ଯାଜପୁରରେ କାଳୀପୂଜା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଆଇଜି ଡଃ ସତ୍ୟଜିତ ନାୟକ, ଏସ୍ପିଙ୍କ ସହ ଫ୍ଲାଗ୍ମାର୍ଚ୍ଚ
୧୧୯ଟି ପୂଜା ମଣ୍ଡପ ପାଇଁ ୨୨ ପ୍ଲାଟୁନ୍ ପୋଲିସ ଫୋର୍ସ ଓ ୪୦୦ ହୋମଗାର୍ଡ ମୁତୟନ

ଯାଜପୁର: ଆଗାମୀ କାଳୀପୂଜା ଉତ୍ସବକୁ ଶାନ୍ତିଶୃଙ୍ଖଳା ଓ ସୁରକ୍ଷିତ ଭାବେ ପାଳନ କରିବା ଲକ୍ଷ୍ୟରେ ଯାଜପୁର ଜିଲ୍ଲାରେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶୁକ୍ରବାର କେନ୍ଦ୍ରାଞ୍ଚଳ ଆଇଜି ଡଃ ସତ୍ୟଜିତ ନାୟକ, ଆଇପିଏସ୍, ଯାଜପୁର ଜିଲ୍ଲାର କାଳୀପୂଜା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବା ସହ ଯାଜପୁର ଏସ୍ପି ୟଶ ପ୍ରତାପ ଶ୍ରୀମାଳଙ୍କ ସହ ଫ୍ଲାଗ୍ମାର୍ଚ୍ଚରେ ଯୋଗଦେଇଥିଲେ। ପୂଜା ସମୟରେ ଆଇନଶୃଙ୍ଖଳା ରକ୍ଷା, ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ପରିଚାଳନା ଏବଂ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଉପରେ ଏହି ସମୀକ୍ଷାରେ ଗୁରୁତ୍ୱ ଦିଆଯାଇଥିଲା।
ଆସନ୍ତା ନଭେମ୍ବର ୭ରୁ ୧୫ ତାରିଖ ପର୍ଯ୍ୟନ୍ତ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନ ସମେତ ଯାଜପୁର ସହର ଓ ବ୍ୟାସନଗରରେ କାଳୀପୂଜା ଅନୁଷ୍ଠିତ ହେବ। ନଭେମ୍ବର ୧୬ ଓ ୧୭ ତାରିଖରେ ଯାଜପୁର ସହରରେ ଏବଂ ୧୮ ତାରିଖରେ ବ୍ୟାସନଗରରେ ମା’ଙ୍କ ମୂର୍ତ୍ତି ବିସର୍ଜନ କରାଯିବ। ଜିଲ୍ଲାରେ ମୋଟ ୧୧୯ଟି ପୂଜା ମଣ୍ଡପ ହେବାକୁ ଥିବାବେଳେ ଯାଜପୁର ସହରରେ ୪୨ଟି ଓ ବ୍ୟାସନଗରରେ ୨୧ଟି ମଣ୍ଡପ ରହିଛି। ଏଥିସହ ୧୦ଟି ରୁପା ମେଢ଼, ୫ଟି ସୁନା ମେଢ଼ ଓ ଗୋଟିଏ ପିତ୍ତଳ ମେଢ଼ ଶ୍ରଦ୍ଧାଳୁଙ୍କ ଆକର୍ଷଣର କେନ୍ଦ୍ର ହେବ। ବିପୁଳ ଜନସମାଗମ ଓ ବିସର୍ଜନ ଶୋଭାଯାତ୍ରାକୁ ଦୃଷ୍ଟିରେ ରଖି ସମସ୍ତ ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷା କଡ଼ାକଡ଼ି କରିବାକୁ ଆଇଜି ନିର୍ଦ୍ଦେଶ ଦେଇଥିଲେ।
ସୁରକ୍ଷା ପାଇଁ ୨୨ ପ୍ଲାଟୁନ୍ ପୋଲିସ ଫୋର୍ସ, ୪୦୦ ହୋମଗାର୍ଡ, ୮୫ ଜଣ ଏସ୍ଆଇ ଓ ଏଏସ୍ଆଇ, ୨୫ ଜଣ ଇନ୍ସପେକ୍ଟର, ୧୦ ଜଣ ଡିଏସ୍ପି ଏବଂ ୩ ଜଣ ଅତିରିକ୍ତ ଏସ୍ପିଙ୍କୁ ମୁତୟନ କରାଯିବ। ଏହାବ୍ୟତୀତ ୯ଟି ସ୍ଥାୟୀ ଓ ୬ଟି ମୋବାଇଲ୍ ସହାୟତା କେନ୍ଦ୍ର କାର୍ଯ୍ୟ କରିବ। ୧୦ଟି ମୋବାଇଲ୍ କଣ୍ଟ୍ରୋଲ୍ ଟିମ୍ ଏବଂ ୮ଟି ଚାରିଚକିଆ ପାଟ୍ରୋଲିଂ ଟିମ୍ ନିୟୋଜିତ ରହିବେ। ସମଗ୍ର ଅଞ୍ଚଳ ଉପରେ ନଜର ରଖିବା ପାଇଁ ୭୦ଟି ସିସିଟିଭି କ୍ୟାମେରା ଓ ୪ଟି ଡ୍ରୋନ୍ ବ୍ୟବହାର କରାଯିବ। ଏଥିମଧ୍ୟରୁ ୪୮ଟି ପୂର୍ବରୁ ଥିବା କ୍ୟାମେରା ହୋଇଥିବାବେଳେ ଅତିରିକ୍ତ ୨୨ଟି କ୍ୟାମେରା ଲଗାଯିବ।
