ଓଡିଶା

ଶିଶୁଙ୍କ ସୁରକ୍ଷା କେବଳ ପୁଲିସର ଦାୟିତ୍ୱ ନୁହେଁ, ଏହା ସମାଜର ସାମୂହିକ ଦାୟିତ୍ୱ: ଆଇଜି ଡଃ ସତ୍ୟଜିତ ନାୟକ

ଭୁବନେଶ୍ୱର: ଶିଶୁଙ୍କ ସୁରକ୍ଷା ଓ ସେମାନଙ୍କ ଅଧିକାରର ସୁରକ୍ଷା କେବଳ ପୁଲିସ କିମ୍ବା ସରକାରଙ୍କ ଦାୟିତ୍ୱ ନୁହେଁ, ଏହା ପରିବାର, ଶିକ୍ଷାନୁଷ୍ଠାନ, ପୁଲିସ, ପ୍ରଶାସନ ଏବଂ ସମଗ୍ର ସମାଜର ସାମୂହିକ ଦାୟିତ୍ୱ ବୋଲି କହିଛନ୍ତି ଡଃ ସତ୍ୟଜିତ ନାୟକ, ଆଇପିଏସ୍, ଆଇଜିପି, ସେଣ୍ଟ୍ରାଲ ରେଞ୍ଜ, କଟକ। ନଭେମ୍ବର ୧୧ ତାରିଖରେ ଭୁବନେଶ୍ୱରସ୍ଥିତ ଲାଇଫ୍ ହୋଟେଲ୍ସଠାରେ ଆୟୋଜିତ ନ୍ୟାସନାଲ୍ ଇସିସିଇ ଆଣ୍ଡ ଏଜୁକେସନ୍ କନକ୍ଲେଭ୍-୨୦୨୬ରେ ବକ୍ତା ଭାବେ ଯୋଗଦେଇ ସେ ଶିଶୁ ସୁରକ୍ଷା, ସମୁଦାୟଭିତ୍ତିକ ପୁଲିସିଂ, ଜନସଚେତନତା ଏବଂ ଜିଲ୍ଲା ପ୍ରଶାସନ ଓ ମହିଳା ଓ ଶିଶୁ ବିକାଶ ବିଭାଗ ମଧ୍ୟରେ ସମନ୍ୱୟର ଗୁରୁତ୍ୱ ଉପରେ ନିଜର ମୂଲ୍ୟବାନ ମତାମତ ରଖିଥିଲେ।

 

ଡଃ ନାୟକ କହିଥିଲେ ଯେ, ଶିଶୁ ସୁରକ୍ଷା କେବଳ ଆଇନ ପ୍ରଣୟନ ଓ ଆଇନର କାର୍ଯ୍ୟକାରିତା ମଧ୍ୟରେ ସୀମିତ ରହିବା ଉଚିତ ନୁହେଁ। ଅପରାଧ ଘଟିବା ପୂର୍ବରୁ ତାହାର ନିରାକରଣ, ବିପଦର ପୂର୍ବ ସଙ୍କେତ ଚିହ୍ନଟ ଏବଂ ତୁରନ୍ତ ହସ୍ତକ୍ଷେପ ଉପରେ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ। ଶିଶୁମାନଙ୍କୁ ନିର୍ଯାତନା, ଶୋଷଣ, ମାନବ ଚାଲାଣ, ବାଲ୍ୟବିବାହ, ନିଶାସେବନ ଓ ସାଇବର ଅପରାଧରୁ ସୁରକ୍ଷିତ ରଖିବା ପାଇଁ ସମସ୍ତଙ୍କ ସଚେତନତା ଜରୁରୀ। ଅଭିଭାବକ, ଶିକ୍ଷକ ଓ ଶିକ୍ଷାନୁଷ୍ଠାନ ଏପରି ଏକ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ଦରକାର, ଯେଉଁଠାରେ ପିଲାମାନେ ନିଜର ସମସ୍ୟା ଓ ଅସୁବିଧାକୁ ବିନା ଭୟରେ ପ୍ରକାଶ କରିପାରିବେ। ଏଥିସହ ଗୁଡ୍ ଟଚ୍ ଓ ବ୍ୟାଡ୍ ଟଚ୍, ବ୍ୟକ୍ତିଗତ ସୁରକ୍ଷା, ଅନଲାଇନ୍ ସୁରକ୍ଷା ଏବଂ ସନ୍ଦେହଜନକ କାର୍ଯ୍ୟକଳାପ ସମ୍ପର୍କରେ କିପରି ଅଭିଯୋଗ କରିବେ, ସେନେଇ ପିଲାମାନଙ୍କୁ ଶିକ୍ଷିତ କରିବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ।

 

ପୁଲିସ, ମହିଳା ଓ ଶିଶୁ ବିକାଶ ବିଭାଗ, ଜିଲ୍ଲା ପ୍ରଶାସନ, ବିଦ୍ୟାଳୟ ଏବଂ ବିଭିନ୍ନ ସାମାଜିକ ସଂଗଠନ ମଧ୍ୟରେ ଅଧିକ ସମନ୍ୱୟ ଓ ସହଯୋଗ ରହିଲେ ଶିଶୁ ସୁରକ୍ଷା ବ୍ୟବସ୍ଥା ଆହୁରି ସୁଦୃଢ଼ ହୋଇପାରିବ ବୋଲି ଡଃ ନାୟକ ଗୁରୁତ୍ୱାରୋପ କରିଥିଲେ। ସମୁଦାୟଭିତ୍ତିକ ପୁଲିସିଂ ଓ ଜନସଚେତନତା ମାଧ୍ୟମରେ ପୁଲିସ ଏବଂ ଜନସାଧାରଣଙ୍କ ମଧ୍ୟରେ ଆସ୍ଥା ଓ ବିଶ୍ୱାସର ସମ୍ପର୍କ ଅଧିକ ମଜବୁତ ହୋଇପାରିବ। ପ୍ରତ୍ୟେକ ଶିଶୁ ଭୟ, ହିଂସା, ଭେଦଭାବ ଓ ଶୋଷଣମୁକ୍ତ ପରିବେଶରେ ବଢ଼ିବାର ଅଧିକାର ରଖିଛି। ତେଣୁ ସମ୍ବେଦନଶୀଳ ପୁଲିସିଂ, ସକ୍ରିୟ ଜନସହଭାଗିତା ଓ ସମସ୍ତ ବିଭାଗର ସମନ୍ୱିତ ପ୍ରୟାସ ହିଁ ଶିଶୁମାନଙ୍କ ସୁରକ୍ଷା, ସମ୍ମାନ, ସାମଗ୍ରିକ ବିକାଶ ଏବଂ ଉଜ୍ଜ୍ୱଳ ଭବିଷ୍ୟତର ମୂଳଦୁଆ ବୋଲି ସେ ମତ ପ୍ରକାଶ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button