ଓଡିଶା

ଜିଲ୍ଲାର ସାମଗ୍ରିକ ବିକାଶ ଓ କଲ୍ୟାଣକାରୀ ଯୋଜନାର ସମୀକ୍ଷା କଲେ ଜିଲ୍ଲା ନୋଡାଲ ଅଫିସର ଡ. ମୃଣାଳିନୀ ଦର୍ଶୱାଲ

ଯାଜପୁର, ୦୫. ୧୧. ୨୬:( ବିନାୟକ ନିୟୁଜ୍)

ଜିଲ୍ଲାର ବିଭିନ୍ନ ସାମଗ୍ରିକ ବିକାଶ ଓ ସରକାରୀ ଯୋଜନାର ଅଗ୍ରଗତି ସମ୍ପର୍କରେ ତଦାରଖ କରିବା ପାଇଁ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଏବଂ ଜିଲ୍ଲା ନୋଡାଲ ଅଫିସର ଡ. ମୃଣାଳିନୀ ଦର୍ଶୱାଲ ଆଜି ଯାଜପୁର ଗସ୍ତ କରି ବିବିଧ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଆଜି ଅପରାହ୍ନ ୨ ଟାରେ ସେ ଯାଜପୁରରେ ପହଞ୍ଚିବା ପରେ ଜିଲ୍ଲାପାଳ ଅମ୍ବର କୁମାର କର, ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାୟକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଫିସର (ସିଡିଓ) ଦେବୀ ପ୍ରସାଦ ମହାନ୍ତି ଏବଂ ଉପ-ଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀ ପ୍ରମୁଖ ତାଙ୍କୁ ସ୍ୱାଗତ ଜଣାଇଥିଲେ।

 

ଗସ୍ତର ପ୍ରଥମ ପର୍ଯ୍ୟାୟରେ ନୋଡାଲ ଅଫିସର ଯାଜପୁର ମୁଖ୍ୟ ଚିକିତ୍ସାଳୟ (ଡିଏଚଏଚ) ପରିଦର୍ଶନ କରିଥିଲେ। ସେ ସ୍ୱାସ୍ଥ୍ୟକେନ୍ଦ୍ରର ଔଷଧ ବିତରଣ କେନ୍ଦ୍ର, ଚିକିତ୍ସା ସୁବିଧା, ନିୟୋଜିତ ବେସରକାରୀ ସଂସ୍ଥାଗୁଡ଼ିକର କାର୍ଯ୍ୟ, ରୋଗୀଙ୍କ ପ୍ରତିକ୍ରିୟା ଏବଂ ମହିଳା ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ। ଏଥିସହ ଶିଶୁ ଓ ସ୍ତ୍ରୀ-ରୋଗ ବିଭାଗ ପରିଦର୍ଶନ କରି ନବଜାତ ଶିଶୁଙ୍କ ମା’ମାନଙ୍କ ସହ ଆଲୋଚନା କରିଥିଲେ। ହସ୍ପିଟାଲ ପରିସରରେ ସ୍ମାର୍ଟ କାର୍ଯ୍ୟଶୈଳୀ ଆପଣାଇବା, ଅଭିଯୋଗ ବାକ୍ସ ସ୍ଥାପନ, ସ୍ୱତନ୍ତ୍ର ଶିଶୁ ଯତ୍ନ ୟୁନିଟ୍ ଏବଂ ପୃଥକ୍ ବ୍ଲଡ୍ ବ୍ୟାଙ୍କ ୟୁନିଟ୍ ନିର୍ମାଣ ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ସେ କହିଥିଲେ ଯେ, ଯଦି ଜଣେ ରୋଗୀ ଚିକିତ୍ସା ପାଇଁ ଆପଣଙ୍କ ହସ୍ପିଟାଲକୁ ଆସୁଛନ୍ତି, ତେବେ ତାହା ହସ୍ପିଟାଲର ସେବା ପ୍ରଦାନର ଗୁଣବତ୍ତାକୁ ଦର୍ଶାଇଥାଏ। ଏହାପରେ ସେ ହସ୍ପିଟାଲ ପରିସରସ୍ଥ ‘ୱାନ୍ ଷ୍ଟପ୍ ସେଣ୍ଟର’ ପରିଦର୍ଶନ କରି ଏହାର ରହଣି ସୁବିଧା, କାଉନସେଲିଂ ସେବା ଓ ମାମଲାଗୁଡ଼ିକର ସମୀକ୍ଷା କରିଥିଲେ।