ସମୀକ୍ଷା ବୈଠକରେ ଡଃ ନାୟକ ପ୍ରତିଷେଧମୂଳକ ପୋଲିସିଂ ଉପରେ ଗୁରୁତ୍ୱ ଦେଇ ଥାନା ଅଧିକାରୀ, ଗୁଇନ୍ଦା ବିଭାଗ, ଟ୍ରାଫିକ୍ ପୋଲିସ ଓ ପୂଜା କମିଟି ମଧ୍ୟରେ ଉତ୍ତମ ସମନ୍ୱୟ ରଖିବାକୁ କହିଥିଲେ। ଅସାମାଜିକ ବ୍ୟକ୍ତି, ଅଭ୍ୟାସଗତ ଅପରାଧୀ ଓ ଶାନ୍ତି ଭଙ୍ଗ କରିବାକୁ ଉଦ୍ୟମ କରୁଥିବା ବ୍ୟକ୍ତିଙ୍କ ଉପରେ କଡ଼ା ନଜର ରଖିବା ସହ ଆବଶ୍ୟକସ୍ଥଳେ ଆଇନଗତ ପ୍ରତିଷେଧମୂଳକ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ପକେଟମାର, ଚେନ୍ ଲୁଟ୍, ମହିଳାଙ୍କୁ ଅସଦାଚରଣ, ନିଶାଦ୍ରବ୍ୟ ଓ ବେଆଇନ ମଦ କାରବାର ରୋକିବାକୁ ସ୍ୱତନ୍ତ୍ର ନଜର ରଖାଯିବ। ସାମ୍ପ୍ରଦାୟିକ ସମ୍ବେଦନଶୀଳ ସ୍ଥାନ ଓ ଧାର୍ମିକ ଅନୁଷ୍ଠାନଗୁଡ଼ିକରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରାଯିବ।
ବିସର୍ଜନ ଶୋଭାଯାତ୍ରା ସମୟରେ ଶୃଙ୍ଖଳା ବଜାୟ ରଖିବା, ନିର୍ଦ୍ଧାରିତ ମାର୍ଗରେ ଶୋଭାଯାତ୍ରା ପରିଚାଳନା ଓ ଜରୁରୀକାଳୀନ ସେବା ଯେପରି ବାଧାପ୍ରାପ୍ତ ନହୁଏ, ସେଥିପ୍ରତି ଆଇଜି ଗୁରୁତ୍ୱ ଦେଇଥିଲେ। ପୂଜା ମଣ୍ଡପରେ ଦେବୀଙ୍କ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ସୁରକ୍ଷା ପାଇଁ ସ୍ୱେଚ୍ଛାସେବୀ ଓ ଘରୋଇ ସୁରକ୍ଷା କର୍ମୀ ନିୟୋଜନ କରିବାକୁ ପୂଜା କମିଟିଗୁଡ଼ିକୁ ପରାମର୍ଶ ଦିଆଯାଇଛି। ସାମାଜିକ ଗଣମାଧ୍ୟମରେ ଗୁଜବ, ଉତ୍ତେଜନାମୂଳକ ପୋଷ୍ଟ ଓ ମିଥ୍ୟା ଖବର ପ୍ରସାରଣ ଉପରେ ମଧ୍ୟ ପୋଲିସ ତୀକ୍ଷ୍ଣ ନଜର ରଖିବ।
ଲୋକାଭିମୁଖୀ ପୋଲିସିଂକୁ ଗୁରୁତ୍ୱ ଦେଇ ଡଃ ନାୟକ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଳୁ ଓ ସାଧାରଣ ଲୋକଙ୍କ ସହ ଭଦ୍ର, ନମ୍ର ଓ ସମ୍ବେଦନଶୀଳ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ। ଜନସାଧାରଣଙ୍କ ବିଶ୍ୱାସ ଅର୍ଜନ କରିବା ସହ ସେମାନଙ୍କ ସୁବିଧା ଓ ସୁରକ୍ଷା ସୁନିଶ୍ଚିତ କରିବା ପୋଲିସର ପ୍ରାଥମିକ ଦାୟିତ୍ୱ ବୋଲି ସେ କହିଥିଲେ। ଫ୍ଲାଗ୍ମାର୍ଚ୍ଚ ମାଧ୍ୟମରେ ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ସୁରକ୍ଷା ସମ୍ପର୍କରେ ଆଶ୍ୱସ୍ତ କରାଯିବା ସହ ଶାନ୍ତିପୂର୍ଣ୍ଣ ପୂଜା ପାଳନ ପାଇଁ ପ୍ରସ୍ତୁତିର ବାର୍ତ୍ତା ଦିଆଯାଇଥିଲା।
ଏହି ସମୀକ୍ଷା ଓ ଫ୍ଲାଗ୍ମାର୍ଚ୍ଚରେ ଯାଜପୁର ଏସ୍ପି ୟଶ ପ୍ରତାପ ଶ୍ରୀମାଳଙ୍କ ସମେତ ଜିଲ୍ଲାର ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ। କାଳୀପୂଜା ଓ ବିସର୍ଜନ ଉତ୍ସବକୁ ଶାନ୍ତି, ସଦ୍ଭାବନା ଓ ଭାଇଚାରାର ସହ ପାଳନ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପୂଜା କମିଟି, ସ୍ୱେଚ୍ଛାସେବୀ ଓ ଜନସାଧାରଣଙ୍କୁ ସହଯୋଗ କରିବା ସହ ସୁରକ୍ଷା ନିୟମ ପାଳନ କରିବାକୁ ଅନୁରୋଧ କରାଯାଇଛି।



