ଦୟାନଦୀ କଳିଙ୍ଗ ଘାଟ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେଲେ ମାନ୍ୟବର ବାଚସ୍ପତି ସୁରମା ପାଢ଼ୀ ଓ ଏକାମ୍ର ବିଧାୟକ ବାବୁ ସିଂ
ଭକ୍ତି, ପରମ୍ପରା ଓ ଓଡ଼ିଆ ଅସ୍ମିତାର ଅନନ୍ୟ ସଙ୍ଗମ ପାଲଟିଲା ଦୟାନଦୀ କଳିଙ୍ଗ ଘାଟ

ଭୁବନେଶ୍ୱର ( ଦେବାଶିଷ ଦାଶ ) ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ଓଡ଼ିଆ ଜାତିର ଗୌରବମୟ ବୋଇତ ବନ୍ଦାଣ ଉତ୍ସବ ଅବସରରେ ଧଉଳି ପାଦଦେଶରେ ଅବସ୍ଥିତ ଭୈରଙ୍ଗେଶ୍ୱର ମନ୍ଦିର ସ୍ଥିତ ଦୟାନଦୀ କଳିଙ୍ଗ ଘାଟଠାରେ ଏକ ଭବ୍ୟ ଓ ଭକ୍ତିମୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏକାମ୍ର ଗ୍ରାମୀଣ ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ଏହି ପବିତ୍ର ଉତ୍ସବ ଧାର୍ମିକ ଆସ୍ଥା, ସାଂସ୍କୃତିକ ପରମ୍ପରା ଓ ଓଡ଼ିଆ ଐତିହ୍ୟର ଏକ ଅନନ୍ୟ ସଙ୍ଗମ ପାଲଟିଥିଲା।
ଏହି ମହାନ ସାଂସ୍କୃତିକ ଉତ୍ସବରେ ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଏବଂ ଏକାମ୍ର ଗ୍ରାମୀଣ ସାଂସ୍କୃତିକ ପରିଷଦର ସଭାପତି ତଥା ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ ଯୋଗଦେଇ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ କାମନା କରିଥିଲେ। ଏହି ଅବସରରେ ଉପସ୍ଥିତ ଶ୍ରଦ୍ଧାଳୁ, ଅଞ୍ଚଳବାସୀ ଓ ଆୟୋଜକମାନଙ୍କ ମଧ୍ୟରେ ଅପାର ଉତ୍ସାହ ଓ ଆନନ୍ଦ ପରିଲକ୍ଷିତ ହୋଇଥିଲା।
ଏକାମ୍ର ଗ୍ରାମୀଣ ସାଂସ୍କୃତିକ ପରିଷଦର ସମ୍ପାଦକ ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ। ଏହି ଉତ୍ସବରେ ଭୁବନେଶ୍ୱର ବ୍ଲକ ଅଧ୍ୟକ୍ଷା ନିରୁପମା ସାହୁ, ଧଉଳି ସରପଞ୍ଚ ଚନ୍ଦନ ମଲ୍ଲିକ, ଲିଙ୍ଗିପୁର ସରପଞ୍ଚ କ୍ଷୀରୋଦ ପ୍ରଧାନ, ମଣ୍ଡଳ ସଭାପତି ସୂର୍ଯ୍ୟକାନ୍ତ ସାହୁ, ବିଜେପି ନେତା ଅଜୟ ସ୍ୱାଇଁ, ମାନସ ପଣ୍ଡା, ବିନ୍ଦୁସାଗର ପ୍ରଧାନ, ଅରୁଣ ପୁରୋହିତ, ଆଲୋକ ସାହୁ, ରାଜେନ୍ଦ୍ର ଦାସ, ସରୋଜିନୀ ପରିଡ଼ା, ସନ୍ତୋଷ ସ୍ୱାଇଁ, ଶୁଭଶ୍ରୀ ଚମ୍ପତି, ଜ୍ୱାତ୍ରୀମଇ ମହାନ୍ତି ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଜନପ୍ରତିନିଧି ଓ ଅଞ୍ଚଳର ଶ୍ରଦ୍ଧାଳୁମାନେ ଉପସ୍ଥିତ ଥିଲେ।
