ଋଷିକୁଲ୍ୟା ବନ୍ୟା ନେଇ ୨୭ରୁ ଚେତାବନୀ, ଡ୍ୟାମ୍ ପରିଚାଳନାକୁ ନେଇ ଘେରାରେ ଜଳସମ୍ପଦ ବିଭାଗ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରେ ଋଷିକୁଲ୍ୟା ନଦୀର ବନ୍ୟା ବିଭୀଷିକାକୁ ନେଇ ଏବେ ଜଳସମ୍ପଦ ବିଭାଗର ଡ୍ୟାମ୍ ପରିଚାଳନା ନୀତି ଉପରେ ପ୍ରଶ୍ନ ଉଠିଛି। ବନ୍ୟା ଆସିବାର ଦୁଇ ଦିନ ପୂର୍ବରୁ କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲୁସି) ସମ୍ଭାବ୍ୟ ବନ୍ୟା ନେଇ ସତର୍କ କରାଇଥିବା ସତ୍ତ୍ୱେ ପ୍ରଶାସନିକ ପ୍ରସ୍ତୁତି ଓ ଜଳଭଣ୍ଡାର ପରିଚାଳନାରେ କାହିଁକି ଆବଶ୍ୟକ ପଦକ୍ଷେପ ନିଆଗଲା ନାହିଁ, ତାହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅକ୍ଟୋବର ୨୭ ତାରିଖରେ ପ୍ରକାଶିତ ବୁଲେଟିନ୍ରେ ଋଷିକୁଲ୍ୟା ନଦୀରେ ସାମାନ୍ୟରୁ ଗମ୍ଭୀର ବନ୍ୟା ସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିବା ସିଡବ୍ଲୁସି ଉଲ୍ଲେଖ କରିଥିଲା। ଏହାର ପରଦିନ ଅର୍ଥାତ୍ ୨୮ ତାରିଖର ବୁଲେଟିନ୍ରେ ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ୨୯ ତାରିଖରେ ଗଞ୍ଜାମ, ଗଜପତି ଓ କନ୍ଧମାଳ ସମେତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଆକସ୍ମିକ ବନ୍ୟାର ଅଧିକ ଆଶଙ୍କା ଥିବା ଦର୍ଶାଯାଇଥିଲା। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନକୁ ଆଧାର କରି ସିଡବ୍ଲୁସି ଏହି ସତର୍କ ସୂଚନା ଜାରି କରିଥିଲା। ପରବର୍ତ୍ତୀ ସମୟରେ ଗଞ୍ଜାମରେ ବ୍ୟାପକ ବନ୍ୟା ଏହି ଆକଳନର ଗୁରୁତ୍ୱକୁ ସ୍ପଷ୍ଟ କରିଛି। ଅନ୍ୟପକ୍ଷରେ, ଅକ୍ଟୋବର ୨୮ ତାରିଖ ରାତି ୯ଟାରେ ଭଞ୍ଜନଗର ଜଳସେଚନ ବିଭାଜନ ପକ୍ଷରୁ ବିଭିନ୍ନ ଜଳଭଣ୍ଡାର ଓ ନଦୀର ଗଜ୍ ଷ୍ଟେସନ୍ଗୁଡ଼ିକର ଜଳସ୍ତର ସମ୍ପର୍କିତ ତଥ୍ୟ ଜାରି କରାଯାଇଥିଲା। ସେତେବେଳକୁ ବାଘୁଆକୁ ବାଦ୍ ଦେଲେ ଋଷିକୁଲ୍ୟା, ଲୋହରାଖଣ୍ଡି, ବଡ଼ନଦୀ ଓ ପଦ୍ମା ନଦୀର ବିଭିନ୍ନ ଗଜ୍ ଷ୍ଟେସନ୍ରେ ଜଳସ୍ତର ବିପଦ ସଙ୍କେତର ନିକଟତର ହୋଇଥିବା ସୂଚନା ମିଳିଥିଲା। ଏଭଳି ସ୍ଥିତିରେ ଭଞ୍ଜନଗର, ସୋରଡ଼ା ଓ ଡହ ଜଳଭଣ୍ଡାରର ଗେଟ୍ ଖୋଲାଯିବା ଏବଂ ଜଳ ନିଷ୍କାସନର ସମୟକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଡହ ଜଳଭଣ୍ଡାରରୁ ଅକ୍ଟୋବର ୨୬ରୁ ୩୦ ମଧ୍ୟରେ ଜଳ ନିଷ୍କାସନ ପାଇଁ ୨୪ ତାରିଖରୁ ସୂଚନା ଦିଆଯାଇଥିଲେ ମଧ୍ୟ ନିର୍ଦ୍ଧାରିତ ସମୟରେ ଆବଶ୍ୟକ ପଦକ୍ଷେପ ନିଆଯାଇନଥିଲା। ଫଳରେ ରାତି ଅଧରେ କିମ୍ବା ଭୋର ସମୟରେ ଜଳ ନିଷ୍କାସନ ହେବା ଯୋଗୁଁ ଅକ୍ଟୋବର ୨୯ ତାରିଖ ସକାଳ ପ୍ରାୟ ୯ଟା ୩୦ ସୁଦ୍ଧା ଭଞ୍ଜନଗର ସହରର ବିଭିନ୍ନ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଥିଲା ବୋଲି ଅଭିଯୋଗ ହୋଇଛି। ଡହ ଜଳଭଣ୍ଡାରରୁ ଜଳ ନିଷ୍କାସନ ସମ୍ପର୍କିତ ଏକ ଚିଠି ସୋସିଆଲ ମିଡିଆରେ ଘୂରି ବୁଲୁଥିବା ବେଳେ ଏହାକୁ ନେଇ ବିଭିନ୍ନ ମହଲରେ ସ୍ପଷ୍ଟୀକରଣ ଦାବି ହେଉଛି। ବିଜେଡି ଜଳଭଣ୍ଡାରରେ ଗଚ୍ଛିତ ଜଳ ଠିକ୍ ସମୟରେ ନିଷ୍କାସନ ନକରିବାକୁ ବନ୍ୟାର ଏକ ପ୍ରମୁଖ କାରଣ ବୋଲି ଅଭିଯୋଗ କରିଛି। କଂଗ୍ରେସ, ବାମଦଳ ଓ ଅନ୍ୟ ବିରୋଧୀ ଦଳଗୁଡ଼ିକ ମଧ୍ୟ ଆଗୁଆ ସତର୍କ ସୂଚନା ସତ୍ତ୍ୱେ ସରକାର ପର୍ଯ୍ୟାପ୍ତ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିନଥିବା ଅଭିଯୋଗ ଆଣିଛନ୍ତି। ତେବେ ଡ୍ୟାମ୍ ପରିଚାଳନାରେ କୌଣସି ତ୍ରୁଟି ହୋଇଥିବା ଅଭିଯୋଗକୁ ଜଳସମ୍ପଦ ବିଭାଗ ଖଣ୍ଡନ କରିଛି। ବିଭାଗର ମୁଖ୍ୟ ଯନ୍ତ୍ରୀ ଦିଲ୍ଲୀପ କୁମାର ରାଉତଙ୍କ କହିବା ଅନୁଯାୟୀ, ବାତ୍ୟା ସତର୍କତାକୁ ଦୃଷ୍ଟିରେ ରଖି ଅଞ୍ଚଳର ଜଳଭଣ୍ଡାରଗୁଡ଼ିକର ଜଳସ୍ତର ପୂର୍ବରୁ କ୍ଷମତାର ୬୦ ପ୍ରତିଶତକୁ ହ୍ରାସ କରାଯାଇଥିଲା। ଅତ୍ୟଧିକ ବର୍ଷା ଯୋଗୁଁ ଋଷିକୁଲ୍ୟାର ଜଳସ୍ତର ଖୁବ୍ କମ୍ ସମୟ ମଧ୍ୟରେ ବୃଦ୍ଧି ପାଇ ୧୭ ମିଟରର ବିପଦ ସଙ୍କେତ ଅତିକ୍ରମ କରି ୧୯.୨ ମିଟରରେ ପହଞ୍ଚିଥିଲା। ତେବେ ଆଗୁଆ ସତର୍କ ସୂଚନା, ଜଳଭଣ୍ଡାରରୁ ଜଳ ନିଷ୍କାସନର ସମୟ ଓ ବନ୍ୟା ପରିଚାଳନା ମଧ୍ୟରେ ସମନ୍ୱୟ ରହିଥିଲା କି ନାହିଁ, ତାହାର ନିରପେକ୍ଷ ସମୀକ୍ଷା ଦାବି ଜୋର ଧରିଛି।



