୧୦,୨୯୪ କୋଟି ଟଙ୍କାର ଖଣି ରାଜସ୍ୱ ପ୍ରଭାବ: ସରକାରଙ୍କଠାରୁ ସ୍ପଷ୍ଟୀକରଣ ଦାବି କଲା କଂଗ୍ରେସ
CAG ରିପୋର୍ଟକୁ ନେଇ ଭକ୍ତ ଚରଣ ଦାସଙ୍କ ପ୍ରଶ୍ନ, ବକେୟା ରାଜସ୍ୱ ଆଦାୟ ଓ ଦାୟିତ୍ୱ ନିର୍ଦ୍ଧାରଣ ଦାବି

ଭୁବନେଶ୍ୱର, ୨୫/୧୧: ଓଡ଼ିଶାର ଖଣିଜ ସମ୍ପଦରୁ ରାଜ୍ୟକୁ ମିଳୁଥିବା ରାଜସ୍ୱର ହିସାବକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି କଂଗ୍ରେସ। ଭାରତର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ (CAG)ଙ୍କ ଅଡିଟ୍ ରିପୋର୍ଟରେ ଖଣି ରାଜସ୍ୱ ସମ୍ପର୍କରେ ଚିହ୍ନଟ ହୋଇଥିବା ୧୦,୨୯୪.୨୪ କୋଟି ଟଙ୍କାର ରାଜସ୍ୱ ପ୍ରଭାବକୁ ନେଇ ସରକାରଙ୍କଠାରୁ ସ୍ପଷ୍ଟ ଜବାବ ଦାବି କରିଛି ଦଳ। ଏହି ବିପୁଳ ପରିମାଣର ଅର୍ଥ ସମ୍ପର୍କରେ ସରକାର କେବେ ରାଜ୍ୟବାସୀଙ୍କୁ ଜବାବ ଦେବେ ବୋଲି ପ୍ରଶ୍ନ ଉଠାଇଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ।
CAG ଅଡିଟ୍ ରିପୋର୍ଟ ଅନୁଯାୟୀ, ୨୦ଟି ଖଣିର ନମୁନା ଯାଞ୍ଚ ସମୟରେ ଲୁହାପଥରର ଗୁଣବତ୍ତା, ଗ୍ରେଡ୍ ନିର୍ଦ୍ଧାରଣ ଓ ମୂଲ୍ୟାୟନ ସମ୍ପର୍କିତ ବିଭିନ୍ନ ଅନିୟମିତତା ଯୋଗୁଁ ପ୍ରାୟ ୧୦,୨୯୪.୨୪ କୋଟି ଟଙ୍କାର ରାଜସ୍ୱ ପ୍ରଭାବ ଚିହ୍ନଟ ହୋଇଛି। ଏଥିରେ ୫,୮୪୧.୮୦ କୋଟି ଟଙ୍କାର ରୟାଲ୍ଟି ସମ୍ପର୍କିତ ରାଜସ୍ୱ ପ୍ରଭାବ ଥିବାବେଳେ ଚାରିଟି ନିଲାମ ହୋଇଥିବା ଖଣିରୁ ୪,୪୫୨.୪୪ କୋଟି ଟଙ୍କାର ପ୍ରିମିୟମ୍ ସମ୍ପର୍କିତ ପ୍ରଭାବ ରହିଛି। ଖଣିଜ ସମ୍ପଦର ଗୁଣବତ୍ତା ଓ ମୂଲ୍ୟାୟନରେ ଏଭଳି ପ୍ରଶ୍ନ ଉଠିବା ରାଜ୍ୟର ରାଜସ୍ୱ ସୁରକ୍ଷା ଏବଂ ଖଣି ପରିଚାଳନା ବ୍ୟବସ୍ଥାକୁ ନେଇ ଚିନ୍ତା ସୃଷ୍ଟି କରିଛି।
ଏହି ପ୍ରସଙ୍ଗରେ ଭକ୍ତ ଚରଣ ଦାସ କହିଛନ୍ତି ଯେ, ଓଡ଼ିଶାର ପ୍ରାକୃତିକ ଖଣିଜ ସମ୍ପଦ ଉପରେ ରାଜ୍ୟବାସୀଙ୍କର ଅଧିକାର ରହିଛି। ଏହି ସମ୍ପଦରୁ ମିଳୁଥିବା ରାଜସ୍ୱ ରାଜ୍ୟର ବିକାଶ ଓ ସାଧାରଣ ଲୋକଙ୍କ କଲ୍ୟାଣରେ ବ୍ୟୟ ହେବା ଉଚିତ। CAG ରିପୋର୍ଟରେ ଏତେ ବଡ଼ ପରିମାଣର ରାଜସ୍ୱ ପ୍ରଭାବ ଚିହ୍ନଟ ହେବା ପରେ ସରକାର ନିରବ ନରହି ଏହାର ସମ୍ପୂର୍ଣ୍ଣ ତଥ୍ୟ ସାର୍ବଜନୀନ କରିବା ଆବଶ୍ୟକ। ଚିହ୍ନଟ ହୋଇଥିବା ଅର୍ଥ ମଧ୍ୟରୁ କେତେ ଆଦାୟ ହୋଇଛି, କେତେ ଟଙ୍କା ବକେୟା ରହିଛି ଏବଂ ଏହି ଅନିୟମିତତା ପାଇଁ କେଉଁ ଖଣି ଲିଜ୍ଧାରୀ ଓ ସମ୍ପୃକ୍ତ ଅଧିକାରୀ ଦାୟୀ, ତାହା ସରକାର ସ୍ପଷ୍ଟ କରନ୍ତୁ ବୋଲି ସେ ଦାବି କରିଛନ୍ତି।
କଂଗ୍ରେସ ପକ୍ଷରୁ ଆହୁରି କୁହାଯାଇଛି ଯେ, ଖଣିଜ ସମ୍ପଦରୁ ମିଳୁଥିବା ରାଜସ୍ୱର ପ୍ରକୃତ ସୁଫଳ ଖଣି ପ୍ରଭାବିତ ଅଞ୍ଚଳର ଲୋକଙ୍କ ପାଖରେ ପହଞ୍ଚିବା ଦରକାର। ଖଣି ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟସେବା, ପାନୀୟ ଜଳ, ରାସ୍ତାଘାଟ, ନିଯୁକ୍ତି ଓ ପରିବେଶ ସୁରକ୍ଷାକୁ ପ୍ରାଥମିକତା ଦିଆଯିବା ଆବଶ୍ୟକ। ବିଶେଷକରି ଜିଲ୍ଲା ଖଣିଜ ପ୍ରତିଷ୍ଠାନ (DMF) ପାଣ୍ଠିର ଆୟ ଓ ବ୍ୟୟ ସମ୍ପର୍କରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ରଖିବା ସହ ଏହାର ଉପଯୋଗର ହିସାବ ସାର୍ବଜନୀନ କରିବାକୁ ଦଳ ଦାବି କରିଛି।
କଂଗ୍ରେସର ପ୍ରମୁଖ ଦାବି ମଧ୍ୟରେ CAG ରିପୋର୍ଟରେ ଉଲ୍ଲେଖିତ ୧୦,୨୯୪.୨୪ କୋଟି ଟଙ୍କାର ରାଜସ୍ୱ ପ୍ରଭାବ ସମ୍ପର୍କିତ ସମସ୍ତ ତଥ୍ୟ ସାର୍ବଜନୀନ କରିବା, ଖଣି ଲିଜ୍ଧାରୀ ଓ ସମ୍ପୃକ୍ତ ଅଧିକାରୀଙ୍କ ଭୂମିକା ଯାଞ୍ଚ କରି ଦାୟିତ୍ୱ ନିର୍ଦ୍ଧାରଣ କରିବା, ବକେୟା ରାଜସ୍ୱ ଆଦାୟ ପାଇଁ ସମୟସୀମା ଧାର୍ଯ୍ୟ କରିବା ଏବଂ ଖଣିଜ ରାଜସ୍ୱ ଓ DMF ପାଣ୍ଠିର ଆୟ-ବ୍ୟୟର ସମ୍ପୂର୍ଣ୍ଣ ହିସାବ ପ୍ରକାଶ କରିବା ଅନ୍ତର୍ଭୁକ୍ତ। ଏଥିସହ ଖଣି ପ୍ରଭାବିତ ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ସ୍ୱତନ୍ତ୍ର କାର୍ଯ୍ୟଯୋଜନା ପ୍ରସ୍ତୁତ କରିବାକୁ ଦଳ ଦାବି କରିଛି। CAG ରିପୋର୍ଟରେ ଉଠିଥିବା ପ୍ରଶ୍ନ ଉପରେ ରାଜ୍ୟ ସରକାର କି ପଦକ୍ଷେପ ନେଉଛନ୍ତି ଏବଂ ରାଜ୍ୟର ଖଣିଜ ସମ୍ପଦରୁ ପ୍ରକୃତରେ କିଏ ଲାଭବାନ ହେଉଛି, ତାହାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।



