ଜାମଦାରେ ୪ ବର୍ଷର ଶିଶୁକନ୍ୟାଙ୍କ ସହ ଦୁଷ୍କର୍ମ ଘଟଣା: ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଉପ-ଜିଲ୍ଲାପାଳଙ୍କୁ ମାସାର ସ୍ମାରକପତ୍ର/ଶିଶୁକନ୍ୟାଙ୍କୁ ନ୍ୟାୟ ଦିଅ, ଦୋଷୀଙ୍କୁ ଦଣ୍ଡ ଦିଅ: ମାସା ସଂଗଠନ ର ଦାବି।

ଜାମଦା ଘଟଣାରେ ମାସା ସଂଗଠନ ର ଗର୍ଜନ, ଶିଶୁ ସୁରକ୍ଷା ପାଇଁ ପ୍ରଶାସନକୁ ଚେତାବନୀ।
ରାଇରଙ୍ଗପୁର ୩୦/୧୦ (ଶ୍ଯାମଳେନ୍ଦୁ ପରିଡା)
ମୟୂରଭଞ୍ଜ ଜିଲ୍ଲାର ଜାମଦା ବ୍ଲକ ଅଞ୍ଚଳରେ ଜଣେ ୪ ବର୍ଷର ଶିଶୁକନ୍ୟାଙ୍କ ସହ ଘଟିଥିବା ଦୁଷ୍କର୍ମ ଘଟଣାକୁ ନେଇ ସାଧାରଣରେ ଗଭୀର ଉଦ୍ବେଗ ଓ ଅସନ୍ତୋଷ ପ୍ରକାଶ ପାଇଛି। ଏହି ଘଟଣାରେ ପୀଡ଼ିତା ଶିଶୁକନ୍ୟାଙ୍କୁ ନ୍ୟାୟ ପ୍ରଦାନ, ଅଭିଯୁକ୍ତଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଏବଂ ଜିଲ୍ଲାରେ ମହିଳା ଓ ଶିଶୁଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦାବିରେ ମୟୂରଭଞ୍ଜ ଆଦିବାସୀ ଛାତ୍ର ସଂଗଠନ (ମାସା) ପକ୍ଷରୁ ବାମନଘାଟି ଉପ-ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।
ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଏଭଳି ଘଟଣା କେବଳ ଜଣେ ଶିଶୁର ଜୀବନ ଓ ଭବିଷ୍ୟତକୁ ପ୍ରଭାବିତ କରୁନାହିଁ, ବରଂ ସମାଜରେ ମହିଳା ଓ ଶିଶୁଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତି ମଧ୍ୟ ଗମ୍ଭୀର ପ୍ରଶ୍ନ ସୃଷ୍ଟି କରୁଛି। ମୟୂରଭଞ୍ଜ ଜିଲ୍ଲାରେ ଏଭଳି ଘଟଣାର ପୁନରାବୃତ୍ତି ରୋକିବା ପାଇଁ ପ୍ରଶାସନ ଅଧିକ ସଚେତନ ଓ ଦାୟିତ୍ୱବାନ ହେବା ଆବଶ୍ୟକ ବୋଲି ସଂଗଠନ ଦାବି କରିଛି।
ସ୍ମାରକପତ୍ରରେ ମାସା ପକ୍ଷରୁ ମୋଟ ୬ ଦଫା ଦାବି ଉପସ୍ଥାପନ କରାଯାଇଛି। ସେଥିମଧ୍ୟରେ ଘଟଣାର ନିରପେକ୍ଷ ଓ ତ୍ୱରିତ ତଦନ୍ତ, ଅଭିଯୁକ୍ତଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର ଦଣ୍ଡବିଧାନ, ପୀଡ଼ିତାଙ୍କୁ ଉପଯୁକ୍ତ ଚିକିତ୍ସା ଓ ମାନସିକ ପରାମର୍ଶ ସହ ସମସ୍ତ ସରକାରୀ ସହାୟତା ଯୋଗାଇଦେବା ଅନ୍ତର୍ଭୁକ୍ତ ରହିଛି।
ଏଥିସହ ଜିଲ୍ଲାର ସମସ୍ତ ବ୍ଲକ, ଗ୍ରାମପଞ୍ଚାୟତ, ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ମହିଳା ଓ ଶିଶୁ ସୁରକ୍ଷା ସମ୍ପର୍କିତ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ, ଅଭିଭାବକ ଓ ଶିଶୁମାନଙ୍କୁ ଯୌନ ନିର୍ଯାତନାରୁ ସୁରକ୍ଷା ଏବଂ ଅଭିଯୋଗ ଦାଖଲ ପ୍ରକ୍ରିୟା ସମ୍ପର୍କରେ ସଚେତନ କରିବା ସହ ଏଭଳି ଅଭିଯୋଗ ଉପରେ ପ୍ରଶାସନ ଓ ପୋଲିସ ପକ୍ଷରୁ ତ୍ୱରିତ ପଦକ୍ଷେପ ଏବଂ ନିୟମିତ ନିରୀକ୍ଷଣ ବ୍ୟବସ୍ଥା କରିବାକୁ ଦାବି କରାଯାଇଛି।
ଶେଷରେ ସଂଗଠନ ପକ୍ଷରୁ ପ୍ରଶାସନକୁ ଏହି ସମ୍ବେଦନଶୀଳ ଘଟଣାକୁ ଗୁରୁତ୍ୱର ସହ ବିଚାର କରି ସମସ୍ତ ଦାବି ପୂରଣ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି।
ଶିଶୁଙ୍କ ସୁରକ୍ଷା କେବଳ ପରିବାରର ନୁହେଁ, ଏହା ସମଗ୍ର ସମାଜ ଓ ପ୍ରଶାସନର ସାମୂହିକ ଦାୟିତ୍ୱ।



