ଓଡିଶା

ଧବଳେଶ୍ବର ପୀଠରେ ବଡଓଷା ଉପଲକ୍ଷେ ଶହଶହ ଭକ୍ତଙ୍କ ସମାଗମ

କଟକ(ବିନାୟକ ନ୍ୟୁଜ୍) କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ପବିତ୍ର ବଡ଼ଓଷା ଉପଲକ୍ଷେ ଆଜି ସକାଳୁ ଶହଶହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି। ମହାପ୍ରଭୁଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଭୋରରୁ ମନ୍ଦିର ପରିସର ଓ ସେତୁ ଉପରେ ଭକ୍ତମାନଙ୍କ ଲମ୍ବା ଧାଡ଼ି ଲାଗିଥିବା ଦେଖାଯାଇଛି । ବଡ଼ଓଷା ଅବସରରେ ମହାପ୍ରଭୁଙ୍କର ମଙ୍ଗଳ ଆଳତୀ, ଅବକାଶ, ବେଶ ଓ ଅନ୍ୟାନ୍ୟ ସ୍ୱତନ୍ତ୍ର ନୀତିକାନ୍ତି ସୁରୁଖୁରୁରେ ସମ୍ପନ୍ନ ହୋଇଛି। ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁମାନେ ‘ହର ହର ମହାଦେବ’ ଓ ‘ବାବା ଧବଳେଶ୍ୱର’ ଧ୍ୱନିରେ ପୀଠକୁ ମୁଖରିତ କରିଛନ୍ତି। ବଡ଼ଓଷା ବ୍ରତ ରଖିଥିବା ଭକ୍ତମାନେ ମହାପ୍ରଭୁଙ୍କ ନିକଟରେ ଦୀପ ଜାଳି ଓ ପୂଜା ଅର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରୁଛନ୍ତି।ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଝୁଲାପୋଲ ଓ ମନ୍ଦିର ପରିସରରେ ସୁରକ୍ଷା କର୍ମୀ ମୁତୟନ ରହିବା ସହିତ ଟ୍ରାଫିକ୍ ଓ ଭିଡ଼ ନିୟନ୍ତ୍ରଣ ଉପରେ କଡ଼ା ନଜର ରଖାଯାଇଛି। ପବିତ୍ର ବଡ଼ଓଷା ପାଇଁ ସମଗ୍ର ଅଞ୍ଚଳରେ ଏକ ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ପୂଜା ସାମଗ୍ରୀ, ପ୍ରସାଦ ଓ ବଡ଼ଓଷା ବିଶେଷ ଭୋଗ ବିକ୍ରି ପାଇଁ ମନ୍ଦିର ନିକଟରେ ଥିବା ଦୋକାନଗୁଡ଼ିକରେ ମଧ୍ୟ ବେଶ୍ ଭିଡ଼ ଜମିଛି। ସୂଚନା ଅନୁଯାୟୀ, ପ୍ରତିବର୍ଷ ବଡ଼ଓଷା ଅବସରରେ ଧବଳେଶ୍ୱର ପୀଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ରୀତିନୀତି ଅନୁଷ୍ଠିତ ହୋଇଥାଏ। ଏହି ପବିତ୍ର ଅବସରରେ ମନସ୍କାମନା ପୂରଣ ପାଇଁ ବହୁ ଶ୍ରଦ୍ଧାଳୁ ଠାକୁରଙ୍କ ନିକଟରେ ଗୁଆ ବସାଇ ମାନସିକ ରଖିଥାନ୍ତି। ବିଶେଷ କରି ପୀଠର ପ୍ରସିଦ୍ଧ ‘ଗଜଭୋଗ’ ଭୋଗ ଲଗାଇବା ପାଇଁ ଭକ୍ତମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଓ ଭକ୍ତିଭାବ ଦେଖାଦେଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button