିଶି ମାଝୀଙ୍କ ନେତୃତ୍ୱରେ ଆୟୋଜିତ ଏହି କର୍ମଶାଳାରେ ଦଳୀୟ ସଂଗଠନକୁ ଅଧିକ ସୁଦୃଢ଼ କରିବା ସହ ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ଓ ଜନସାଧାରଣଙ୍କ ସମସ୍ୟାକୁ ଗୁରୁତ୍ୱ ଦେବା ଉପରେ ଆଲୋଚନା ହୋଇଥିଲା। ଏହି କର୍ମଶାଳା ରେ ବିଜେପିର ରାଜ୍ୟ ଉପସଭାପତି ଡ. ଯତୀନ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାରାୟଣ ନାୟକ ଏବଂ ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ ଉପସ୍ଥିତ ରହିଥିଲେ। ଏଥିସହ ଜିଲ୍ଲା ବିଜେପିର ବିଭିନ୍ନ ପଦାଧିକାରୀ, ଦଳୀୟ ନେତା ଓ କର୍ମୀମାନେ ମଧ୍ୟ କର୍ମଶାଳାରେ ସାମିଲ ହୋଇଥିଲେ। ବୈଠକରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ରହିଥିବା ମୌଳିକ ସମସ୍ୟା, ଗ୍ରାମୀଣ ଭିତ୍ତିଭୂମିର ବିକାଶ, ରାସ୍ତାଘାଟ, ପାନୀୟ ଜଳ ଯୋଗାଣ ଓ ଜନସାଧାରଣଙ୍କ ସମ୍ମୁଖୀନ ହେଉଥିବା ଅନ୍ୟାନ୍ୟ ଅସୁବିଧା ସମ୍ପର୍କରେ ଆଲୋଚନା ହୋଇଥିଲା। ଉପସ୍ଥିତ ଦଳୀୟ ପଦାଧିକାରୀ ମାନେ ନିଜ ନିଜ ଅଞ୍ଚଳର ସମସ୍ୟା ଓ ଲୋକଙ୍କ ଅଭିଯୋଗ ଅତିଥିମାନଙ୍କ ଦୃଷ୍ଟିକୁ ଆଣିଥିଲେ। ଏହି ଅବସରରେ ମନ୍ତ୍ରୀ ରବି ନାରାୟଣ ନାୟକ ଜିଲ୍ଲାର ବିଭିନ୍ନ ସମସ୍ୟାକୁ ଗୁରୁତ୍ୱର ସହ ଶୁଣିବା ସହ ସେଗୁଡ଼ିକର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ସମ୍ପୃକ୍ତ ପ୍ରଶାସନିକ ଅଧିକାରୀମାନଙ୍କୁ କହିଥିଲେ। ଜନସାଧାରଣଙ୍କ ସମସ୍ୟାର ସମାଧାନ ଓ ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଦିଗରେ ସମନ୍ୱୟ ରଖି କାମ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଜିଲ୍ଲାରେ ଦଳୀୟ ସଂଗଠନକୁ ତୃଣମୂଳ ସ୍ତରରୁ ଅଧିକ ସକ୍ରିୟ କରିବା ସହ ଲୋକଙ୍କ ନିକଟରେ ସରକାରୀ ଯୋଜନା ଓ ବିକାଶମୂଳକ କାର୍ଯ୍ୟର ବାର୍ତ୍ତା ପହଞ୍ଚାଇବା ଏହି କର୍ମଶାଳାର ଅନ୍ୟତମ ଉଦ୍ଦେଶ୍ୟ ରହିଥିଲା। ଦଳୀୟ ନେତା ଓ କର୍ମୀଙ୍କ ଉପସ୍ଥିତିରେ କର୍ମଶାଳାଟି ସମାପନ ହୋଇଥିଲା।



