ବନକଲାଗି ନୀତି ପାଇଁ ୪ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର ଦର୍ଶନ

ପୁରୀ, ନଭେମ୍ବର ୪: ଶ୍ରୀଜଗନ୍ନାଥ ମନ୍ଦିରକୁ ଦର୍ଶନ ପାଇଁ ଯିବାକୁ ଯୋଜନା କରୁଥିବା ଭକ୍ତଙ୍କ ପାଇଁ ବିଶେଷ ସୂଚନା। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବାକୁ ଥିବାରୁ ବୁଧବାର ପ୍ରାୟ ୪ ଘଣ୍ଟା ଧରି ସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁଯାୟୀ, ଦ୍ୱିତୀୟ ଭୋଗମଣ୍ଡପ ନୀତି ସମ୍ପନ୍ନ ହେବା ପରେ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଭକ୍ତମାନେ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ ନାହିଁ। କାର୍ତ୍ତିକ ମାସ କୃଷ୍ଣପକ୍ଷ ଦଶମୀ ତିଥିରେ ଏହି ପାରମ୍ପରିକ ନୀତି ଅନୁଷ୍ଠିତ ହେବ। ବନକଲାଗି ହେଉଛି ଶ୍ରୀମନ୍ଦିରର ଏକ ସ୍ୱତନ୍ତ୍ର ଓ ପ୍ରାଚୀନ ପରମ୍ପରା। ଏହି ନୀତିରେ ଦାରୁବିଗ୍ରହମାନଙ୍କ ଶ୍ରୀମୁଖକୁ ପାରମ୍ପରିକ ପ୍ରାକୃତିକ ରଙ୍ଗ ଓ ବିଶେଷ ଦ୍ରବ୍ୟରେ ଶୃଙ୍ଗାର କରାଯାଇ ନୂତନ ରୂପ ପ୍ରଦାନ କରାଯାଏ। ନୀତି ସମୟରେ ମନ୍ଦିର ଭିତରେ ସ୍ୱତନ୍ତ୍ର ବିଧିବିଧାନ ଅନୁସାରେ ଏହି କାର୍ଯ୍ୟ ସମ୍ପନ୍ନ ହେବ। ନୀତି ଶେଷ ହେବା ପରେ ପୁନର୍ବାର ସାଧାରଣ ଦର୍ଶନ ସ୍ୱାଭାବିକ ହେବ। ତେଣୁ ଦୂରଦୂରାନ୍ତରୁ ପୁରୀ ଆସୁଥିବା ଶ୍ରଦ୍ଧାଳୁ ଓ ଭକ୍ତମାନେ ଏହି ସମୟସୂଚୀକୁ ଧ୍ୟାନରେ ରଖି ନିଜର ଦର୍ଶନ କାର୍ଯ୍ୟକ୍ରମ ସ୍ଥିର କରିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।



