ଓଡିଶା

ନିଜ ପରିଚୟ ଲୁଚାଇ ନିରବରେ ସମାଜସେବା: ରକ୍ତଦାନ, ଗରିବଙ୍କ ଚିକିତ୍ସା, ବୃକ୍ଷରୋପଣ ଓ ଗୋସେବାରେ ପ୍ରଦୀପ କୁମାର ବରାଳ

ଯାଜପୁର: ସମାଜରେ ଅନେକ ଲୋକ ନିଜର ପ୍ରଚାର ଓ ପ୍ରସିଦ୍ଧି ପାଇଁ ବିଭିନ୍ନ ସେବାମୂଳକ କାର୍ଯ୍ୟ କରୁଥିବା ବେଳେ ଆଉ କେତେକ ମଣିଷ ନିଜର ପରିଚୟ ଓ ପ୍ରଚାରକୁ ପଛରେ ପକାଇ ନିରବରେ ସମାଜସେବାକୁ ଜୀବନର ବ୍ରତ କରିଛନ୍ତି। ସେହିଭଳି ଜଣେ ନିରବ ସମାଜସେବୀ ହେଉଛନ୍ତି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଭାତୃପଶି ଗ୍ରାମର ପ୍ରଦୀପ କୁମାର ବରାଳ। ରକ୍ତଦାନ, ଗରିବ ଓ ଅସହାୟ ଲୋକଙ୍କ ମାଗଣା ଚିକିତ୍ସାରେ ସହଯୋଗ, ବୃକ୍ଷରୋପଣ ଏବଂ ଗୋସେବା ଭଳି ବିଭିନ୍ନ ମହତ୍ କାର୍ଯ୍ୟ ମାଧ୍ୟମରେ ସେ ମାନବିକତା ଓ ସେବାର ଏକ ସୁନ୍ଦର ଉଦାହରଣ ସୃଷ୍ଟି କରୁଛନ୍ତି। ରକ୍ତର ଅଭାବରୁ କୌଣସି ରୋଗୀଙ୍କ ଜୀବନ ବିପଦରେ ନପଡ଼ୁ, ସେଥିପାଇଁ ରକ୍ତଦାନର ମହତ୍ତ୍ୱକୁ ସେ ଗୁରୁତ୍ୱ ଦେଇଥାନ୍ତି। ଅର୍ଥାଭାବରୁ ଚିକିତ୍ସା କରାଇବାରେ ଅସମର୍ଥ ଗରିବ ଓ ଅସହାୟ ରୋଗୀଙ୍କୁ ଚିକିତ୍ସା ସହାୟତା ଯୋଗାଇଦେବା ମଧ୍ୟ ତାଙ୍କର ଏକ ପ୍ରମୁଖ ସେବା କାର୍ଯ୍ୟ। ସେହିପରି ପରିବେଶ ସୁରକ୍ଷା ଓ ଆଗାମୀ ପିଢ଼ିର ଭବିଷ୍ୟତକୁ ଦୃଷ୍ଟିରେ ରଖି ବୃକ୍ଷରୋପଣ କରିବା ସହ ଲଗାଯାଇଥିବା ଗଛର ଯତ୍ନ ନେବା ପାଇଁ ସେ ଗୁରୁତ୍ୱ ଦେଇଥାନ୍ତି। ତାଙ୍କ ମତରେ ଗଛ କେବଳ ପରିବେଶକୁ ସବୁଜ କରେ ନାହିଁ, ବରଂ ମଣିଷ ଓ ସମସ୍ତ ଜୀବଜଗତର ଜୀବନଧାରଣ ପାଇଁ ଅମୂଲ୍ୟ ସମ୍ପଦ। ଏଥିସହ ଗୋମାତାଙ୍କ ସେବା, ଅସହାୟ ଓ ରୋଗାକ୍ରାନ୍ତ ଗୋରୁଙ୍କ ଯତ୍ନ ନେବା ଏବଂ ସେମାନଙ୍କୁ ଖାଦ୍ୟ ଯୋଗାଇଦେବା ଭଳି କାର୍ଯ୍ୟରେ ମଧ୍ୟ ତାଙ୍କର ଆଗ୍ରହ ରହିଛି। ମଣିଷ ହେଉ କିମ୍ବା ପଶୁପକ୍ଷୀ, ପ୍ରତ୍ୟେକ ଜୀବ ପ୍ରତି ଦୟା, ସ୍ନେହ ଓ ସହାନୁଭୂତି ରଖିବା ହିଁ ପ୍ରକୃତ ମାନବିକତା ବୋଲି ସେ ବିଶ୍ୱାସ କରନ୍ତି। ପ୍ରଦୀପଙ୍କ ପାଇଁ ସମାଜସେବା କୌଣସି ପ୍ରଚାର, ପ୍ରଶଂସା କିମ୍ବା ପୁରସ୍କାର ପାଇବାର ମାଧ୍ୟମ ନୁହେଁ; ବରଂ ଅନ୍ୟର ଦୁଃଖ ଦୂର କରିବା ଓ ଅସହାୟଙ୍କ ମୁହଁରେ ହସ ଫୁଟାଇବା ହିଁ ପ୍ରକୃତ ସନ୍ତୋଷ। ଆଜିର ସମାଜରେ ତାଙ୍କ ଭଳି ନିରବ ସେବାରେ ନିୟୋଜିତ ବ୍ୟକ୍ତିମାନେ ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ। ତାଙ୍କର ଏହି ସେବାମନୋଭାବ ସମାଜରେ ରକ୍ତଦାନ, ମାନବସେବା, ପରିବେଶ ସୁରକ୍ଷା ଓ ଜୀବଜନ୍ତୁଙ୍କ ପ୍ରତି ଦୟାଭାବର ବାର୍ତ୍ତା ପ୍ରସାର କରୁଛି। ପ୍ରକୃତରେ ମଣିଷର ପରିଚୟ ତାଙ୍କ ପଦପଦବୀ କିମ୍ବା ପ୍ରଚାରରେ ନୁହେଁ, ବରଂ ତାଙ୍କର କର୍ମ, ତ୍ୟାଗ ଓ ଅନ୍ୟ ପ୍ରତି ଥିବା ସେବାଭାବରେ ନିହିତ ରହିଛି।

 

ମାନବ ସେବା ହିଁ ମାଧବ ସେବା, ଜୀବ ସେବା ହିଁ ଈଶ୍ୱର ସେବା।

Related Articles

Leave a Reply

Your email address will not be published. Required fields are marked *

Back to top button