କୋଟିଆକୁ ନେଇ ରାଜନୀତି ତୀବ୍ର: ଆନ୍ଧ୍ରର ପଞ୍ଚାୟତ ନିର୍ବାଚନକୁ ସର୍ବଦଳୀୟ ବିରୋଧ

କୋରାପୁଟ, ଅକ୍ଟୋବର ୨୯: କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଦୀର୍ଘଦିନର ସୀମା ବିବାଦ ପୁଣି ତୀବ୍ର ହୋଇଛି। କୋଟିଆରେ ନଭେମ୍ବର ୫ ତାରିଖରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ପଞ୍ଚାୟତ ନିର୍ବାଚନ କରାଇବା ଉଦ୍ୟମକୁ ବିରୋଧ କରି କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। କୋଟିଆର ସୁରକ୍ଷା, ଭୌଗୋଳିକ ଅଧିକାର ଓ ବିକାଶକୁ ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ଆନ୍ଧ୍ରପ୍ରଦେଶ ପକ୍ଷରୁ କୋଟିଆରେ ନିର୍ବାଚନୀ ବୁଥ୍ ସ୍ଥାପନ କରିବା ଉଦ୍ୟମକୁ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ଦୃଢ଼ ବିରୋଧ କରିଥିଲେ। ପୂର୍ବ ନିର୍ବାଚନ ସମୟରେ ଯେପରି କୋଟିଆବାସୀଙ୍କୁ ଆନ୍ଧ୍ରପ୍ରଦେଶକୁ ନେଇ ଭୋଟ୍ ଦେବାକୁ ପ୍ରବର୍ତ୍ତାଇବା ଅଭିଯୋଗ ଉଠିଥିଲା, ସେଭଳି ଉଦ୍ୟମ ପୁଣି ହେଲେ ପରିସ୍ଥିତି ଜଟିଳ ହୋଇପାରେ ବୋଲି ନେତାମାନେ ଚେତାବନୀ ଦେଇଛନ୍ତି। କୋଟିଆର ସ୍ୱାର୍ଥରକ୍ଷା ପାଇଁ ଦଳୀୟ ମତଭେଦ ଭୁଲି ସମସ୍ତେ ଏକାଠି ହେବାକୁ ଆହ୍ୱାନ ଦେଇ “ଆଗ ମାଟି, ପଛେ ପାର୍ଟି” ନାରା ଦେଇଛନ୍ତି। ବୈଠକରେ କୋରାପୁଟ ବିଧାୟକ ରଘୁରାମ ମାଛ, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଓ ପଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡ଼ାମଙ୍କ ସମେତ ବହୁ ସ୍ଥାନୀୟ ଜନପ୍ରତିନିଧି ଯୋଗ ଦେଇଥିଲେ। କୋରାପୁଟ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। କୋଟିଆର ଅଧିକାର ଓ ବିକାଶକୁ ସୁରକ୍ଷିତ ରଖିବା ପାଇଁ ରାଜନୈତିକ ଦଳ ଓ ପ୍ରଶାସନ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।



