ଟାଟା କମ୍ପାନୀର କର୍ମଚାରୀ ମାରଣ ଓ ଉପଭୋକ୍ତା ଶୋଷଣ ନୀତିକୁ ଆମ୍ ଆଦ୍ମୀ ପାର୍ଟି, ଓଡ଼ିଶାର ତୀବ୍ର ବିରୋଧ

ଭୁବନେଶ୍ୱର ( ଦେବାଶିଷ ଦାଶ ) ଭୁବନେଶ୍ୱରର ଲୋୟର ପିଏମଜି ଠାରେ ଟାଟା ପାୱାରର ଚୁକ୍ତି ଭିତ୍ତିକ କର୍ମଚାରୀମାନେ ବିଭିନ୍ନ ଦାବି ନେଇ ଦୀର୍ଘ ୫୫ ଦିନରୁ ଅଧିକ ସମୟ ଧରି ଆନ୍ଦୋଳନ ଓ ୨୨ ଦିନ ଧରି ଶତାଧିକ ନିରୀହ କର୍ମଚାରୀ ଆମରଣ ଅନଶନରେ ବସିଛନ୍ତି । ‘ଓଡ଼ିଶା ବିଦ୍ୟୁତ ଠିକା କର୍ମଚାରୀ ମିଳିତ ମଞ୍ଚ’ ବ୍ୟାନରରେ ସହସ୍ରାଧିକ କର୍ମଚାରୀ ଏହି ବିକ୍ଷୋଭ ନିରନ୍ତର ପ୍ରଦର୍ଶନ କରୁଛନ୍ତି ।
ନିମ୍ନ ଲିଖିତ ଦାବି ସମୂହକୁ ନେଇ ସେମାନଙ୍କର ଅଦ୍ୟାବଧି ଏହି ଆନ୍ଦୋଳନ ଚାଲୁ ରହିଛି ।
୧- କମ୍ପାନୀ ଦ୍ୱାରା ବେଆଇନ ଭାବେ ଛଟେଇ କରାଯାଇଥିବା CCE କର୍ମଚାରୀଙ୍କୁ ତୁରନ୍ତ ପୁନଃନିଯୁକ୍ତିର ଗ୍ୟାରେଣ୍ଟି।
୨- AMC କର୍ମଚାରୀ ଯେଉଁ ସ୍ଥାନରେ କାମ କରୁଥିଲେ ସେହି ସ୍ଥାନରେ କାମ କରିବାକୁ ଅନୁମତି ପ୍ରଦାନ ଓ ଆନ୍ଦୋଳନ ସମୟର ସମସ୍ତ ଦରମା ପ୍ରଦାନ।
୩- MBC ଭାଇ, ଭଉଣୀଙ୍କୁ ସର୍ବନିମ୍ନ ବେତନ ପ୍ରଦାନ ।
୪- ଚାକିରୀର ସୁରକ୍ଷା ଓ ତ୍ରିପାକ୍ଷିକ ଚୁକ୍ତି ।
୫- ବେଆଇନ ଭାବେ କରାଯାଇଥିବା ସମସ୍ତ କେସ ପ୍ରତ୍ୟାହାର । କର୍ମଚାରୀମାନଙ୍କ ପାଇଁ ଉଚିତ୍ ପାରିଶ୍ରମିକ, କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା ଏବଂ ଟାଟା କମ୍ପାନୀର ଏକପାଖିଆ ଓ ମନମୁଖୀ ନୀତିକୁ ଆନ୍ଦୋଳନକାରୀମାନେ ତୀବ୍ର ବିରୋଧ କରିଛନ୍ତି।
ସବୁଠୁ ଦୁଃଖ ଓ ପରିତାପର ବିଷୟ ଯେ ସେମାନେ ଖରା, ବର୍ଷା, କାକରକୁ ଖାତିର ନ କରି ଆନ୍ଦୋଳନ ଚାଲୁ ରଖିଥିଲେ ସୁଦ୍ଧା ଶକ୍ତି ମନ୍ତ୍ରୀ, ସଚିବ କିମ୍ବା କମ୍ପାନୀର ଅଧିକାରୀ ଆନ୍ଦୋଳନ ସ୍ଥଳରେ ପହଞ୍ଚି ସେମାନଙ୍କ ସହ ଆଲୋଚନା କରୁ ନଥିବାରୁ ସରକାର ଓ ଟାଟା କମ୍ପାନୀର ଅହଙ୍କାରକୁ ସ୍ପଷ୍ଟ ଉଜାଗର କରିଛି । ସବୁଠୁ ସଙ୍ଗୀନ ବିଷୟ ହେଉଛି ଯେ ଅନେକ କର୍ମଚାରୀ ଅସୁସ୍ଥ ହୋଇ ପ୍ରତିଦିନ ଡାକ୍ତରଖାନାରେ ଭର୍ତ୍ତି ହେଉଥିବାର ଦାରୁଣ ଦୃଶ୍ୟ ଦେଖିବାକୁ ମିଳୁଛି । ଏହି ଭଳି ଦୟନୀୟ ଓ ଅଭାବନୀୟ
