କେନ୍ଦ୍ରାପଡ଼ାର ଶତବାର୍ଷିକୀ ଲକ୍ଷ୍ମୀପୂଜା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା, ସମୀକ୍ଷା କଲେ ଆଇଜି ଡକ୍ଟର ସତ୍ୟଜିତ ନାୟକ

କେନ୍ଦ୍ରାପଡ଼ା, ୨୬ ଅକ୍ଟୋବର:- କେନ୍ଦ୍ରାପଡ଼ାର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଚଳିତ ବର୍ଷ ଶତବାର୍ଷିକୀ ପାଳନ କରୁଥିବା ବେଳେ ଉତ୍ସବକୁ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଛି। କେନ୍ଦ୍ରୀୟ ରେଞ୍ଜ, କଟକର ଆଇଜିପି ଡକ୍ଟର ସତ୍ୟଜିତ ନାୟକ ସୋମବାର କେନ୍ଦ୍ରାପଡ଼ା ଗସ୍ତ କରି ସୁରକ୍ଷା ଓ ଆଇନଶୃଙ୍ଖଳା ବ୍ୟବସ୍ଥାର ସମୀକ୍ଷା କରିବା ସହ ସମ୍ପୃକ୍ତ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି।
ଉତ୍ସବରେ ଶାନ୍ତିଶୃଙ୍ଖଳା ରକ୍ଷା ଓ ଭିଡ଼ ନିୟନ୍ତ୍ରଣ ପାଇଁ ସହରରେ ୨୨ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ସେହିପରି ୨ ଜଣ ଅତିରିକ୍ତ ଏସ୍ପି, ୧୦ ଜଣ ଡିଏସ୍ପି, ୨୦ ଜଣ ଥାନାଧିକାରୀ, ୧୫୦ ଜଣ ଏସ୍ଆଇ ଓ ଏଏସ୍ଆଇ, ୨୫୦ ଜଣ କନଷ୍ଟେବଳ ଏବଂ ୩୦୦ ଜଣ ହୋମଗାର୍ଡଙ୍କୁ ନିୟୋଜିତ କରାଯାଇଛି। ଭିଡ଼ ପରିଚାଳନା ଓ ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ୮ଟି ସ୍ୱତନ୍ତ୍ର ଟିମ୍ ଗଠନ ହୋଇଥିବା ବେଳେ ସହରର ପ୍ରମୁଖ ସ୍ଥାନରେ ୬ଟି ଅସ୍ଥାୟୀ ପୁଲିସ ଆଉଟ୍ପୋଷ୍ଟ ସ୍ଥାପନ କରାଯାଇଛି। ଏଥିସହ ଷ୍ଟ୍ରାଇକିଂ ଫୋର୍ସ ଓ ବାଇକ୍ ପାଟ୍ରୋଲିଂ ଟିମ୍ ନିରନ୍ତର ପାଟ୍ରୋଲିଂ କରିବେ।
ସୁରକ୍ଷା ବ୍ୟବସ୍ଥାକୁ ଅଧିକ ମଜଭୁତ କରିବା ପାଇଁ ଆଧୁନିକ ପ୍ରଯୁକ୍ତିର ସହାୟତା ନିଆଯାଇଛି। ସହରରେ ୨୪ ଘଣ୍ଟିଆ ପୁଲିସ କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରୁଥିବା ବେଳେ ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକ ଉପରେ ନଜର ରଖିବାକୁ ୩୨ଟି ସିସିଟିଭି କ୍ୟାମେରା ଲଗାଯାଇଛି। ଏସ୍ଆଇ ଓ ଥାନାଧିକାରୀମାନଙ୍କୁ ବଡି-ୱର୍ଣ୍ଣ କ୍ୟାମେରା ଯୋଗାଇ ଦିଆଯାଇଥିବା ବେଳେ ବଡ଼ ଜନସମାଗମ ଉପରେ ନଜର ରଖିବା ପାଇଁ ଡ୍ରୋନ୍ ମାଧ୍ୟମରେ ନିରୀକ୍ଷଣ କରାଯାଉଛି। ଶ୍ରଦ୍ଧାଳୁଙ୍କ ଯାତାୟାତକୁ ସୁଗମ କରିବା ପାଇଁ ସ୍ୱତନ୍ତ୍ର ପାର୍କିଂ ଓ ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି। ଛିନ୍ତାଇ ଓ ମହିଳାଙ୍କ ପ୍ରତି ଅସଦାଚରଣ ଭଳି ଅପରାଧ ରୋକିବାକୁ ସାଧା ପୋଷାକରେ ଆଣ୍ଟି-ସ୍ନାଚିଂ ଓ ଆଣ୍ଟି-ଇଭ୍ଟିଜିଂ ଟିମ୍ ମୁତୟନ ହୋଇଛନ୍ତି।
ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ପରେ ଆଇଜିପି ଡକ୍ଟର ସତ୍ୟଜିତ ନାୟକ ଓ କେନ୍ଦ୍ରାପଡ଼ା ଏସ୍ପି ସିଦ୍ଧାର୍ଥ କାଟେରିଆଙ୍କ ନେତୃତ୍ୱରେ ସହରରେ ଏକ ଫ୍ଲାଗ୍ ମାର୍ଚ୍ଚ କରାଯାଇଥିଲା। ଏହା ମାଧ୍ୟମରେ ଜନସାଧାରଣଙ୍କ ମଧ୍ୟରେ ସୁରକ୍ଷା ଓ ବିଶ୍ୱାସର ବାତାବରଣ ସୃଷ୍ଟି କରିବା ସହ ଅସାମାଜିକ ତତ୍ତ୍ୱଙ୍କୁ ସତର୍କ ବାର୍ତ୍ତା ଦିଆଯାଇଛି। ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ସମୟରେ ଆଇନଶୃଙ୍ଖଳା ରକ୍ଷା ଓ ଉତ୍ସବର ସୁରୁଖୁରୁରେ ସମାପନ ପାଇଁ ୩୫ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯିବ।
ଉତ୍ସବକୁ ଶାନ୍ତିପୂର୍ଣ୍ଣ ଓ ସୁରକ୍ଷିତ ଭାବେ ପାଳନ କରିବା ପାଇଁ ପୁଲିସ ପ୍ରଶାସନ ଜନସାଧାରଣ, ପୂଜା କମିଟି ଓ ଶ୍ରଦ୍ଧାଳୁଙ୍କ ସହଯୋଗ ଲୋଡ଼ିଛି। ଟ୍ରାଫିକ୍ ଓ ପାର୍କିଂ ନିୟମ ପାଳନ କରିବା ସହ ଗୁଜବ ପ୍ରଚାର ନକରିବା ଏବଂ ଗୁଜବରେ ବିଶ୍ୱାସ ନକରିବାକୁ ଅନୁରୋଧ କରାଯାଇଛି। କୌଣସି ସନ୍ଦେହଜନକ ବ୍ୟକ୍ତି କିମ୍ବା କାର୍ଯ୍ୟକଳାପ ଦେଖିଲେ ତୁରନ୍ତ ପୁଲିସ କଣ୍ଟ୍ରୋଲ ରୁମ୍ କିମ୍ବା ନିକଟସ୍ଥ ପୁଲିସ ଅଧିକାରୀଙ୍କୁ ଜଣାଇବାକୁ କୁହାଯାଇଛି।



