ବର୍ଷା, ବାତ୍ୟାକୁ ଖାତିର ନାହିଁ, ଜନସୁରକ୍ଷା ପାଇଁ ମଇଦାନରେ ନିଆରା ପୁଲିସ ଅଫିସର ଡଃ ସତ୍ୟଜିତ ନାୟକ
ଘୂର୍ଣ୍ଣିବାତ୍ୟା ‘ଅକ୍ବାନ୍’ ମୁକାବିଲା ପାଇଁ ୨୪×୭ କଣ୍ଟ୍ରୋଲ୍ ରୁମ୍ କାର୍ଯ୍ୟକ୍ଷମ, ସାତ ଜିଲ୍ଲା ଉପରେ ରଖିଛନ୍ତି କଡ଼ା ନଜର

କଟକ: ନିଜ ସୁରକ୍ଷାଠାରୁ ଜନସାଧାରଣଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ। ବର୍ଷା ହେଉ କି ବାତ୍ୟା, ବିପର୍ଯ୍ୟୟର ସମୟରେ ଲୋକଙ୍କ ପାଖରେ ପହଞ୍ଚିବା ଏବଂ ସେମାନଙ୍କୁ ସୁରକ୍ଷା ଯୋଗାଇବା ହେଉଛି ପୁଲିସର ପ୍ରକୃତ କର୍ତ୍ତବ୍ୟ। ଏହି ମାନବିକତା ଓ କର୍ତ୍ତବ୍ୟନିଷ୍ଠାର ଉଦାହରଣ ପାଲଟିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ଡଃ ସତ୍ୟଜିତ ନାୟକ, ଆଇପିଏସ୍। ଘୂର୍ଣ୍ଣିବାତ୍ୟା ‘ଅକ୍ବାନ୍’ର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ସେ କେନ୍ଦ୍ରାଞ୍ଚଳ ପୁଲିସକୁ ସମ୍ପୂର୍ଣ୍ଣ ସଜାଗ ରଖିବା ସହ ନିଜେ ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଛନ୍ତି। ତାଙ୍କ ନିର୍ଦ୍ଦେଶ ଓ ତତ୍ତ୍ୱାବଧାନରେ ଆଇଜିଙ୍କ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ କାର୍ଯ୍ୟକ୍ଷମ କରାଯାଇଛି। କେନ୍ଦ୍ରାଞ୍ଚଳ ଅଧୀନରେ ଥିବା କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଯାଜପୁର ଆଦି ସାତଟି ଜିଲ୍ଲାର ପୁଲିସ ଅଧିକାରୀଙ୍କ ସହ ନିରନ୍ତର ସମନ୍ୱୟ ରଖାଯାଇଛି। ପାଣିପାଗର ପରିବର୍ତ୍ତନ, ସମ୍ଭାବ୍ୟ ବିପଦ ଓ ଜରୁରୀ ପରିସ୍ଥିତି ଉପରେ କଣ୍ଟ୍ରୋଲ୍ ରୁମ୍ ନଜର ରଖିବା ସହ ଆବଶ୍ୟକ ସମୟରେ ତୁରନ୍ତ ପୁଲିସ ସହାୟତା ପହଞ୍ଚାଇବାକୁ ବ୍ୟବସ୍ଥା କରାଯାଇଛି। ଆଇଜି ଡଃ ନାୟକ ଜନସାଧାରଣଙ୍କୁ ସରକାରୀ ସତର୍କ ସୂଚନା ଓ ପରାମର୍ଶ ପାଳନ କରିବା, ଅନାବଶ୍ୟକ ଯାତ୍ରାରୁ ନିବୃତ୍ତ ରହିବା ଏବଂ ବାତ୍ୟା ସମୟରେ ନିଜ ପରିବାରର ସୁରକ୍ଷା ପ୍ରତି ସଚେତନ ରହିବାକୁ ଅନୁରୋଧ କରିଛନ୍ତି। ଏଥିସହ ପ୍ରଶାସନ ଓ ପୁଲିସକୁ ସହଯୋଗ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ଜରୁରୀକାଳୀନ ପୁଲିସ ସହାୟତା ପାଇଁ ୧୧୨ ନମ୍ବରକୁ ଫୋନ୍ କରିବାକୁ କେନ୍ଦ୍ରାଞ୍ଚଳ ପୁଲିସ ପକ୍ଷରୁ କୁହାଯାଇଛି। ବିପର୍ଯ୍ୟୟ ସମୟରେ ପୁଲିସର ପରିଚୟ କେବଳ ଆଇନଶୃଙ୍ଖଳା ରକ୍ଷାକାରୀ ସଂସ୍ଥା ନୁହେଁ, ବରଂ ଜନସାଧାରଣଙ୍କ ଭରସା ଓ ସୁରକ୍ଷାର ସାଥୀ। ଏହି ବାର୍ତ୍ତାକୁ ନେଇ ଡଃ ସତ୍ୟଜିତ ନାୟକଙ୍କ ନେତୃତ୍ୱରେ କେନ୍ଦ୍ରାଞ୍ଚଳ ପୁଲିସ ବାତ୍ୟା ମୁକାବିଲା ପାଇଁ ସଜାଗ ରହିଛି। ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ।