ପରିସ୍ଥିତିରେ ଆନ୍ଦୋଳନକାରୀମାନେ ରାସ୍ତା ଉପରେ ଧଳା କପଡ଼ା ଘୋଡ଼ାଇ ଶବ ଭଳି ଶୋଇ ରହିବା ସହ ପ୍ରତୀକାତ୍ମକ ଜୁଇ ସଜାଇ ଅଭିନବ ପ୍ରତିବାଦ ପ୍ରଦର୍ଶନ କରିବାକୁ ପଛାଇ ନାହାନ୍ତି ଯାହା ସମଗ୍ର ଓଡ଼ିଶାବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କରିଛି।
ଆର୍ଥିକ ସ୍ତରରେ ଅସହାୟ ଥିବା ଏହି କର୍ମଚାରୀମାନଙ୍କର ଏଭଳି ପ୍ରାୟ ୫୫ ଦିନ ଧରି ଆନ୍ଦୋଳନରେ ରହିବା ଯୋଗୁଁ ସେମାନଙ୍କର ପରିବାର ମଧ୍ୟ ଅନାହାର ଆଡ଼କୁ ଗତି କରୁଥିବାର ଦେଖିବାକୁ ମିଳୁଛି।
ଆମ୍ ଆଦ୍ମୀ ପାର୍ଟି ଏହି ପ୍ରସଙ୍ଗରେ ନିରନ୍ତର ଭାବେ କର୍ମଚାରୀ ମାନଙ୍କୁ ଆନ୍ଦୋଳନର ପ୍ରଥମ ଦିନଠାରୁ ସମର୍ଥନ ଜ୍ଞାପନ କରିଆସିଛି। ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର ଓ ଅନ୍ୟ ନେତୃବୃନ୍ଦ ବିଭିନ୍ନ୍ ସମୟରେ ଆନ୍ଦୋଳନକାରୀମାନଙ୍କ ସହ ଆଲୋଚନା କରିବା ସହିତ ସେମାନଙ୍କର ଦାବୀକୁ ଟାଟା କମ୍ପାନୀ ତୁରନ୍ତ ନିଃସର୍ତ୍ତ ମାନିନେବାକୁ ଆହ୍ୱାନ ଜଣାଇଛନ୍ତି। ଏହି ପ୍ରସଙ୍ଗରେ ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର ଚିନ୍ତାଜନକ ପ୍ରଶ୍ନ ଉଠାଇଛନ୍ତି।
୧- ଏତେ ଦିନ ଧରି ଅନାହାର ଓ ଅସୁସ୍ଥତା ମଧ୍ୟରେ ଆନ୍ଦୋଳନ ଚାଲିଥିଲେ ସୁଦ୍ଧା ଟାଟା କମ୍ପାନୀ ଆନ୍ଦୋଳନକାରୀଙ୍କ ସହ କାହା ସାହସରେ ଆଲୋଚନା କରିବାକୁ ଉତ୍ସୁକତା ଦେଖାଉନାହିଁ ?
୨- ଟାଟା କମ୍ପାନୀ ସ୍ୱେଚ୍ଛାଚାରୀ ଭାବେ କର୍ମଚାରୀ ମାରଣ ନୀତି ଅବଲମ୍ବନ କରୁଥିଲେ ସୁଦ୍ଧା ଶକ୍ତି ମନ୍ତ୍ରୀ କାହିଁକି ନୀରବ ତାହାର ଉତ୍ତର ସରକାର ସ୍ପଷ୍ଟ କରନ୍ତୁ ?