 

ଏହାପରେ ନୋଡାଲ ଅଫିସର ଉତ୍କଳ ବାଳାଶ୍ରମ ଏବଂ ସ୍ୱତନ୍ତ୍ର ପୌଷ୍ୟ ସନ୍ତାନ ଗ୍ରହଣ ସଂସ୍ଥା (SAA) ଗସ୍ତ କରିଥିଲେ। ସେଠାରେ ସେ ଶିଶୁମାନଙ୍କ ସହ ସ୍ନେହାଳାପ କରିବା ସହ ହଷ୍ଟେଲ, ରୋଷେଇ ଘର, ଭୋଜନ ଶାଳା ଓ ସଙ୍ଗୀତ କୋଠରୀ ବୁଲି ଦେଖିଥିଲେ। ଛାତ୍ରଛାତ୍ରୀଙ୍କ ପାଠପଢ଼ା ପାଇଁ ତୁରନ୍ତ ଗଣିତ ଓ ବିଜ୍ଞାନ ଶିକ୍ଷକ ନିଯୁକ୍ତି ଦେବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ ସଂସ୍ଥାରେ ଶିଶୁମାନଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ପାଳନକାରୀ ପିତାମାତାଙ୍କୁ ସ୍ୱତନ୍ତ୍ର ତାଲିମ ଏବଂ ଖାଲି ଥିବା କର୍ମଚାରୀ ପଦବୀ ତୁରନ୍ତ ପୂରଣ କରିବାକୁ ସେ ଗୁରୁତ୍ୱାରୋପ କରିଥିଲେ।

 

ପରିଦର୍ଶନ ଶେଷ କରିବା ପରେ କଲେକ୍ଟରେଟ୍ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ସମେତ ବରିଷ୍ଠ ଅଧିକାରୀ , ଓ ସମସ୍ତ ଲାଇନ ବିଭାଗର ଅଧିକାରୀ ଉପସ୍ଥିତିରେ ଏକ ବିସ୍ତୃତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପ୍ରାରମ୍ଭରେ ଜିଲ୍ଲାପାଳ ଜିଲ୍ଲାରେ କାର୍ଯ୍ୟକାରୀ ହୋଉଥିବା ଉନ୍ନୟନ ମୂଳକ ପ୍ରକଳ୍ପ ଓ ବିଭିନ୍ନ ଯୋଜନା କାର୍ଯ୍ୟକାରିତା ସମ୍ପର୍କରେ ଶାସନ ସଚିବଙ୍କୁ ଅବଗତ କରାଇଥିଲେ। ବୈଠକରେ ପ୍ରଥମେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ଖାଲି ପଦବୀଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପୂରଣ କରିବା ଏବଂ ଏହି ନିଯୁକ୍ତି ପ୍ରକ୍ରିୟାର ସଦ୍ୟତମ ସ୍ଥିତି ସମ୍ପର୍କରେ ନିୟମିତ ଜଣାଇବାକୁ ଉପ-ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

 

ଶିଶୁ ପୋଷଣ ସ୍ଥିତିର ସମୀକ୍ଷା କ୍ରମରେ ୨୨ ଟି ନମୁନା ଅଙ୍ଗନବାଡ଼ି କେନ୍ଦ୍ରର ତଥ୍ୟ ଅନୁଧ୍ୟାନ କରାଯାଇଥିଲା। ଅଙ୍ଗନବାଡ଼ି କର୍ମୀଙ୍କ ଦକ୍ଷତା ବୃଦ୍ଧି ଓ ନିୟମିତ ତଦାରଖ ଉପରେ ଗୁରୁତ୍ୱ ଦିଆଯିବା ସହ ଅତି-ଅପପୁଷ୍ଟ (SAM) ଶିଶୁଙ୍କୁ ଚିହ୍ନଟ କରି ତୁରନ୍ତ ଏନ୍.ଆର୍.ସି. (NRC) କୁ ଆଣିବା ପାଇଁ ସି.ଡି.ପି.ଓ.ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିସହ ମଧ୍ୟମ ଅପପୁଷ୍ଟ ଶିଶୁଙ୍କୁ ପୌଷ୍ଟିକ ଆହାର ଯୋଗାଇବା ଏବଂ ନିମ୍ନ ପ୍ରଦର୍ଶନକାରୀ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ନିୟମିତ ପରିଦର୍ଶନ କରିବାକୁ ପରାମର୍ଶ ଦିଆଯାଇଥିଲା।

