ଓଡିଶା

ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ କନ୍ଧମାଳ ପ୍ରଶାସନର ତତ୍ପରତା

ରବିବାର ମଧ୍ୟ ଖୋଲା ରହିବ ସମସ୍ତ ସରକାରୀ କାର୍ଯ୍ୟାଳୟ

କନ୍ଧମାଳ , ୩୧/୧୦: (ସଞ୍ଜୟ କୁମାର ପାଣିଗ୍ରାହୀ): ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାଜନିତ ବିପର୍ଯ୍ୟୟର ମୁକାବିଲା ସହ ଜିଲ୍ଲାରେ ଚାଲିଥିବା ଉଦ୍ଧାର, ପୁନରୁଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବାକୁ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଜରୁରୀକାଳୀନ ପରିସ୍ଥିତିରେ ସରକାରୀ କଳକୁ ସମ୍ପୂର୍ଣ୍ଣ ସଜାଗ ରଖିବା ଉଦ୍ଦେଶ୍ୟରେ ନଭେମ୍ବର ୧ ତାରିଖ ରବିବାର ଦିନ ମଧ୍ୟ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରଖିବା ସହ ଅଧିକାରୀ ଓ କର୍ମଚାରୀଙ୍କୁ ନିୟମିତ ଭାବେ କାର୍ଯ୍ୟାଳୟରେ ଉପସ୍ଥିତ ରହି ଦାୟିତ୍ୱ ତୁଲାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ପ୍ରଶାସନର ଚିଠି ନଂ ୨୮୩, ତାରିଖ ୩୧.୧୦.୨୦୨୬ ଅନୁଯାୟୀ, ଜିଲ୍ଲା କାର୍ଯ୍ୟାଳୟ, ଉପଖଣ୍ଡ କାର୍ଯ୍ୟାଳୟ, ବ୍ଲକ୍ କାର୍ଯ୍ୟାଳୟ ସମେତ ଅନ୍ୟାନ୍ୟ ସମସ୍ତ ସରକାରୀ ପ୍ରତିଷ୍ଠାନର ଅଧିକାରୀ ଓ କର୍ମଚାରୀଙ୍କୁ ରବିବାର ଦିନ ନିଜ ନିଜ କାର୍ଯ୍ୟାଳୟରେ ଯୋଗଦେଇ ଜରୁରୀକାଳୀନ କାର୍ଯ୍ୟରେ ନିୟୋଜିତ ରହିବାକୁ କୁହାଯାଇଛି। ବିପର୍ଯ୍ୟୟ ସମୟରେ ଲୋକଙ୍କୁ ତୁରନ୍ତ ସହାୟତା, ଉଦ୍ଧାର ଓ ରିଲିଫ୍ ପ୍ରଦାନରେ ଯେପରି କୌଣସି ବିଳମ୍ବ ନହୁଏ, ସେଥିପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଆଦେଶର ଅବମାନନା କିମ୍ବା କାର୍ଯ୍ୟରେ ଅବହେଳାକୁ ଗୁରୁତର ସହ ନିଆଯିବା ସହ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସ୍ପଷ୍ଟ କରାଯାଇଛି। ସେହିପରି ନଭେମ୍ବର ମାସରେ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତିର ସଫଳ ମୁକାବିଲା ପାଇଁ ଚିଠି ନଂ ୧୨୧୩, ତାରିଖ ୩୧.୧୦.୨୦୨୬ ଜରିଆରେ ଜିଲ୍ଲାର ବିଭିନ୍ନ ବ୍ଲକ୍ ଓ ସହରାଞ୍ଚଳର ଦାୟିତ୍ୱ ବରିଷ୍ଠ ଅଧିକାରୀଙ୍କୁ ନ୍ୟସ୍ତ କରାଯାଇଛି। ଏହି ଅଧିକାରୀମାନେ ନିଜ ନିଜ ଦାୟିତ୍ୱରେ ଥିବା ଅଞ୍ଚଳରେ ବାତ୍ୟା, ବନ୍ୟା, ପ୍ରବଳ ବର୍ଷା, ଅସ୍ଥାୟୀ ଆଶ୍ରୟସ୍ଥଳୀର ପରିଚାଳନା ଓ ବିପଦସଙ୍କୁଳ ତଥା ଦୁର୍ବଳ ବର୍ଗର ଲୋକଙ୍କ ସ୍ଥାନାନ୍ତରଣ କାର୍ଯ୍ୟ ତଦାରଖ କରିବେ। ଏଥିସହ ପରିସ୍ଥିତିର ନିୟମିତ ସମୀକ୍ଷା କରି ଜିଲ୍ଲା ପ୍ରଶାସନକୁ ସମୟାନୁସାରେ ବିସ୍ତୃତ ରିପୋର୍ଟ ପ୍ରଦାନ କରିବେ। ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ଦାୟିତ୍ୱ ଅନୁଯାୟୀ, ଫୁଲବାଣୀ ବ୍ଲକ୍ ପାଇଁ ଉପଜିଲ୍ଲାପାଳ ଫୁଲବାଣୀ, ବାଲିଗୁଡ଼ା ବ୍ଲକ୍ ଓ ଏନ୍‌ଏସି ପାଇଁ ଉପଜିଲ୍ଲାପାଳ ବାଲିଗୁଡ଼ା, ଖଜୁରୀପଡ଼ା ବ୍ଲକ୍ ପାଇଁ ପିଏ, ଆଇଟିଡିଏ ଫୁଲବାଣୀ, ଦାରିଙ୍ଗବାଡ଼ି ବ୍ଲକ୍ ପାଇଁ ପିଏ, ଆଇଟିଡିଏ ବାଲିଗୁଡ଼ା, କ. ନୂଆଗାଁ ବ୍ଲକ୍ ପାଇଁ ଏଡିଏମ୍ (ରାଜସ୍ୱ), ଫିରିଙ୍ଗିଆ ବ୍ଲକ୍ ପାଇଁ ଡିଇଓ କନ୍ଧମାଳ ଏବଂ ଟିକାବାଲି ବ୍ଲକ୍ ପାଇଁ ସିଡିଏଓ କନ୍ଧମାଳଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି ଚକାପାଦ ବ୍ଲକ୍ ପାଇଁ ଏଡିଏମ୍ (ଜେନେରାଲ), ଜି. ଉଦୟଗିରି ବ୍ଲକ୍ ପାଇଁ ଉପଜିଲ୍ଲାପାଳ ବାଲିଗୁଡ଼ା, ରାଇକିଆ ବ୍ଲକ୍ ପାଇଁ ସିଡିଓ-କମ୍-ଇଓ, ଜିଲ୍ଲା ପରିଷଦ କନ୍ଧମାଳ, କୋଟଗଡ଼ ବ୍ଲକ୍ ପାଇଁ ଡେପୁଟି ଡାଇରେକ୍ଟର (ପି ଆଣ୍ଡ ଏସ୍), ଡିପିଏମ୍‌ୟୁ କନ୍ଧମାଳ ଏବଂ ତୁମୁଡ଼ିବନ୍ଧ ବ୍ଲକ୍ ପାଇଁ ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି।

