ଓଡିଶା

କୁଲଡିହା ଅଭୟାରଣ୍ୟର ସୀମା ନିର୍ଦ୍ଧାରଣ ପାଇଁ ମାନ୍ୟବର ଉଚ୍ଚ ନ୍ୟାୟାଳୟ, ଓଡ଼ିଶାଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ପାଇଁ ଜନମେଳି।

ନୀଳଗିରି ( ଦେବାଶିଷ ଦାଶ ) କୁଲଡିହା ଅଭୟାରଣ୍ୟର ସୀମା ନିର୍ଦ୍ଧାରଣ ପାଇଁ ମାନ୍ୟବର ଉଚ୍ଚ ନ୍ୟାୟାଳୟ, ଓଡ଼ିଶାଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ପାଇଁ ବିରାଟ ଜନମେଳି ହୋଇଛି।ସୂଚନାରୁ ଜଣାଯାଇଛି, ୧୯୮୪ ମସିହାରେ କୁଲଡିହା ଅଭୟାରଣ୍ୟ ଘୋଷଣା କରାଯାଇଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ତାର ସୀମା ନିର୍ଦ୍ଧାରଣ ହୋଇପାରି ନାହିଁ। କିନ୍ତୁ ପ୍ରଶାସନ ତରଫରୁ ଇକୋ ସେନ୍‌ସିଟିଭ୍ ଜୋନ୍ ନାମରେ ଲୋକମାନଙ୍କୁ ହଇରାଣ ହରକତ କରାଯାଉଛି। ଖଣି ଖାଦାନ ବନ୍ଦ ରହିଛି। ଜଙ୍ଗଲକୁ ପ୍ରବେଶ କରିବାକୁ ନିଷେଧ କରାଯାଇଛି। ଫଳରେ ଲୋକମାନେ ଦାଦନ ଶ୍ରମିକ ହୋଇ ବାହାର ରାଜ୍ୟକୁ ଯାଉଛନ୍ତି।ଅଭୟାରଣ୍ୟରୁ ଜନବସତି, ମନ୍ଦିର, ସ୍କୁଲ, ଡାକ୍ତରଖାନା, ଅଙ୍ଗନବାଡ଼ି କେନ୍ଦ୍ର, କମ୍ୟୁନିଟି ସେଣ୍ଟରକୁ ବାଦ୍ ଦେଇ ସୀମା ନିର୍ଦ୍ଧାରଣ ପାଇଁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଓଡ଼ିଶାଙ୍କ ପାଖରେ ଏକ ମୋକଦ୍ଦମା ୨୦୧୧ ମସିହାରୁ ଚାଲିଛି। ମାନ୍ୟବର ଉଚ୍ଚ ନ୍ୟାୟାଳୟ ଉକ୍ତ ମୋକଦ୍ଦମାକୁ ତର୍ଜମା କରି ୨୦୨୦ ମସିହାରେ ଜିଲ୍ଲାପାଳ ବାଲେଶ୍ୱରଙ୍କୁ ପଲ୍ଲୀସଭା କରି ଲୋକମତାମତ ନେଇ ଅଭୟାରଣ୍ୟର ସୀମା ନିର୍ଦ୍ଧାରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବହୁ ଦାବି ଫଳରେ ଗତ ଏପ୍ରିଲ ମାସ ୧୭ ତାରିଖରେ ଭିଟାମାଟି ଓ ଜୀବନ ଜୀବିକା ସୁରକ୍ଷା ମଞ୍ଚର ନେତୃତ୍ୱମାନଙ୍କୁ ଡାକି ଉକ୍ତ ସୀମା ନିର୍ଦ୍ଧାରଣ ପାଇଁ ପଦକ୍ଷେପ ନେବେ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇ ନାହିଁ। ଉଚ୍ଚ ନ୍ୟାୟାଳୟ ଓଡ଼ିଶାଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ପାଇଁ ଭିଟାମାଟି ଓ ଜୀବନ ଜୀବିକା ସୁରକ୍ଷା ମଞ୍ଚ ତରଫରୁ ଜଗନ୍ନାଥ ମନ୍ଦିର ଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ଉପଜିଲ୍ଲାପାଳ ନୀଳଗିରିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଓ ଗଣଧାରଣା ଦିଆଯାଇଛି। ଭିଟାମାଟି ଓ ଜୀବନ ଜୀବିକା ସୁରକ୍ଷା ମଞ୍ଚର ଆବାହକ ବିଜୟ ପାତ୍ରଙ୍କ ସଭାପତିତ୍ୱରେ ପ୍ରତିବାଦ ସଭା ହୋଇଛି। ଉକ୍ତ ସଭାରେ ନୀଳଗିରିର ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଯୋଗନନ୍ଦ ଦାସ, କିଶୋର ଚନ୍ଦ୍ର ପୁର୍ ପଞ୍ଚାୟତର ପୂର୍ବତନ ସରପଞ୍ଚ ରଘୁନାଥ ସିଂ, ବାମପନ୍ଥୀ ନେତା ଜ୍ୟୋତିର୍ମୟ ରାଉତ, ଜିଲ୍ଲା କମିଟି ସମ୍ପାଦକ ଶିଶିର ହୁଇ, ରାଜ୍ୟ ନେତା ସିତାଂଶୁ ସେନାପତି, ଗଙ୍ଗାଧର ମହାନ୍ତି, ଅମରେନ୍ଦ୍ର ନାୟକ, ପୁରୁଷୋତ୍ତମ ଖଣ୍ଡିଏ, ଗଜେନ୍ଦ୍ର ସିଂ, ଜଗନ୍ନାଥ ସିଂ, ଲକ୍ଷ୍ମୀଧର ସାହୁ, ହାଡ଼ିବନ୍ଧୁ ସିଂ, ମୃତ୍ୟୁଞ୍ଜୟ ନାୟକ, ହେମେନ୍ଦ୍ର ସେଠୀ, କାଳିଆ ପାତ୍ର, ଉମାକାନ୍ତ ଷଡଙ୍ଗୀ, ଯାମିନୀ ହାଁସଦା ଉପସ୍ଥିତ ରହି ସରକାରଙ୍କ ନୀତିକୁ ସମାଲୋଚନା କରିଥିଲେ। ଦାବି ହାସଲ ପର୍ଯ୍ୟନ୍ତ ଏ ଧାରଣା ଚାଲୁ ରହିବ ବୋଲି ଭିଟାମାଟି ଓ ଜୀବନ ଜୀବିକା ସୁରକ୍ଷା ମଞ୍ଚ ତରଫରୁ ଘୋଷଣା କରାଯାଇଛି। ତେବେ ସମ୍ବାଦ ଲେଖା ହେବା ବେଳକୁ କୌଣସି ପ୍ରଶାସନିକ ଅଧିକାରୀ ଧାରଣାକାରୀଙ୍କ ନିକଟକୁ ନ ଆସିବା ଫଳରେ ଧାରଣାକାରୀମାନେ ବାଧ୍ୟ ହୋଇ ନୀଳଗିରି ବସଷ୍ଟାଣ୍ଡ ନିକଟସ୍ଥ ବାଇପାସ୍ ଛକରେ ରାସ୍ତା ଅବରୋଧ କରିଛନ୍ତି। ଜୀବନ ଜୀବିକା ସୁରକ୍ଷା ମଞ୍ଚର ଆବାହକ ବିଜୟ କୁମାର ପାତ୍ର କହିଛନ୍ତି କି, ଯେ ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ ଠାରୁ ଲିଖିତ ପ୍ରତିଶ୍ରୁତି ନ ମିଳିଛି, ସେ ପର୍ଯ୍ୟନ୍ତ ଏହି ରାସ୍ତା ରୋକ ଅହୋରାତ୍ର ଚାଲୁ ରହିବ। ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା କେବେ ଭାଙ୍ଗିବ ବୋଲି ଅନେକ ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି। ଘଟଣାର ଗୁରୁତ୍ୱ ଉପଲବ୍ଧି କରି ଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି। ତେବେ ସର୍ବଶେଷ ଖବରରୁ ଜଣାଯାଇଛି, ସହକାରୀ ଉପଜିଲ୍ଲାପାଳ ପ୍ରଦୀପ ଦାସ, ଏସ୍.ଡି.ପି.ଓ. ନିର୍ମଳା ଗୋଚ୍ଛାୟତ, ଆଇ.ଆଇ.ସି. ଗୋବର୍ଦ୍ଧନ ନାୟକଙ୍କ ଉପସ୍ଥିତିରେ ସହକାରୀ ଉପଜିଲ୍ଲାପାଳ ଶ୍ରୀ ଦାସ ଆଗାମୀ ସୋମବାର ଦିନ ନିଶ୍ଚିତ ଭାବେ ଆଲୋଚନା କରାଯାଇ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶକୁ ଯଥାଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ନିର୍ଭର ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଛି। ଅନ୍ୟ ପକ୍ଷରେ ନୀଳଗିରି ଉପଜିଲ୍ଲାପାଳଙ୍କ ଅବିମୃଷ୍ୟକାରିତା ପାଇଁ ଧାରଣା ସ୍ଥଳରେ ଭୋକ ଉପାସରେ ଦିନ ଯାକ ବସିଥିବା ଧାରଣାକାରୀମାନେ ବାଧ୍ୟ ହୋଇ ରାସ୍ତା ଅବରୋଧ କଲେ ବୋଲି ବିଭିନ୍ନ ସ୍ଥାନରେ ଆଲୋଚନା ହେଉଥିବା ଶୁଣାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button