କଲାପଥର ସତ୍ୟବାଦୀ ବିଦ୍ୟାପୀଠରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ମେଳା
୪୦ରୁ ଊର୍ଦ୍ଧ୍ୱ ପ୍ରକଳ୍ପ ପ୍ରଦର୍ଶିତ, ଶ୍ରେଷ୍ଠ ପ୍ରତିଯୋଗୀ ପୁରସ୍କୃତ

ସୁବର୍ଣ୍ଣପୁର , ୧୧/୧୧: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ସତ୍ୟବାଦୀ ବିଦ୍ୟାପୀଠ, କଳାପଥରଠାରେ ବୁଧବାର ବିଦ୍ୟାଳୟସ୍ତରୀୟ ବିଜ୍ଞାନ ମେଳା ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ଛାତ୍ରଛାତ୍ରୀମାନେ ୪୦ରୁ ଊର୍ଦ୍ଧ୍ୱ ବିଜ୍ଞାନଭିତ୍ତିକ ପ୍ରକଳ୍ପ ପ୍ରଦର୍ଶନ କରି ନିଜସ୍ୱ ସୃଜନଶୀଳତା, ବୈଜ୍ଞାନିକ ଚିନ୍ତନ ଓ ଉଦ୍ଭାବନୀ ପ୍ରତିଭାର ପରିଚୟ ଦେଇଥିଲେ।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲାଲବାବୁ ସେଠୀଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍ଘାଟନୀ ସଭାରେ ଅଧ୍ୟାପିକା ଦେବଜାନୀ ମେସୁଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ଶ୍ରୀଜଗନ୍ନାଥ ଏକାଡେମୀ, କୋଟସମଲାଇର ପ୍ରଧାନ ଶିକ୍ଷକ ସୁଧୀର କୁମାର ହୋତା ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସମିତି ସଭ୍ୟ ରବିଚନ୍ଦ୍ର ମହାକୁର, ସମାଜସେବୀ ତ୍ରିଲୋକେଶ ମହାକୁର ଓ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ସୁରେଶ ପ୍ରଧାନ ଯୋଗଦେଇଥିଲେ। ସ୍ୱତନ୍ତ୍ର ଅତିଥି ଭାବେ ରାଜ୍ୟ ପୁରସ୍କାରପ୍ରାପ୍ତ ଶିକ୍ଷକ ଶଙ୍ଖସିନ୍ଧୁ ପୁରୋହିତ ଯୋଗଦେଇଥିଲେ।
ମୁଖ୍ୟବକ୍ତା ଶ୍ରୀ ହୋତା ନିଜ ବକ୍ତବ୍ୟରେ ବିଜ୍ଞାନ ଶିକ୍ଷା କେବଳ ପାଠ୍ୟପୁସ୍ତକ ଓ ପରୀକ୍ଷା ମଧ୍ୟରେ ସୀମିତ ନରହି ଦୈନନ୍ଦିନ ଜୀବନ ସହ ଜଡ଼ିତ ହେବା ଆବଶ୍ୟକ ବୋଲି ମତପ୍ରକାଶ କରିଥିଲେ। ଛାତ୍ରଛାତ୍ରୀଙ୍କ ମନରେ ପ୍ରଶ୍ନ ପଚାରିବାର ଅଭ୍ୟାସ, ଅନୁସନ୍ଧିତ୍ସା ମନୋଭାବ ଓ ନୂତନ କିଛି ସୃଷ୍ଟି କରିବାର ଆଗ୍ରହ ହିଁ ବୈଜ୍ଞାନିକ ମନସ୍କତାର ମୂଳଭିତ୍ତି ବୋଲି ସେ ଉଲ୍ଲେଖ କରିଥିଲେ। ଅନ୍ୟ ଅତିଥିମାନେ ମଧ୍ୟ ବିଜ୍ଞାନ ମେଳା ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ ଓ ଆତ୍ମବିଶ୍ୱାସ ବୃଦ୍ଧିର ଏକ ଉତ୍କୃଷ୍ଟ ମାଧ୍ୟମ ବୋଲି ମତ ରଖିଥିଲେ।
ମେଳାରେ ପ୍ରଦର୍ଶିତ ବିଭିନ୍ନ ବିଜ୍ଞାନ ପ୍ରକଳ୍ପଗୁଡ଼ିକୁ ଅତିଥି ଓ ଉପସ୍ଥିତ ଶିକ୍ଷକମାନେ ବୁଲି ଦେଖିବା ସହ ଛାତ୍ରଛାତ୍ରୀଙ୍କଠାରୁ ସେଗୁଡ଼ିକର କାର୍ଯ୍ୟପ୍ରଣାଳୀ ଓ ଉପଯୋଗିତା ସମ୍ପର୍କରେ ବୁଝିଥିଲେ। ବିଭିନ୍ନ ପ୍ରକଳ୍ପ ମଧ୍ୟରୁ ଶ୍ରେଷ୍ଠ ପ୍ରକଳ୍ପଗୁଡ଼ିକୁ ଚୟନ କରାଯାଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।
ସଭାକୁ କାହ୍ନା ତ୍ରିପାଠୀ ସୁନ୍ଦର ଭାବେ ପରିଚାଳନା କରିଥିବାବେଳେ ଅନସୂୟା ଧଳ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଆୟୋଜନକୁ ସଫଳ କରିବାରେ ସୁପ୍ରଭା ହାତୀ, ସୁନିତା ଦଣ୍ଡସେନା, ଚିତ୍ତରଞ୍ଜନ ପୂଜାହାରୀ, ଦେବାଶିଷ ମେହେର, ଦିବ୍ୟାତନୟା ପଣ୍ଡାଙ୍କ ସମେତ ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ ଓ କର୍ମଚାରୀମାନେ ସହଯୋଗ କରିଥିଲେ।



