ନୂଆଗାଁ ହୁଟୁବ ସାହିରେ ପାରମ୍ପରିକ ରୀତିନୀତିରେ ପାଳିତ ହେଲା ଗୋଟ ବଙ୍ଗା

ରାଇରଙ୍ଗପୁର : ୯\୧୧\୨୬ (ଶ୍ଯାମଳେନ୍ଦୁ ପରିଡା) ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ଓ ମୂଳବାସୀ ସମ୍ପ୍ରଦାୟଙ୍କ ମଧ୍ୟରେ ପ୍ରକୃତି ଓ ଗୋ-ସମ୍ପଦର ପୂଜାକୁ ନେଇ ରହିଛି ଏକ ସ୍ୱତନ୍ତ୍ର ପରମ୍ପରା। ଏହି ପରମ୍ପରାର ଏକ ଅଂଶ ଭାବେ ଆଜି ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ଅନ୍ତର୍ଗତ ମାଣିକପୁର ପଞ୍ଚାୟତର ନୂଆଗାଁ ଗ୍ରାମର ହୁଟୁବ ସାହିରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଗୋଟ ବଙ୍ଗା ଅନୁଷ୍ଠିତ ହୋଇଯାଇଛି।
ଏହି ପୂଜାରେ ପୂଜକ ଭାବେ କୈଳାଶ ମୁଣ୍ଡା ପୂଜାକାର୍ଯ୍ୟ ସମ୍ପନ୍ନ କରିଥିବା ବେଳେ ଡାକୁଆ ଭାବେ ରାସବିହାରୀ ମୁଣ୍ଡା ଦାୟିତ୍ୱ ତୁଲାଇଥିଲେ। ଏଥିରେ ହୁଟୁବ ସାହିର ବହୁ ଲୋକ ସାମିଲ ହୋଇ ନିଜ ଗ୍ରାମର ପାରମ୍ପରିକ ପୂଜାପର୍ବକୁ ଶ୍ରଦ୍ଧା ଓ ଭକ୍ତିର ସହ ପାଳନ କରିଥିଲେ।
ମୟୂରଭଞ୍ଜ ଜିଲ୍ଲାର କୁଡ଼ମି (ମହାନ୍ତ), ଭୂମିଜ, ବାଉତି, ଲୋଧା, ସାନ୍ତାଳ, କୁମ୍ଭାର ଓ ଗଣ୍ଡ ଆଦି ସମ୍ପ୍ରଦାୟର ଲୋକେ ଏହି ପର୍ବକୁ ନିଜ ନିଜ ପରମ୍ପରା ଅନୁଯାୟୀ ପାଳନ କରୁଥିବା ବେଳେ ମୁଣ୍ଡା ସମ୍ପ୍ରଦାୟର ଲୋକେ ଏହାକୁ ‘ସୁହୁରାଏ ପର୍ବ’ ଭାବେ ପାଳନ କରିଥାନ୍ତି l
ଚାଷକାର୍ଯ୍ୟ ଓ ପ୍ରକୃତି ସହ ନିବିଡ଼ ସମ୍ପର୍କ ରଖୁଥିବା ଏହି ସମ୍ପ୍ରଦାୟର ଲୋକଙ୍କ ପାଇଁ ଗୋ-ସମ୍ପଦ ଜୀବିକାର ଏକ ପ୍ରମୁଖ ଆଧାର। ତେଣୁ ଗୋରୁଗାଈଙ୍କ ପ୍ରତି କୃତଜ୍ଞତା ଓ ସମ୍ମାନ ଜଣାଇବା ସହିତ ସେମାନଙ୍କ ମଙ୍ଗଳ କାମନା କରି ଏହି ପୂଜା ପାଳନ କରାଯାଇଥାଏ।
ପର୍ବର ପ୍ରଥମ ଦିନରେ ଗୋ-ପୂଜା ଏବଂ ଦ୍ୱିତୀୟ ଦିନରେ ଘରଆଣି ପୂଜା କରାଯାଇଥାଏ। ଗୋ-ପୂଜା ଅବସରରେ ଗ୍ରାମର ଖୋଲା ସ୍ଥାନରେ ପାରମ୍ପରିକ ପୂଜାବିଧି କରାଯାଏ। ଏହାପରେ ଗୋରୁଗାଈଙ୍କୁ ପୂଜାସ୍ଥଳକୁ ଛଡ଼ାଯାଏ। ପରଦିନ ପ୍ରକୃତି ଓ ଗ୍ରାମଦେବୀଙ୍କ ଆରାଧନା ସହ ଘରେ ଘରେ ପାରମ୍ପରିକ ପିଠାପଣା ପ୍ରସ୍ତୁତ କରାଯାଇ ଠାକୁରଙ୍କୁ ଭୋଗ ଲଗାଯାଏ।
ଏଭଳି ପାରମ୍ପରିକ ପୂଜାପର୍ବ ଆଦିବାସୀ ସମାଜର ଧାର୍ମିକ ବିଶ୍ୱାସ, ପ୍ରକୃତି ପ୍ରତି ଭଲପାଇବା ଓ ସାମାଜିକ ଏକତାର ପରିଚୟ ଦେଇଥାଏ। ଏହା ମାଧ୍ୟମରେ ନିଜର ପୁରାତନ ସଂସ୍କୃତି ଓ ପରମ୍ପରାକୁ ଆଗାମୀ ପିଢ଼ି ପାଖରେ ବଞ୍ଚାଇ ରଖିବାର ଏକ ସୁନ୍ଦର ପ୍ରୟାସ ଦେଖିବାକୁ ମିଳିଛି l