ଉତ୍ସବର ଆରମ୍ଭରୁ ହିଁ ଦୟାନଦୀ କଳିଙ୍ଗ ଘାଟରେ ଏକ ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ସକାଳୁ ସକାଳୁ ଲୋକପ୍ରିୟ କଣ୍ଠଶିଳ୍ପୀ ସୌରବ ଭରଦ୍ୱାଜଙ୍କ ଦ୍ୱାରା ମନୋମୁଗ୍ଧକର ଭଜନ ପରିବେଷଣ କରାଯାଇଥିଲା। ଭଜନର ମଧୁର ସୁରରେ ଘାଟ ପରିସର ଭକ୍ତିରସରେ ଭରିଉଠିଥିବା ବେଳେ ଉପସ୍ଥିତ ଶ୍ରଦ୍ଧାଳୁମାନେ ଭକ୍ତିଭାବରେ ମହାପ୍ରଭୁଙ୍କୁ ସ୍ମରଣ କରିଥିଲେ।ଏହାପରେ ସାଧବପୁଅ ଓ ସାଧବବୋହୂ ବେଶରେ ସଜ୍ଜିତ ଛୋଟ ଛୋଟ ପିଲାମାନେ ପାରମ୍ପରିକ ରୀତିନୀତି ଅନୁସାରେ ଡଙ୍ଗାରେ ବୋଇତ ବନ୍ଦାଣ କରି ନଦୀରେ ମେଲାଣି ଦେଇଥିଲେ। ପିଲାମାନଙ୍କର ଏହି ଆକର୍ଷଣୀୟ ପ୍ରସ୍ତୁତି ଉତ୍ସବକୁ ଆହୁରି ମନୋରମ ଓ ସ୍ମରଣୀୟ କରିଥିଲା। ଏହା ଆମ ପ୍ରାଚୀନ ସାମୁଦ୍ରିକ ପରମ୍ପରାକୁ ନୂତନ ପିଢ଼ି ନିକଟରେ ପହଞ୍ଚାଇବାର ଏକ ସୁନ୍ଦର ପ୍ରୟାସ ଥିଲା।
ଏହି ଅବସରରେ ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଓ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ ଡଙ୍ଗାରେ ବସି କଳିଙ୍ଗ ଘାଟରେ ପରିକ୍ରମା କରିଥିଲେ। ଦୟାନଦୀର ଶାନ୍ତ ଜଳରାଶି ଓ ଐତିହାସିକ ଧଉଳି ପାଦଦେଶରେ ଆୟୋଜିତ ଏହି ବୋଇତ ବନ୍ଦାଣ ଉତ୍ସବ ଉପସ୍ଥିତ ସମସ୍ତଙ୍କ ପାଇଁ ଏକ ଅବିସ୍ମରଣୀୟ ଅନୁଭୂତି ପାଲଟିଥିଲା।
ଏହି ଅବସରେ ବାଚସ୍ପତି ମହୋଦୟା କହିଥିଲେ ଯେ,ଓଡ଼ିଆ ଜାତିର ଗୌରବମୟ ନୌବାଣିଜ୍ୟ ପରମ୍ପରାର ପ୍ରତୀକ ବୋଇତ ବନ୍ଦାଣ।କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଓଡ଼ିଆ ଜାତିର ଏକ ଅତ୍ୟନ୍ତ ପବିତ୍ର, ଗୌରବମୟ ଓ ଐତିହାସିକ ପର୍ବ। ଏହା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ବରଂ ଆମ ଓଡ଼ିଶାର ଗୌରବମୟ ଅତୀତ, ସମୃଦ୍ଧ ନୌବାଣିଜ୍ୟ ପରମ୍ପରା, ସାଧବପୁଅଙ୍କ ସାହସିକ ସାମୁଦ୍ରିକ ଯାତ୍ରା ଓ ଅତୁଳନୀୟ ସାଂସ୍କୃତିକ ଐତିହ୍ୟର ଏକ ଅମର ପ୍ରତୀକ।‘ଆ କା ମା ବୈ, ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧର୍ମ ମୋର…’ ଏହି ପାରମ୍ପରିକ ଧ୍ୱନି ଆମ ଓଡ଼ିଆ ଜାତିର ଆତ୍ମା, ଆସ୍ଥା ଓ ଗୌରବର ପରିଚୟ। ଏହି ଧ୍ୱନି ସହ ଜଡ଼ିତ ରହିଛି ଆମ ପୂର୍ବଜଙ୍କ ଅସୀମ ସାହସ, ଦୂରଦୃଷ୍ଟି, ପରିଶ୍ରମ ଓ ବାଣିଜ୍ୟିକ ଦକ୍ଷତାର ଗୌରବମୟ ଇତିହାସ।