ଭକ୍ତି ଓ କର୍ତ୍ତବ୍ୟର ଅନନ୍ୟ ଉଦାହରଣ: ମା’ ଗଜଲକ୍ଷ୍ମୀଙ୍କ ମେଢ଼ କାନ୍ଧେଇଲେ ଆଇଜି ଡ. ସତ୍ୟଜିତ ନାୟକ
ଖାଲି ପାଦରେ ଭସାଣି ଶୋଭାଯାତ୍ରାରେ ସାମିଲ ହେଲେ ଆଇଜି ଓ ଏସ୍ପି; ୩୦ରୁ ଅଧିକ ପ୍ଲାଟୁନ୍ ପୁଲିସ ମୁତୟନ

କେନ୍ଦ୍ରାପଡ଼ା, ୧ ନଭେମ୍ବର ୨୦୨୬: ପଦମର୍ଯ୍ୟାଦା ଓ ସରକାରୀ କର୍ତ୍ତବ୍ୟର ଊର୍ଦ୍ଧ୍ୱରେ ରହି ଭକ୍ତି, ନମ୍ରତା ଓ ପରମ୍ପରା ପ୍ରତି ସମ୍ମାନର ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ମଧ୍ୟାଞ୍ଚଳ ଆଇଜି ଡ. ସତ୍ୟଜିତ ନାୟକ। କେନ୍ଦ୍ରାପଡ଼ାର ଐତିହାସିକ ମା’ ଗଜଲକ୍ଷ୍ମୀଙ୍କ ଶତବାର୍ଷିକୀ ପୂଜା ଅବସରରେ ଆୟୋଜିତ ଭସାଣି ଉତ୍ସବରେ ସେ ଖାଲି ପାଦରେ ସାମିଲ ହୋଇ ମା’ଙ୍କ ମେଢ଼କୁ ନିଜ କାନ୍ଧରେ ବୋହିଥିଲେ। ତାଙ୍କ ସହ କେନ୍ଦ୍ରାପଡ଼ା ଏସ୍ପି ସିଦ୍ଧାର୍ଥ କାଟାରିଆ ମଧ୍ୟ ଏହି ପବିତ୍ର ଶୋଭାଯାତ୍ରାରେ ଯୋଗ ଦେଇଥିଲେ। ଦୁଇ ବରିଷ୍ଠ ପୁଲିସ ଅଧିକାରୀଙ୍କ ଏଭଳି ଅଂଶଗ୍ରହଣ ଭକ୍ତି ସହିତ ଜନସମ୍ପର୍କ ଓ ସାଂସ୍କୃତିକ ପରମ୍ପରା ପ୍ରତି ସମ୍ମାନର ଏକ ସୁନ୍ଦର ବାର୍ତ୍ତା ଦେଇଛି। ଏହି ଅବସରରେ କେବଳ ଉତ୍ସବରେ ସାମିଲ ହେବା ନୁହେଁ, ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଆଇନଶୃଙ୍ଖଳା ରକ୍ଷା ପାଇଁ ମଧ୍ୟ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଥିଲା। ଭସାଣି ଶୋଭାଯାତ୍ରା ଓ ମେଲଣକୁ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବା ପାଇଁ ସହରର ବିଭିନ୍ନ ପ୍ରମୁଖ ଓ ସମ୍ବେଦନଶୀଳ ସ୍ଥାନରେ ୩୦ରୁ ଅଧିକ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ଏଏସ୍ପି, ଡିଏସ୍ପି, ଇନ୍ସପେକ୍ଟରଙ୍କ ସମେତ ବରିଷ୍ଠ ଅଧିକାରୀଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଥିଲା।
ଆଇଜି ଡ. ନାୟକ ଓ ଏସ୍ପି ଶ୍ରୀ କାଟାରିଆ ନିଜେ କ୍ଷେତ୍ରସ୍ତରରେ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥା, ଭିଡ଼ ନିୟନ୍ତ୍ରଣ ଓ ପୁଲିସ ମୁତୟନର ତଦାରଖ କରିଥିଲେ। ମୋବାଇଲ୍ ପାଟ୍ରୋଲିଂ ୟୁନିଟ୍, ଷ୍ଟ୍ରାଇକିଂ ଫୋର୍ସ ଓ ସାଦା ପୋଷାକଧାରୀ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯିବା ସହ ସିସିଟିଭି ମାଧ୍ୟମରେ ନଜରଦାରୀ କରାଯାଇଥିଲା। ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଟ୍ରାଫିକ୍ ନିୟନ୍ତ୍ରଣ, ନିର୍ଦ୍ଧାରିତ ପାର୍କିଂ ଓ ଯାତାୟାତ ବ୍ୟବସ୍ଥା କରାଯାଇଥିଲା। ପୁଲିସ, ପୂଜା କମିଟି, ସ୍ୱେଚ୍ଛାସେବୀ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ସମନ୍ୱୟ ରଖିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିସହ ସୋସିଆଲ ମିଡିଆରେ ପ୍ରସାରିତ ଗୁଜବରେ ବିଶ୍ୱାସ ନକରିବା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ଆଇଜି ଜନସାଧାରଣଙ୍କୁ ନିବେଦନ କରିଥିଲେ। ଏକପଟେ ଜନସାଧାରଣଙ୍କ ସୁରକ୍ଷା ପାଇଁ କର୍ତ୍ତବ୍ୟନିଷ୍ଠା, ଅନ୍ୟପଟେ ସେମାନଙ୍କ ଧାର୍ମିକ ଭାବନା ଓ ପରମ୍ପରା ପ୍ରତି ସମ୍ମାନ—ଏହି ଦୁଇର ସମନ୍ୱୟ ଡ. ନାୟକଙ୍କ ଅଂଶଗ୍ରହଣରେ ପ୍ରତିଫଳିତ ହୋଇଛି। ଭକ୍ତି, ପରମ୍ପରା ଓ ଜନସେବାର ଏହି ମିଳନ ଲୋକଙ୍କ ସହ ପୁଲିସର ଆତ୍ମୀୟ ସମ୍ପର୍କକୁ ଆହୁରି ମଜବୁତ କରିବାର ବାର୍ତ୍ତା ଦେଇଛି।



