ଉଲୁଣ୍ଡା ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୭ଟି ଅଭିଯୋଗ

ସୁବର୍ଣ୍ଣପୁର, ୨୬/୧୦ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ଅନୁଷ୍ଠିତ ହୋଇଯାଇଛି।
ଏହି ଶିବିରରେ ଜିଲ୍ଲାପାଳ ଶ୍ରୀ ଦେବାଶିଷ ସିଂ ଓ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ଶ୍ରୀ ନାରାୟଣ ନାୟକ ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଓ ସମସ୍ୟା ଶୁଣିଥିଲେ। ସର୍ବମୋଟ ୫୭ଟି ଅଭିଯୋଗ ଦରଖାସ୍ତ ଗ୍ରହଣ କରାଯାଇଥିଲା, ସେଥିମଧ୍ୟରୁ ୪୯ଟି ବ୍ୟକ୍ତିଗତ ଏବଂ ୦୮ଟି ସାମୂହିକ ଦରଖାସ୍ତ ଥିଲା। ଏଥିମଧ୍ୟରୁ ୫ଟି ଅଭିଯୋଗର ଜନଶୁଣାଣୀ ସ୍ଥଳରେ ସମାଧାନ କରାଯାଇଥିଲା।
ବାକି ଦରଖାସ୍ତଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କ ନିକଟକୁ ପ୍ରେରଣ କରାଯାଇଛି।
ଏହି ଅବସରରେ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ସୁବର୍ଣ୍ଣପୁର ଶ୍ରୀ ଅଶ୍ୱିନୀ ମେହେର, ଉପ ଜିଲ୍ଲାପାଳ ଶ୍ରୀ ସୁରେନ୍ଦ୍ର ମେହେର, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ. ଉଷାରାଣୀ ଦାସ, ଉଲୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଦିଲ୍ଲୀପ ବାଡା, ଉଲୁଣ୍ଡା ତହସିଲଦାର ମମତା ମେହେର ପ୍ରମୁଖ ଉପସ୍ଥିତ ଥିଲେ।



