ପୁରୀରେ ହବିଷ୍ୟାଳୀ ମା’ମାନଙ୍କ ଭକ୍ତିଭାବନାକୁ କୁଠାରାଘାତ କରୁଛି ବିଜେପି ସରକାର: ବିଜେଡି
ନବୀନ ସରକାର ସମୟରେ ହବିଷ୍ୟାଳୀ ମା’ ମାନଙ୍କ ପାଇଁ ହୋଇଥିବା ସୁବ୍ୟବସ୍ଥା, ଆଜି ଅବହେଳିତ

ଭୁବନେଶ୍ୱର ( ଦେବାଶିଷ ଦାଶ )
ପଞ୍ଜିକରଣ ବାହାନାରେ ହବିଷ୍ୟାଳୀ ମା’ମାନଙ୍କୁ କଷ୍ଟ ନ ଦିଅନ୍ତୁ ରାଜ୍ୟ ସରକାର
ହବିଷ୍ୟାଳୀ ମା’ମାନଙ୍କୁ ସରକାର ତୁରନ୍ତ ସମସ୍ତ ସୁବିଧା ଯୋଗାଇ ଦିଅନ୍ତୁ ,ପବିତ୍ର କାର୍ତ୍ତିକ ମାସ ଅବସରରେ ଶ୍ରୀକ୍ଷେତ୍ର ପୁରୀକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଏବଂ ରାଧାଦାମୋଦର ବ୍ରତ ପାଳନ ପାଇଁ ଆସିଥିବା ହଜାର ହଜାର ହବିଷ୍ୟାଳୀ ମା’ମାନଙ୍କ ଦୁର୍ଦ୍ଦଶା ରାଜ୍ୟ ସରକାରଙ୍କ ଅବ୍ୟବସ୍ଥାକୁ ପଦାରେ ପକାଇଛି । ହବିଷ୍ୟାଳୀ ମା’ମାନଙ୍କ ରହଣି, ଖାଦ୍ୟ, ଚିକିତ୍ସା ଓ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାରେ ବିଜେପି ସରକାର କ୍ରମାଗତ ଭାବେ ବିଫଳ ହୋଇଥିବା ଅଭିଯୋଗ କରିଛି ବିଜୁ ଜନତା ଦଳ ।
ଏକ ପ୍ରେସ୍ ବିବୃତି ମାଧ୍ୟମରେ ଦଳର ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ ଯେ, ଗତ ୩ ବର୍ଷ ଧରି ହବିଷ୍ୟାଳୀ ମା’ମାନଙ୍କ ପାଇଁ ସୁବ୍ୟବସ୍ଥା ଯୋଗାଇ ଦେବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଏହା କେବଳ ଏକ ପ୍ରଶାସନିକ ଅବ୍ୟବସ୍ଥା ନୁହେଁ, ବରଂ ଓଡ଼ିଆଙ୍କ ଧାର୍ମିକ ଭାବନା, ପରମ୍ପରା ଓ ମହାନ ଜଗନ୍ନାଥ ସଂସ୍କୃତି ପ୍ରତି ଅବମାନନା । ହବିଷ୍ୟାଳୀ ମା’ମାନଙ୍କ ଆସ୍ଥା ଓ ଭାବାବେଗକୁ ସମ୍ମାନ ଦେବା ପରିବର୍ତ୍ତେ ସେମାନଙ୍କୁ ଅସୁବିଧାରେ ପକାଇବା ଅତ୍ୟନ୍ତ ଦୁଃଖଦାୟକ । ନବୀନ ସରକାର ସମୟରେ ହବିଷ୍ୟାଳୀ ମା’ମାନଙ୍କ ରହଣି, ଖାଦ୍ୟ, ଯାତାୟାତ ଓ ମହାପ୍ରଭୁଙ୍କ ଦର୍ଶନ ପାଇଁ ସୁବ୍ୟବସ୍ଥିତ ଆୟୋଜନ କରାଯାଉଥିଲା । ଦୂରଦୂରାନ୍ତରୁ ଆସୁଥିବା ବୟସ୍କା ମହିଳାମାନେ ନିରାପଦରେ ରହି ବିନା ବାଧାରେ ନିଜର ବ୍ରତ ପାଳନ କରିପାରୁଥିଲେ । କିନ୍ତୁ ଆଜି ଅନେକ ହବିଷ୍ୟାଳୀ ମା’ ମାନେ ରହିବା