ଅସହାୟ ବିଧବା ମା’ ଓ ଦୁଇ ଶିଶୁଙ୍କୁ ସହାୟତାର ହାତ ବଢ଼ାଇଲା ରାମଦୋଳି ୟୁଥ୍ ପାୱାର ଆସୋସିଏସନ
ଦୁଇ ବର୍ଷ ପରେ ବି ଅଧାପନ୍ତରିଆ ଆବାସ ଘର, ପ୍ରଶାସନର କାର୍ଯ୍ୟଦକ୍ଷତାକୁ ନେଇ ଉଠିଲା ପ୍ରଶ୍ନ

ରାଇରଙ୍ଗପୁର ୧୪/୧୧ 🙁 ବିନାୟକ ନିୟୁଜ୍) ମାନବିକତା ଓ ସେବା ମନୋଭାବର ନିଆରା ଉଦାହରଣ ସୃଷ୍ଟି କରିଛି ରାମଦୋଳି ୟୁଥ୍ ପାୱାର ଆସୋସିଏସନ। ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ମାଣିକପୁର ପଞ୍ଚାୟତ ଅନ୍ତର୍ଗତ ବାନ୍ଧଗାଁର ଅସହାୟ ବିଧବା ମହିଳା ଚମ୍ପା ମାରାଣ୍ଡି ଓ ତାଙ୍କର ଦୁଇ ଶିଶୁଙ୍କ ଦୁଃଖଦ ପରିସ୍ଥିତି ସମ୍ପର୍କରେ ଜାଣି ସଂଗଠନ ପକ୍ଷରୁ ସହାୟତାର ହାତ ବଢ଼ାଯାଇଛି। ପରିବାରକୁ କମ୍ବଳ ସହ ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି।
ସୂଚନା ଅନୁଯାୟୀ, ଚମ୍ପା ମାରାଣ୍ଡି ନିଜର ଦୁଇ ଶିଶୁଙ୍କୁ ନେଇ ଅତ୍ୟନ୍ତ ଦୁର୍ଦ୍ଦଶା ମଧ୍ୟରେ ଜୀବନ ବିତାଉଛନ୍ତି। ତାଙ୍କ ପରିବାର ପାଇଁ ୨୦୨୪-୨୫ ଆର୍ଥିକ ବର୍ଷରେ ସରକାରୀ ଆବାସ ଯୋଜନାରେ ଘର ମଞ୍ଜୁର ହୋଇଥିଲେ ମଧ୍ୟ ଦୀର୍ଘ ସମୟ ବିତିଯାଇଥିବା ସତ୍ତ୍ୱେ ଘରଟି ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରିନାହିଁ। ଶୀତର ପ୍ରକୋପ ବଢ଼ୁଥିବା ବେଳେ ଅସମ୍ପୂର୍ଣ୍ଣ ଘର ଯୋଗୁଁ ମା’ ଓ ଦୁଇ ଶିଶୁଙ୍କୁ ନାନା ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି।
ଏଭଳି ଦୁର୍ଦ୍ଦଶା ସମ୍ପର୍କରେ ଅବଗତ ହେବା ପରେ ରାମଦୋଳି ୟୁଥ୍ ପାୱାର ଆସୋସିଏସନର ସଦସ୍ୟମାନେ ବାନ୍ଧଗାଁରେ ପହଞ୍ଚି ପରିବାରକୁ କମ୍ବଳ ଓ ଶୁଖିଲା ଖାଦ୍ୟ ସାମଗ୍ରୀ ଯୋଗାଇ ଦେଇଥିଲେ। ସଂଗଠନର ଏହି ମାନବିକ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ସାଧୁବାଦ ଜଣାଯାଇଛି।
