ବାତ୍ୟା ‘ଅର୍ଣ୍ଣବ’ ପାଇଁ OCS ମୁଖ୍ୟ ପରୀକ୍ଷାରୁ ବଞ୍ଚିତ ପ୍ରାର୍ଥୀ, ମୁଖ୍ୟ ଶାସନ ସଚିବଙ୍କୁ ହାଇକୋର୍ଟଙ୍କ ନୋଟିସ

କଟକ, ନଭେମ୍ବର ୫: ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ଯୋଗୁଁ ଦକ୍ଷିଣ ଓଡ଼ିଶାର ଅନେକ ପରୀକ୍ଷାର୍ଥୀ ଓଡ଼ିଶା ସିଭିଲ ସର୍ଭିସ (OCS) ମୁଖ୍ୟ ଲିଖିତ ପରୀକ୍ଷାରେ ଯୋଗଦେବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ରୁଜୁ ମାମଲାର ଶୁଣାଣି କରି ଓଡ଼ିଶା ହାଇକୋର୍ଟ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ଓଡ଼ିଶା ଲୋକସେବା ଆୟୋଗ (OPSC)ର ସଚିବଙ୍କୁ ନୋଟିସ ଜାରି କରି ଜବାବ ତଲବ କରିଛନ୍ତି। ଗତ ୩୧ ତାରିଖରୁ OPSC ପକ୍ଷରୁ OCS ମୁଖ୍ୟ ଲିଖିତ ପରୀକ୍ଷା ଆରମ୍ଭ ହୋଇଥିଲା। ତେବେ ବାତ୍ୟା ଯୋଗୁଁ ଯାତାୟାତ ଓ ଅନ୍ୟାନ୍ୟ ସମସ୍ୟା ଉପୁଜିବାରୁ ଦକ୍ଷିଣ ଓଡ଼ିଶାର କେତେକ ପ୍ରାର୍ଥୀ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ପାରି ନଥିବା ଦର୍ଶାଯାଇଛି।
ଏହି ପରିସ୍ଥିତିରେ ପରୀକ୍ଷାରୁ ବଞ୍ଚିତ ପ୍ରାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପୁନର୍ବାର ପରୀକ୍ଷା କରାଯାଇପାରିବ କି ନାହିଁ, ସେ ସମ୍ପର୍କରେ ରାଜ୍ୟ ସରକାର ଓ OPSCଙ୍କୁ ସ୍ପଷ୍ଟ ଜବାବ ଦେବାକୁ ହାଇକୋର୍ଟ କହିଛନ୍ତି। ଏଥିସହିତ ଚାଲିଥିବା ମୁଖ୍ୟ ଲିଖିତ ପରୀକ୍ଷାକୁ ବାତିଲ କରିବା ପାଇଁ ରଶ୍ମି ନାରାୟଣ ପଟ୍ଟନାୟକ ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି। ବିଚାରପତି ଜଷ୍ଟିସ୍ ସଞ୍ଜୀବ କୁମାର ପାଣିଗ୍ରାହୀ ଓ ଜଷ୍ଟିସ୍ ଏମ୍.ଏସ୍. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୬ ତାରିଖକୁ ଧାର୍ଯ୍ୟ କରିଛନ୍ତି।