ପାଇଁ ସ୍ଥାନ ନପାଇ ରାସ୍ତାକଡ଼ରେ ଓ ଖୋଲା ଆକାଶ ତଳେ ରାତି କାଟିବାକୁ ବାଧ୍ୟ ହେଉଛନ୍ତି । ପଞ୍ଜୀକରଣ ହୋଇନଥିବା ଅନେକ ହବିଷ୍ୟାଳୀଙ୍କୁ ଆଶ୍ରୟ ନଦେବା ଏବଂ ସୀମିତ ବ୍ୟବସ୍ଥା କରି ଅନ୍ୟମାନଙ୍କୁ ଅସହାୟ ଅବସ୍ଥାରେ ଛାଡ଼ିଦେବା ଅତ୍ୟନ୍ତ ନିନ୍ଦନୀୟ ।
ଡ଼ ମହାନ୍ତି ଆହୁରି କହିଥିଲେ ଯେ, ହବିଷ୍ୟାଳୀ ମା’ମାନେ କେବଳ ଯୋଜନାର ହିତାଧିକାରୀ ନୁହନ୍ତି; ସେମାନେ ଆମ ରାଜ୍ୟର ଧାର୍ମିକ ପରମ୍ପରା ଓ ଆଧ୍ୟାତ୍ମିକ ଚେତନାର ବାହକ । ସେମାନଙ୍କ ବୟସ, ଶାରୀରିକ ଅସୁବିଧା ଓ ଭକ୍ତିଭାବନାକୁ ବିଚାରକୁ ନନେବା ସରକାରଙ୍କ ଅସମ୍ୱେଦନଶୀଳତାକୁ ପ୍ରମାଣିତ କରୁଛି । ଓଡ଼ିଆ ଅସ୍ମିତା ଓ ଜଗନ୍ନାଥ ସଂସ୍କୃତିର ସୁରକ୍ଷା କଥା କହୁଥିବା ବିଜେପି ସରକାରଙ୍କ ଏଭଳି କାର୍ଯ୍ୟ ଓ ଆଚରଣ ମଧ୍ୟରେ ସ୍ପଷ୍ଟ ବିରୋଧାଭାସ ରହିଛି । ହବିଷ୍ୟାଳୀ ମା’ମାନଙ୍କ ପାଇଁ ତୁରନ୍ତ ପର୍ଯ୍ୟାପ୍ତ ରହଣି ବ୍ୟବସ୍ଥା, ପୁଷ୍ଟିକର ଖାଦ୍ୟ, ନିୟମିତ ସ୍ୱାସ୍ଥ୍ୟସେବା, ନିରାପଦ ଯାତାୟାତ ଓ ମହାପ୍ରଭୁଙ୍କ ଦର୍ଶନ ପାଇଁ ସୁବ୍ୟବସ୍ଥା କରାଯାଉ । ଦୂରଦୂରାନ୍ତରୁ ଆସିଥିବା କୌଣସି ହବିଷ୍ୟାଳୀ ମା’ମାନଙ୍କୁ କେବଳ ପଞ୍ଜୀକରଣ ନଥିବା କାରଣରୁ ଅସହାୟ ଅବସ୍ଥାରେ ଛାଡ଼ି ଦିଆନଯାଉ । ଆବଶ୍ୟକ ସ୍ଥଳେ ଅତିରିକ୍ତ ଅସ୍ଥାୟୀ ଶିବିର ଖୋଲି ସମସ୍ତଙ୍କ ପାଇଁ ମାନବିକ ଓ ସମ୍ମାନଜନକ ବ୍ୟବସ୍ଥା କରାଯାଉ । ମହାପ୍ରଭୁ ଶ୍ରୀଜଗନ୍ନାଥ ସମସ୍ତଙ୍କର ଆରାଧ୍ୟ ଦେବତା । ତାଙ୍କ ଦର୍ଶନ ଓ ବ୍ରତ ପାଳନ ପାଇଁ ଆସିଥିବା ମା’ମାନଙ୍କ ପ୍ରତି ଅବହେଳା କେବଳ ପ୍ରଶାସନିକ ଦାୟିତ୍ୱରେ ଅବହେଳା ନୁହେଁ, ଏହା ଏକ ଗୁରୁତର ମାନବିକ ଓ ଧାର୍ମିକ ପ୍ରସଙ୍ଗ । ବିଜୁ ଜନତା ଦଳ ହବିଷ୍ୟାଳୀ ମା’ମାନଙ୍କ ସହିତ ଦୃଢ଼ ଭାବେ ଠିଆ ହୋଇଛି ଏବଂ ସେମାନଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ସରକାରଙ୍କ ନିକଟରେ ଦାବି ଜଣାଉଛି । ରାଜ୍ୟ ସରକାର ବିଳମ୍ୱ ନକରି ହବିଷ୍ୟାଳୀ ମା’ମାନଙ୍କ ସମ୍ମାନ, ସୁରକ୍ଷା ଓ ଭକ୍ତିଭାବନାର ମର୍ଯ୍ୟାଦା ରକ୍ଷା କରନ୍ତୁ ।