 

ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ ରାଜ୍ୟର ନୂତନ ସାକ୍ଷରତା ନୀତି ଏବଂ ବିଦ୍ୟାଳୟ ଶିକ୍ଷାରେ ସଂସ୍କାର ଆଣିବା ଉପରେ ଆଲୋଚନା ହୋଇଥିଲା। ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଶିଶୁ-ଅନୁକୂଳ ଶୌଚାଳୟ, ବିଶୁଦ୍ଧ ପାନୀୟ ଜଳ ଏବଂ ମିଟର ସହ ବିଦ୍ୟୁତ୍ ସଂଯୋଗ ଯୋଗାଇ ଆଧୁନିକ କେନ୍ଦ୍ରରେ ରୂପାନ୍ତରିତ କରିବାକୁ ବିଡିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

 

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସମୀକ୍ଷା ବେଳେ ଜିଲ୍ଲାରେ ପାରା-ମେଡିକାଲ କଲେଜ ପ୍ରତିଷ୍ଠା ସମ୍ଭାବନା, ରୋଗର କାରଣ ସମ୍ପର୍କିତ ଅନୁଧ୍ୟାନ, ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ ଏବଂ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଆଶା କର୍ମୀମାନେ ଯେପରି ସମୟସୀମା ମଧ୍ୟରେ ରୋଗୀଙ୍କ ନିକଟରେ ପହଞ୍ଚି ଉତ୍ତମ ସେବା ଯୋଗାଇବେ, ସେଥିପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

 

ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ପ୍ରକଳ୍ପଗୁଡ଼ିକ ପାଇଁ କନିଷ୍ଠ ଯନ୍ତ୍ରୀ (JE) ନିଯୁକ୍ତି ଏବଂ ‘ସେତୁ ବନ୍ଧନ ଯୋଜନା’ ଅଧୀନରେ ପୋଲ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଯେକୌଣସି ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଇବାକୁ କୁହାଯାଇଥିଲା। ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ୪ ରୁ ୬ ବର୍ଷ ବୟସର ଶିଶୁମାନଙ୍କ ଶିକ୍ଷାଗ୍ରହଣ ସ୍ଥିତି ଏବଂ ଅଙ୍ଗନବାଡ଼ିରୁ ବିଦ୍ୟାଳୟକୁ ସ୍ଥାନାନ୍ତର ହେଉଥିବା ୫-୬ ବର୍ଷ ବୟସର ଶିଶୁଙ୍କ ନାମ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

 

ବୈଠକର ଶେଷ ପର୍ଯ୍ୟାୟରେ ଏସ.ଟି. ଓ ଏସ.ସି. ବିଭାଗର ଭିତ୍ତିଭୂମି ସମସ୍ୟାର ସମାଧାନ, ବେସାମରିକ ଯୋଗାଣ ବିଭାଗ ଦ୍ୱାରା ଚାଉଳ ଓ ଗହମ ଯୋଗାଣର ସ୍ୱଚ୍ଛତା ଓ ଜବାବଦିହିତା, ସମବାୟ ବିଭାଗର ଏସ.ଟି.ଏ.ଓ. (STAO) ଆକଳନ ଏବଂ ପଞ୍ଚାୟତିରାଜ ବିଭାଗର ଖାଲି ପଦବୀ ପୂରଣ ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଜିଲ୍ଲାର ସମସ୍ତ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରଖି ଜନସାଧାରଣଙ୍କ ନିକଟରେ ସରକାରୀ ସେବା ସଠିକ୍ ସମୟରେ ପହଞ୍ଚାଇବାକୁ ନୋଡାଲ ଅଫିସର ଆହ୍ୱାନ ଦେଇଥିଲେ।

 

 

Related Articles

Leave a Reply

Your email address will not be published. Required fields are marked *

Back to top button