୩- ଟାଟା କମ୍ପାନୀ ଓ ଶକ୍ତି ମନ୍ତ୍ରୀ ଉଭୟ ଏହି ପ୍ରସଙ୍ଗକୁ ଅଣଦେଖା କରୁଥିଲାବେଳେ ମୁଖ୍ୟମନ୍ତ୍ରୀ କାହା ଚାପରେ ଏ ପ୍ରସଙ୍ଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନାହାନ୍ତି ତାହାର ଓଡ଼ିଶାବାସୀଙ୍କ ସମ୍ମୁଖରେ ଏକ ଜବାବ୍ ରଖନ୍ତୁ। କେବଳ କର୍ମଚାରୀଙ୍କୁ ଶୋଷଣ ନୁହେଁ ବରଂ ଉପଭୋକ୍ତାଙ୍କୁ ମଧ୍ୟ ଟାଟା ପାୱାର ନିରନ୍ତର ଶୋଷଣ କରିଚାଲିଛି। ପୁରୁଣା ମିଟର ଠିକ୍ ଥିଲେ ସୁଦ୍ଧା ଜୋର ଜବରଦସ୍ତ ସ୍ମାର୍ଟ ମିଟର ଲଗାଇ ଟାଟା ପାୱାର ଉପଭୋକ୍ତାଙ୍କ ଉପରେ ଆର୍ଥିକ ବୋଝ ଲଦିଦେଇଛି। ଏହି ସ୍ମାର୍ଟ ମିଟରରେ ପୁରୁଣା ବିଲ୍ ଠାରୁ ବହୁ ଅଧିକ ଆର୍ଥିକ ବୋଝ ପଡୁଥିବାରୁ ଜନସାଧାରଣ ଏହି ମିଟରକୁ ପ୍ରତ୍ୟାହାର କରିବାକୁ ଦାବି ଜଣାଇ ଆସୁଥିଲେ ସୁଦ୍ଧା ଟାଟା ପାୱାରର ଚାପରେ ସରକାର ନୀରବ ରହିଛନ୍ତି।
MFA, ମିଟର ତ୍ରୁଟି ନିର୍ଦ୍ଧାରଣ ନାଁରେ ହଜାର ହଜାର କୋଟି ଟାଟା ଲୁଟି ନେଇଥିବାର ଅଭିଯୋଗ ହୋଇଥିଲେ ସୁଦ୍ଧା ସରକାର ହାତ ବାନ୍ଧି ବସିବା ନିଶ୍ଚିତ ଦୁର୍ଭାଗ୍ୟଜନକ ।
ଚୁକ୍ତି ଭିତ୍ତିକ କର୍ମଚାରୀ ମହାସଂଘର ସମସ୍ତ ଦାବିକୁ ସରକାର ତୁରନ୍ତ ପୂରଣ କରିବା ସହ ଟାଟା କମ୍ପାନୀର ଉପଭୋକ୍ତା ଶୋଷଣ ନୀତିକୁ ବନ୍ଦ କରିବାକୁ ଆମ୍ ଆଦ୍ମୀ ପାର୍ଟି ନିବେଦନ କରୁଛି। ଯଦି ଏହି ସମସ୍ତ ଦାବୀ ପୂରଣ କରିବାରେ ସରକାର କୌଣସି ଚଞ୍ଚକତା କରନ୍ତି ତେବେ ଆମ୍ ଆଦ୍ମୀ ପାର୍ଟି କର୍ମଚାରୀ ଭାଇ, ଭଉଣୀଙ୍କ ସ୍ଵାର୍ଥ ଓ ଉପଭୋକ୍ତା ଶୋଷଣ ପ୍ରତିବାଦରେ ରାଜ ରାସ୍ତାରେ ଲଢେଇ କରିବାକୁ ପଛଘୁଞ୍ଚା ଦେବ ନାହିଁ ବୋଲି ଚେତାବନୀ ପ୍ରଦାନ କରୁଛି।
ଆଜିର ପ୍ରେସ୍ ମିଟରେ ଆମ ଆଦ୍ମୀ ପାର୍ଟି, ଓଡ଼ିଶାର ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର, ରାଜ୍ୟ ସଂଗଠନ ସମ୍ପାଦକ ଶ୍ରୀ ସନ୍ଦୀପ୍ତ ଦାସ ଏବଂ ମୁଖ୍ୟ ପ୍ରବକ୍ତା ଶ୍ରୀ ଲଲିତ୍ ମୋହନ ଦାଶଅଧିକାରି ପ୍ରମୁଖ ଉପସ୍ଥିତ ଥିଲେ।



