କେବେ ମିଳିବ କଳାକାର ଭତ୍ତା, ଚିନ୍ତାରେ ଚିନ୍ତାମଣି

ଖଇରା( ବିନାୟକ ନିୟୁଜ୍)ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଝିଙ୍କିରିଆ ପଞ୍ଚାୟତ ସିଙ୍ଗିପୁର ଗାଁରେ ଚିନ୍ତାମଣି ସୂତାରଙ୍କ
ଘର । ସେ ଜଣେ ସୁନ୍ଦର କାଠ ମିସ୍ତ୍ରୀ । ବୟସ ୭୮ ବର୍ଷ ହୋଇଥିଲେ ମଧ୍ୟ ବନ୍ଦ ହୋଇନି ହାତ । ୧୮ ବର୍ଷ ବୟସରୁ ଏପର୍ଯ୍ୟନ୍ତ ଚାଲିଛି କାଠରେ ହାତ ତିଆରି ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦା ଏବଂ ଅନ୍ଯାନ୍ଯ ପ୍ରତିମୂର୍ତ୍ତି ନିର୍ମାଣ । ଏଥି ସହିତ ଗୃହ ପାଇଁ ଆବଶ୍ୟକ ବନ୍ଧକବାଟ, ଝରକା, ଟେବୁଲ, ଆଲମାରୀ ଏବଂ କାଠ ତିଆରି ବିଭିନ୍ନ ସରଞ୍ଜାମ କରୁଛନ୍ତି ନିର୍ମାଣ । ରଥଯାତ୍ରା ସମୟରେ ପୁରୀ ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଯାଆନ୍ତି । ମୂର୍ତ୍ତି ଠାରୁ ଆରମ୍ଭ କରି କାଠ ନିର୍ମିତ ଯାବତୀୟ କାରୁକାର୍ଯ୍ୟ ପୂର୍ଣ୍ଣ ନିର୍ମାଣ କାର୍ଯ୍ୟ ତାଙ୍କୁ ବହୁତ ଖୁସି ଓ ଆନନ୍ଦ ଦେଉଛି । ବହୁ ଲୋକ ତାଙ୍କ ପାଖରେ ପହଞ୍ଚି କାଠ ନିର୍ମିତ ନିର୍ମାଣ ଜିନିଷ ନେଇ ଖୁସି ହେଉଛନ୍ତି । ତାଙ୍କର ଏତେ ସୁନ୍ଦର କାରୁକାର୍ଯ୍ୟ ପାଇଁ ସମ୍ପୃକ୍ତ ଅଞ୍ଚଳ ଗୌରବମୟ ହୋଇ ଉଠିଛି । ଅତି ନିଖୁଣ ଭାବେ ବିଭିନ୍ନ କାଠକାମ କରିବା ତାଙ୍କର ନିଶା । ବିଭିନ୍ନ ଅଞ୍ଚଳରୁ ଲୋକ ମାନେ ମଧ୍ୟ ଅଗ୍ରୀମ ଦେଇ କାଠ ନିର୍ମିତ ବିଭିନ୍ନ ପ୍ରତିମୂର୍ତ୍ତି ଘରକୁ ନେଉଛନ୍ତି । ସେ ସବୁର ସ୍ରଷ୍ଟା ଚିତ୍ରକର ବା କଳାକାର ହେଉଛନ୍ତି ଚିନ୍ତାମଣି । କଳାକାର ଭତ୍ତାଟିଏ ପାଇବା ପାଇଁ ଚିନ୍ତାମଣି ବହୁ ଚେଷ୍ଟା କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ଲେବର କାର୍ଡଟିଏ ନାହିଁ କି କଳାକାର ସାର୍ଟିଫିକେଟ ନାହିଁ । କିନ୍ତୁ ବଡ଼ ଦୁଃଖର କଥା ଆଜି ପର୍ଯ୍ୟନ୍ତ ପାଇ ନାହାନ୍ତି କଳାକାର ଭତ୍ତା । କରୋନା ପୂର୍ବରୁ କେହି ଜଣେ ତାଙ୍କ ଠାରୁ ୪ ହଜାର ଟଙ୍କା ନେଇ ମିଛ ଲେବର କାର୍ଡ ସାର୍ଟିଫିକେଟ ଦେଇ କଳାକାର ଭତ୍ତା ଆବେଦନ କରିବା ପାଇଁ କହିଥିଲେ । ଯାହା ପରବର୍ତ୍ତୀ ସମୟରେ ତାହା ଜାଲ୍ ବୋଲି ଜଣାପଡିଥିଲା । ଜାଲ୍ ସାର୍ଟିଫିକେଟ ଦେବା ଦ୍ବାରା ଚିନ୍ତାମଣି କଳାକାର ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି । ଯଦିଓ ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି କିନ୍ତୁ କଳାକାର ଭତ୍ତା ଚିନ୍ତାମଣିଙ୍କ ପାଇଁ ସାତସପନ ହୋଇଛି । କଳାକାର ଭତ୍ତା ପାଇଲେ ବାର୍ଦ୍ଧକ୍ୟ ଭତ୍ତାକୁ ସରକାରଙ୍କ ଠାରୁ ନେବେ ନାହିଁ ବୋଲି କହିଛନ୍ତି ଚିନ୍ତାମଣି । ତଥାପି ବହୁ କଷ୍ଟରେ ନିଜର କଳା ପ୍ରତିଭାକୁ ବଞ୍ଚେଇ ରଖିଛନ୍ତି ।
ଖବରପାଇ ଆମ୍ଭେ ଗଣମାଧ୍ୟମ ପ୍ରତିନିଧି ଚିନ୍ତାମଣି ଘରେ ପହଞ୍ଚି କଳାକାର ଜୀବନର କାହାଣୀ ବିଷୟରେ ପଚାରି ବୁଝିଥିଲୁ । ଜଣାଗଲା ବାସ୍ତବରେ ସେ ଜଣେ କଳାକାର । ସାରାଜୀବନ କଳାରେ ହିଁ ବିତେଇ ଚାଲିଛନ୍ତି । କଳାକାର ଭତ୍ତାଟିଏ ପାଇବା ପାଇଁ ବହୁ ଇଛା ଅଛି, ଯଦି ସରକାରଙ୍କ କଳାକାର ଭତ୍ତାଟିଏ ପାଇପାରନ୍ତେ ତେବେ ସେ ନିଜକୁ ଜଣେ କଳାକାର ବୋଲି ଗର୍ବ ଅନୁଭବ କରନ୍ତେ । ସେଥିପାଇଁ ଗଣମାଧ୍ୟମ ନିକଟରେ ନିଜର କଳାକାର ଜୀବନର କାହାଣୀ ବଖାଣିଛନ୍ତି । ଗଣମାଧ୍ୟମ ତରଫରୁ ସରକାରଙ୍କୁ ନିବେଦନ ଚିନ୍ତାମଣିଙ୍କ କଳାପ୍ରତିଭାକୁ ତଦନ୍ତ କରି କଳାକାର ଭତ୍ତାଟିଏ ପ୍ରଦାନ କରି କଳାକାର ବୋଲି ଘୋଷଣା କରନ୍ତୁ, ଯାହାଦ୍ବାରା ଚିନ୍ତାମଣିଙ୍କ କଳାକାର ଜୀବନ ସାର୍ଥକ ହେବ ।।



