ପରକୀୟା ପ୍ରୀତିର କରୁଣ ପରିଣତି, ସ୍ୱାମୀଙ୍କୁ ହତ୍ୟା ପାଇଁ ମଙ୍ଗଳସୂତ୍ର ବନ୍ଧକ ରଖିଲେ ସ୍ତ୍ରୀ!

ସୁବର୍ଣ୍ଣପୁର: ଯେଉଁ ମଙ୍ଗଳସୂତ୍ର ସ୍ୱାମୀଙ୍କ ଦୀର୍ଘାୟୁ ଓ ଦାମ୍ପତ୍ୟ ଜୀବନର ପ୍ରତୀକ, ସେହି ମଙ୍ଗଳସୂତ୍ରକୁ ବନ୍ଧକ ରଖି ସ୍ୱାମୀଙ୍କ ହତ୍ୟା ପାଇଁ ଷଡ଼ଯନ୍ତ୍ର! ପରକୀୟା ପ୍ରୀତିର ଏଭଳି ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆଣିଛି ସୁବର୍ଣ୍ଣପୁର ପୁଲିସ।
ସାଲେପାଲି-ଆଇଁଲାସାରୀ ରାସ୍ତାର ପଙ୍କେଲ ଛକ ନିକଟରେ ସୁଦାମ ନାଗଙ୍କ ଗୁଳିକାଣ୍ଡ ହତ୍ୟା ଘଟଣାର ପର୍ଦ୍ଦାଫାଶ କରି ପୁଲିସ ତାଙ୍କ ପତ୍ନୀ କବିତା ନାଗଙ୍କ ସମେତ ତିନିଜଣଙ୍କୁ ଗିରଫ କରିଛି। ପୁଲିସର ସୂଚନା ଅନୁସାରେ, କବିତାଙ୍କର ଦୁଇଜଣ ବ୍ୟକ୍ତିଙ୍କ ସହ ଦୀର୍ଘଦିନରୁ ସମ୍ପର୍କ ଥିଲା। ଏହାକୁ ନେଇ ସ୍ୱାମୀଙ୍କ ବାରଣ ଓ ଆକଟ ତାଙ୍କୁ ଅସନ୍ତୁଷ୍ଟ କରିଥିଲା। ଶେଷରେ ଦୁଇ ପ୍ରେମିକଙ୍କ ସହ ମିଶି ସ୍ୱାମୀଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ରଚିଥିଲେ।
ଏଥିପାଇଁ ନିଜ ମଙ୍ଗଳସୂତ୍ରକୁ ୪୫ ହଜାର ଟଙ୍କାରେ ବନ୍ଧକ ରଖି ବନ୍ଧୁକ କିଣିବାକୁ ଅର୍ଥ ଯୋଗାଇଥିଲେ। ଯୋଜନା ଅନୁସାରେ ସୁଦାମଙ୍କୁ ହତ୍ୟା କରାଯାଇଥିବା ପୁଲିସ କହିଛି। ହତ୍ୟା ପରେ ନିଜକୁ ବଞ୍ଚାଇବାକୁ ପତ୍ନୀ ଥାନାରେ ଅଜଣା ବ୍ୟକ୍ତିଙ୍କ ନାମରେ ମିଥ୍ୟା ଅଭିଯୋଗ ମଧ୍ୟ କରିଥିଲେ।
ପୁଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରି ଗୋଟିଏ ଦେଶୀ ପିସ୍ତଲ, ପାଞ୍ଚଟି ମୋବାଇଲ ଫୋନ ଓ ଦୁଇଟି ମୋଟରସାଇକେଲ ଜବତ କରିଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଓ ଆଲୋଡ଼ନ ସୃଷ୍ଟି କରିଛି।