ଅନ୍ୟପକ୍ଷରେ, ଆବାସ ଯୋଜନାରେ ଘର ମଞ୍ଜୁର ହେବାର ଏତେ ଦିନ ପରେ ମଧ୍ୟ ନିର୍ମାଣ କାର୍ଯ୍ୟ କାହିଁକି ଅଧାରେ ଅଟକି ରହିଛି, ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଘର ନିର୍ମାଣ ଦାୟିତ୍ୱ ଜଣେ କଣ୍ଟ୍ରାକ୍ଟରଙ୍କୁ ଦିଆଯାଇଥିବା ଜଣାପଡ଼ିଥିବା ବେଳେ ନିର୍ମାଣ କାର୍ଯ୍ୟରେ ବିଳମ୍ବର କାରଣ ଜାଣିବା ପାଇଁ ତଦନ୍ତ ଆବଶ୍ୟକ ବୋଲି ଦାବି ହେଉଛି।
ଘର ନିର୍ମାଣ ପାଇଁ କେତେ ଅର୍ଥ ମଞ୍ଜୁର ହୋଇଛି, କେତେ ଟଙ୍କା ଉଠାଣ ହୋଇଛି ଏବଂ କେଉଁ କାର୍ଯ୍ୟ ବାବଦକୁ କେତେ ବିଲ୍ ପୈଠ ହୋଇଛି, ସେସବୁର ଯାଞ୍ଚ ହେବା ଜରୁରୀ। ଯଦି ଘର ଅଧାପନ୍ତରିଆ ଥିବା ସତ୍ତ୍ୱେ ସମ୍ପୂର୍ଣ୍ଣ ନିର୍ମାଣ ଦର୍ଶାଇ ଅର୍ଥ ପୈଠ ହୋଇଥାଏ, ତେବେ ଏହା ଅତ୍ୟନ୍ତ ଗମ୍ଭୀର ବିଷୟ। ତେଣୁ ସମ୍ପୃକ୍ତ ଆବାସ ଯୋଜନାର ଫାଇଲ୍, ନିର୍ମାଣର ଅଗ୍ରଗତି ରିପୋର୍ଟ ଓ ଅର୍ଥ ପୈଠର ବିବରଣୀ ଯାଞ୍ଚ କରିବାକୁ ଦାବି ହେଉଛି।
କେବଳ କମ୍ବଳ ଓ ଖାଦ୍ୟ ସାମଗ୍ରୀ ପ୍ରଦାନ କଲେ ଏହି ଅସହାୟ ପରିବାରର ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ ନାହିଁ। ଚମ୍ପା ମାରାଣ୍ଡି ଓ ତାଙ୍କ ଦୁଇ ଶିଶୁଙ୍କୁ ସୁରକ୍ଷିତ ଆଶ୍ରୟ ଯୋଗାଇଦେବା ଏବେ ସବୁଠାରୁ ବଡ଼ ଆବଶ୍ୟକତା। ତେଣୁ ବିଜାତଳା ବ୍ଲକ ପ୍ରଶାସନ ଓ ସମ୍ପୃକ୍ତ ପଞ୍ଚାୟତ ଅଧିକାରୀମାନେ ଘଟଣାର ତୁରନ୍ତ ତଦନ୍ତ କରି ଅଧାପନ୍ତରିଆ ଆବାସ ଘରଟିକୁ ଶୀଘ୍ର ସମ୍ପୂର୍ଣ୍ଣ କରିବା ସହ ପରିବାରକୁ ଆବଶ୍ୟକ ସରକାରୀ ସହାୟତା ଯୋଗାଇଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।
ସରକାରୀ ଆବାସ ଯୋଜନାର ମୂଳ ଉଦ୍ଦେଶ୍ୟ ଗରିବ ଓ ଅସହାୟ ପରିବାରକୁ ସୁରକ୍ଷିତ ପକ୍କା ଘର ଯୋଗାଇଦେବା। କିନ୍ତୁ ଜଣେ ଅସହାୟ ବିଧବା ମହିଳାଙ୍କ ଆବାସ ଘର ଅଧାପନ୍ତରିଆ ହୋଇ ପଡ଼ିରହିବା ଘଟଣା ପ୍ରଶାସନିକ ତଦାରଖ ଓ ଯୋଜନାର କାର୍ଯ୍ୟକାରିତା ଉପରେ ପ୍ରଶ୍ନଚିହ୍ନ ଲଗାଇଛି। ଏବେ ବିଜାତଳା ବ୍ଲକ ପ୍ରଶାସନ କେବେ ଏହି ପରିବାରର ଦୁଃଖ ବୁଝି ତତ୍ପରତା ଦେଖାଉଛି ଏବଂ ଅସମ୍ପୂର୍ଣ୍ଣ ଘରଟି କେବେ ସମ୍ପୂର୍ଣ୍ଣ ହେଉଛି, ତାହାକୁ ଅଞ୍ଚଳବାସୀ ଅପେକ୍ଷା କରିଛନ୍ତି।