ବିପର୍ଯ୍ୟୟ ପରିଚାଳନାକୁ କେବଳ କାଗଜପତ୍ରରେ ସୀମିତ ନରଖି ତୃଣମୂଳ ସ୍ତରରେ ଏହାର ସଫଳ ରୂପାୟନ ଉପରେ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଇଛି। ବିଶେଷକରି ଦୁର୍ଗମ ଅଞ୍ଚଳର ଲୋକଙ୍କ ସୁରକ୍ଷା, ଆଶ୍ରୟସ୍ଥଳୀରେ ଆବଶ୍ୟକ ସୁବିଧା ଏବଂ ଜରୁରୀ ସେବାର ଉପଲବ୍ଧତା ସୁନିଶ୍ଚିତ କରିବା ଦାୟିତ୍ୱ ଏହି ଅଧିକାରୀମାନଙ୍କ ଉପରେ ରହିବ। ସମ୍ଭାବ୍ୟ ବିପର୍ଯ୍ୟୟକୁ ଆଖିଆଗରେ ରଖି ପ୍ରଶାସନର ଏହି ଦୁଇଟି ନିର୍ଦ୍ଦେଶନାମା ଜିଲ୍ଲାରେ ତତ୍ପରତା ବୃଦ୍ଧି କରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button