ପ୍ରାଚୀନ କାଳରେ ଓଡ଼ିଶାର ସାଧବପୁଅମାନେ ବୋଇତରେ ଚଢ଼ି ବିଭିନ୍ନ ଦେଶକୁ ବାଣିଜ୍ୟ କରିବା ପାଇଁ ସାମୁଦ୍ରିକ ଯାତ୍ରା କରୁଥିଲେ। ସେମାନଙ୍କର ଏହି ସାହସିକ ଯାତ୍ରା ଓଡ଼ିଶାକୁ ଆନ୍ତର୍ଜାତୀୟ ବାଣିଜ୍ୟ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା। ଆଜି ମଧ୍ୟ ବୋଇତ ବନ୍ଦାଣ ଉତ୍ସବ ଆମକୁ ସେହି ଗୌରବମୟ ଅଧ୍ୟାୟକୁ ସ୍ମରଣ କରାଇଥାଏ ଏବଂ ଆମ ଯୁବପିଢ଼ିଙ୍କ ମନରେ ନିଜ ମାଟି, ନିଜ ଇତିହାସ ଓ ନିଜ ସଂସ୍କୃତି ପ୍ରତି ଗଭୀର ଗର୍ବ ଓ ଆତ୍ମବିଶ୍ୱାସ ସୃଷ୍ଟି କରିଥାଏ ବୋଲି ସେ କହିଥିଲେ।
ଏହି ଅବସରେ ବିଧାୟକ ମହୋଦୟ କହିଥିଲେ ଯେ,ପରମ୍ପରାର ସୁରକ୍ଷା ଓ ନୂତନ ପିଢ଼ିକୁ ସାଂସ୍କୃତିକ ଚେତନା।ଓଡ଼ିଶାର ସଂସ୍କୃତି ଓ ପରମ୍ପରା ଆମ ଜୀବନର ଅବିଚ୍ଛେଦ୍ୟ ଅଂଶ। ଏହି ପରମ୍ପରା ଆମକୁ ଆମ ମୂଳ ସହ ଯୋଡ଼ି ରଖିବା ସହ ଏକତା, ଭାଇଚାରା, ସହଯୋଗ ଓ ସାମାଜିକ ସଦ୍ଭାବର ବାର୍ତ୍ତା ପ୍ରଦାନ କରିଥାଏ। ଏଭଳି ଉତ୍ସବ ଆମ ସମାଜରେ ସାଂସ୍କୃତିକ ଚେତନାକୁ ଜାଗ୍ରତ କରିବା ସହ ଆଗାମୀ ପିଢ଼ିଙ୍କୁ ଆମର ଗୌରବମୟ ଐତିହ୍ୟ ସହ ପରିଚିତ କରାଇବାରେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି।ଏକାମ୍ର ଗ୍ରାମୀଣ ସାଂସ୍କୃତିକ ପରିଷଦ ପକ୍ଷରୁ ଏଭଳି ମହାନ ସାଂସ୍କୃତିକ ଉତ୍ସବର ଆୟୋଜନ ଆମ ଅଞ୍ଚଳର ସାମାଜିକ ଓ ସାଂସ୍କୃତିକ ଜୀବନକୁ ଅଧିକ ସମୃଦ୍ଧ କରିବା ସହ ଓଡ଼ିଆ ଅସ୍ମିତା ଓ ପରମ୍ପରାର ସୁରକ୍ଷା ଦିଗରେ ଏକ ପ୍ରଶଂସନୀୟ ପଦକ୍ଷେପ। ଏହି ଅବସରରେ ପରିଷଦର ସମସ୍ତ କର୍ମକର୍ତ୍ତା, ଆୟୋଜକ, କଳାକାର ଓ ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କୁ ଆନ୍ତରିକ ଧନ୍ୟବାଦ ଓ ଶୁଭକାମନା ଜଣାଉଛି।ଏହି ପବିତ୍ର ଅବସରରେ ସମସ୍ତ ଓଡ଼ିଶାବାସୀଙ୍କୁ କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କୃପାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି, ସମୃଦ୍ଧି, ଉତ୍ତମ ସ୍ୱାସ୍ଥ୍ୟ ଓ ଆନନ୍ଦରେ ପରିପୂର୍ଣ୍ଣ ହେଉ ବୋଲି କାମନା କରୁଛି।



