ଜଗନ୍ନାଥପୁର ର ୧୭ ବର୍ଷୀୟ ଛାତ୍ର ନିଖୋଜ, ସନ୍ଧାନ ପାଇଁ ପରିବାରର ଆକୁଳ ନିବେଦନ

ବାହାନଗା ( ଦେବାଶିଷ ଦାଶ ) ବାଲେଶ୍ୱର ଜିଲ୍ଲାର ଗୋପାଳପୁର ଥାନା ବରିପଦା ପଂଚାୟତ ଅନ୍ତର୍ଗତ ଜଗନ୍ନାଥପୁର ଓସଙ୍ଗ ଗ୍ରାମର ଜଣେ ୧୭ ବର୍ଷୀୟ ଛାତ୍ର ନିଖୋଜ । ନିଖୋଜ ଛାତ୍ର ଜଣକ ହେଲେ ଗ୍ରାମର ପର୍ଶୁରାମ ମଲ୍ଲିକଙ୍କ ପୁଅ ସୁରେଶ ମଲ୍ଲିକ। ଗତକାଲି ସକାଳେ ସାଇକେଲ ଯୋଗେ ଘରୁ ବାହାରିଥିବା ସୁରେଶଙ୍କ ଏପର୍ଯ୍ୟନ୍ତ କୌଣସି ପତ୍ତା ମିଳିନାହିଁ। ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସୁରେଶ ଗୋପାଳପୁର କଲେଜରେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ କଳା ବିଭାଗରେ ଅଧ୍ୟୟନ କରୁଛନ୍ତି। ଗତକାଲି ସକାଳେ ସେ ସାଇକେଲ ନେଇ ଘରୁ ବାହାରିଥିଲେ। ମାତ୍ର ଦୀର୍ଘ ସମୟ ବିତିଯିବା ପରେ ମଧ୍ୟ ଘରକୁ ଫେରିନଥିଲେ। ପ୍ରଥମେ ପରିବାର ଲୋକେ ସମ୍ପର୍କୀୟ ଓ ପରିଚିତଙ୍କ ନିକଟରେ ଖୋଜଖବର ନେବା ସହ ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିଥିଲେ। ମାତ୍ର କୌଣସି ସନ୍ଧାନ ନମିଳିବାରୁ ଶେଷରେ ଗୋପାଳପୁର ଥାନାରେ ଅଭିଯୋଗ କରିଛନ୍ତି।
ନିଖୋଜ ଛାତ୍ର ସୁରେଶଙ୍କ ବୟସ ୧୭ ବର୍ଷ ଓ ଉଚ୍ଚତା ପ୍ରାୟ ୫ ଫୁଟ ୫ ଇଞ୍ଚ। ଘରୁ ବାହାରିବା ସମୟରେ ସେ ଫଟୋରେ ଥିବା ପୋଷାକ ପିନ୍ଧିଥିଲେ। ସାଇକେଲ ଯୋଗେ ଘରୁ ବାହାରିଥିବା ସୁରେଶ କେଉଁଆଡ଼େ ଯାଇଛନ୍ତି ଏବଂ ବର୍ତ୍ତମାନ କେଉଁଠାରେ ଅଛନ୍ତି, ସେନେଇ ପରିବାର ଲୋକେ କିଛି ଜାଣିପାରୁନାହାନ୍ତି। ପୁଅ ର ଫେରିବା ବାଟକୁ ଚାହିଁ ବସିଛନ୍ତି ପରିବାର ଲୋକେ।
ତେଣୁ କୌଣସି ସହୃଦୟ ବ୍ୟକ୍ତି ସୁରେଶଙ୍କୁ କେଉଁଠାରେ ଦେଖିଥିଲେ କିମ୍ବା ତାଙ୍କ ସମ୍ପର୍କରେ କୌଣସି ସୂଚନା ପାଇଥିଲେ, ତେବେ ତୁରନ୍ତ ୯୫୫୬୬୧୭୭୫୫ ମୋବାଇଲ ନମ୍ବରରେ ଯୋଗାଯୋଗ କରିବାକୁ ପରିବାର ପକ୍ଷରୁ ସର୍ବସାଧାରଣଙ୍କୁ ନିବେଦନ କରାଯାଇଛି।



