ରାଜୀବ ଗାନ୍ଧିଙ୍କ ସତ୍ୟ ପ୍ରକାଶକୁ ମିଥ୍ୟାଚାରୀ ମୋଦୀଙ୍କ ବିଦ୍ରୂପ ନିନ୍ଦନୀୟ: ଭକ୍ତ

ଭୁବନେଶ୍ୱର ( ଦେବାଶିଷ ଦାଶ ) ଶନିବାର ଆାରବିଆଇ ଡାଟା ସେଣ୍ଟର ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ବିଷୟରେ ଦେଇଥିବା ମତମନ୍ତବ୍ୟକୁ ପିସିସି ସଭାପତି ଭକ୍ତ ଚରଣ ଦାସ ତୀବ୍ର ସମାଲୋଚନା କରିଛନ୍ତି। ପ୍ରସ୍ତାବିତ ନରାଜ ଏଆାଇ ଡାଟାସେଣ୍ଟର ବିରୋଧରେ ପିସିସି ପକ୍ଷରୁ ରବିବାର ମଧ୍ୟାହ୍ନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକମାନେ ଉପରୋକ୍ତ ପ୍ରସଙ୍ଗରେ ଶ୍ରୀ ଦାସଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ଶ୍ରୀ ଦାସ କହିଥିଲେ, ସତ୍ୟ ପ୍ରକାଶ କରିବାକୁ ସ୍ବର୍ଗତ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ପଛାଉ ନ ଥିଲେ। ଟଙ୍କାଟିଏ ଦିଲ୍ଲୀରୁ ଆସିଲେ ଲୋକଙ୍କ ପାଖରେ ୧୫ ପଇସା ପହଞ୍ଚୁଛି ବୋଲି ସ୍ବର୍ଗତ ଗାନ୍ଧିଙ୍କ ସ୍ବୀକାରୋକ୍ତିକୁ ପ୍ରଶଂସା କରିବା ବଦଳରେ ମିଛର ସୌଦାଗର ବିଦ୍ରୂପ କରିବା ଦୁଃଖଦାୟକ। ଅନ୍ୟପକ୍ଷରେ ଏବେ ବିଜେପି ସରକାର ଅମଳରେ ଟଙ୍କାଟିଏ ଦିଲ୍ଲୀରୁ ଗଲେ ଡିଜିଟାଲ ବ୍ୟାଙ୍କିଙ୍ଗ ଯୋଗୁଁ ପୂରା ଟଙ୍କାଟିଏ ଲୋକଙ୍କ ପାଖରେ ପହଞ୍ଚୁଛି ବୋଲି ମୋଦୀ ଦାବି କରିବା ହାସ୍ୟାସ୍ପଦ। ପ୍ରଥମତଃ, ଯଦି ବିକାଶ/କଲ୍ୟାଣକର କାର୍ଯ୍ୟ ପାଇଁ ପୂରା ଟଙ୍କାର ଅନୁଦାନ ସିଧା ଲୋକଙ୍କ ପାଖରେ ପହଞ୍ଚୁଛି, ଆାଖି ଖୋସିହୋଇଗଲା ପରି ଶହଶହକୋଟି ଟଙ୍କାର ଦୁର୍ନୀତିର ଖବର ପ୍ରତିଦିନ ଗଣମାଧ୍ୟମର ଶିରୋନାମା ମଣ୍ଡନ କରୁଛି କିପରି ବୋଲି ସେ ପ୍ରଶ୍ନ କରିଥିଲେ। ଦ୍ବିତୀୟତଃ, ମୋଦୀଙ୍କ ଭକ୍ତ ପ୍ରଶ୍ନ କରିଥିଲେ, ଏ ଦେଶରେ ଡିଜିଟାଲ ଉତ୍ତରଣର ଆଦ୍ୟପ୍ରବର୍ତ୍ତକ କିଏ? ରାଜୀବ ଗାନ୍ଧି ଦେଶରେ ଆଇଟି କ୍ଷେତ୍ରରେ କରିଥିବା ବିପ୍ଳବ ଯୋଗୁଁ ଆଜିର ବିଜେପି ସରକାର ତା’ର ହିତାଧିକାରୀ ହୋଇପାରିଛି। ଓଲଟା ଡିଜିଟାଲ ବିପ୍ଳବକୁ ଠିକ୍ ଭାବେ ପରିଚାଳନା କରି ନ ପାରିବାରୁ ବିଜେପି ଅମଳରେ ଏକାଧିକ ବ୍ୟାଙ୍କିଙ୍ଗ ଜାଲିଆତି ହୋଇ ହଜାରହଜାର କୋଟି ଲୁଟ୍ ହୋଇଛି। ଅନ୍ୟ ପକ୍ଷରେ ମୋଦୀ ବିଦା ହେବାର ସମ୍ଭାବନା ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ ଦେଇଥିବା ବୟାନ ଓ ପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମାଲୋଚନା ବିଷୟରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖି ଶ୍ରୀ ଦାସ କହିଥିଲେ, ପରିବର୍ତ୍ତନ ସଂସାରର ନିୟମ ଅଟେ।



