ଓଡିଶା

କେନ୍ଦ୍ରାପଡ଼ାରେ ଲକ୍ଷ୍ମୀପୂଜା ଭସାଣି ଓ ମେଲଣ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା, ୩୦ରୁ ଅଧିକ ପ୍ଲାଟୁନ୍ ପୁଲିସ ମୁତୟନ

ଭସାଣି ଉତ୍ସବରେ ସାମିଲ ହୋଇ ସୁରକ୍ଷା ସ୍ଥିତି ସମୀକ୍ଷା କଲେ ମଧ୍ୟାଞ୍ଚଳ ଆଇଜି ଡ. ସତ୍ୟଜିତ ନାୟକ; ଆଇଜି ଓ ଏସ୍ପିଙ୍କ ପ୍ରତ୍ୟକ୍ଷ ତଦାରଖ

କେନ୍ଦ୍ରାପଡ଼ା, ୧ ନଭେମ୍ବର ୨୦୨୬: କେନ୍ଦ୍ରାପଡ଼ାର ଐତିହାସିକ ଲକ୍ଷ୍ମୀପୂଜାର ଶତବାର୍ଷିକୀ ଉତ୍ସବ ଅବସରରେ ଆୟୋଜିତ ଭସାଣି ଶୋଭାଯାତ୍ରା ଓ ମେଲଣକୁ ଶାନ୍ତିପୂର୍ଣ୍ଣ ଏବଂ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସହରର ବିଭିନ୍ନ ପ୍ରମୁଖ ଓ ସମ୍ବେଦନଶୀଳ ସ୍ଥାନରେ ୩୦ରୁ ଅଧିକ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ଭସାଣି ଉତ୍ସବରେ ସାମିଲ ହେବା ସହ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ମଧ୍ୟାଞ୍ଚଳ ଆଇଜି ଡ. ସତ୍ୟଜିତ ନାୟକ। ଆଇଜି ଡ. ନାୟକ ଓ କେନ୍ଦ୍ରାପଡ଼ା ଏସ୍ପି ସିଦ୍ଧାର୍ଥ କାଟାରିଆ ନିଜେ କ୍ଷେତ୍ରସ୍ତରରେ ଉପସ୍ଥିତ ରହି ସୁରକ୍ଷା ପରିଚାଳନା ଉପରେ ନଜର ରଖିଛନ୍ତି।

ଭସାଣି ଶୋଭାଯାତ୍ରାରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ପରିଚାଳନା ଓ ଆଇନଶୃଙ୍ଖଳା ରକ୍ଷାକୁ ପୁଲିସ ପ୍ରଶାସନ ପ୍ରାଥମିକତା ଦେଇଛି। ଏଥିପାଇଁ ଏଏସ୍ପି, ଡିଏସ୍ପି, ଇନ୍ସପେକ୍ଟରଙ୍କ ସମେତ ବରିଷ୍ଠ ଓ ଅନ୍ୟାନ୍ୟ ପୁଲିସ ଅଧିକାରୀଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି। ଆଇଜି ଡ. ନାୟକ ବିଭିନ୍ନ ପୂଜା ମଣ୍ଡପ, ଭସାଣି ଶୋଭାଯାତ୍ରା ମାର୍ଗ ଓ ବିସର୍ଜନ ସ୍ଥଳ ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ। ଜନଗହଳିପୂର୍ଣ୍ଣ ଓ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ଅଧିକ ନଜରଦାରୀ ରଖିବା ସହ କୌଣସି ଅପ୍ରୀତିକର ଘଟଣା ଯେପରି ନଘଟେ, ସେଥିପାଇଁ ସଜାଗ ରହିବାକୁ ସେ ପୁଲିସ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲାଗି ମୋବାଇଲ୍ ପାଟ୍ରୋଲିଂ ୟୁନିଟ୍, ଷ୍ଟ୍ରାଇକିଂ ଫୋର୍ସ ଓ ସାଦା ପୋଷାକଧାରୀ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ସହରର ବିଭିନ୍ନ ସ୍ଥାନରେ ସିସିଟିଭି ମାଧ୍ୟମରେ ନଜର ରଖାଯିବା ସହ ଆବଶ୍ୟକସ୍ଥଳେ ତୁରନ୍ତ ପଦକ୍ଷେପ ନେବା ପାଇଁ ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତ ରହିଛନ୍ତି। ଶୋଭାଯାତ୍ରା ସମୟରେ ସାଧାରଣ ଯାନବାହନ ଚଳାଚଳ ଯେପରି ବାଧାପ୍ରାପ୍ତ ନହୁଏ, ସେଥିପାଇଁ ଟ୍ରାଫିକ୍ ନିୟନ୍ତ୍ରଣ, ନିର୍ଦ୍ଧାରିତ ପାର୍କିଂ ସ୍ଥଳ ଓ ଜନସାଧାରଣଙ୍କ ଯାତାୟାତ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି।

ଆଇଜି ଡ. ନାୟକ ପୁଲିସ, ଜିଲ୍ଲା ପ୍ରଶାସନ, ପୂଜା କମିଟି ଓ ସ୍ୱେଚ୍ଛାସେବୀଙ୍କ ମଧ୍ୟରେ ସମନ୍ୱୟ ରଖି ଉତ୍ସବକୁ ସୁରୁଖୁରୁରେ ପରିଚାଳନା କରିବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଗୁଜବ ଓ ଅପପ୍ରଚାର ପ୍ରତି ସତର୍କ ରହିବା ସହ କୌଣସି ଅସତ୍ୟ ଖବରକୁ ବିଶ୍ୱାସ ନକରିବାକୁ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ଶ୍ରଦ୍ଧାଳୁମାନେ ଟ୍ରାଫିକ୍ ନିୟମ ଓ ପାର୍କିଂ ନିର୍ଦ୍ଦେଶାବଳୀ ପାଳନ କରିବା ସହ ସନ୍ଦେହଜନକ କାର୍ଯ୍ୟକଳାପ ଦେଖିଲେ ତୁରନ୍ତ ପୁଲିସକୁ ଜଣାଇବାକୁ ମଧ୍ୟ ଅପିଲ୍ କରାଯାଇଛି। ପାରମ୍ପରିକ ଗଜଲକ୍ଷ୍ମୀ ଭସାଣି ଓ ମେଲଣକୁ ଭାଇଚାରା, ସଦ୍ଭାବନା ଓ ଶାନ୍ତିର ପରିବେଶରେ ପାଳନ କରିବା ପାଇଁ କେନ୍ଦ୍ରାପଡ଼ା ପୁଲିସ ପକ୍ଷରୁ ଜନସାଧାରଣଙ୍କ ସହଯୋଗ ଲୋଡ଼ାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button